
ବ୍ରହ୍ମପୁରର ବହୁଚର୍ଚ୍ଚିତ OMVD କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆ ମୃତ୍ୟୁ ମାମଲାରେ ଆସିଛି ବଡ଼ ଟ୍ୱିଷ୍ଟ। ଯେଉଁ ମୃତ୍ୟୁକୁ ନେଇ ପ୍ରଥମ ଦିନରୁ ଉଠୁଥିଲା ପ୍ରଶ୍ନ? ଯେଉଁ ମାମଲାରେ ପରିବାର ଲୋକେ ଲଗାତାର ନ୍ୟାୟ ଦାବି କରୁଥିଲେ, ସେହି ମାମଲା ନେଇଛି ନୂଆ ମୋଡ଼| ଆଉ ଏଥର ସିଧାସଳଖ ଏଣ୍ଟ୍ରି କରିଛି କ୍ରାଇମବ୍ରାଞ୍ଚ| ହଁ, ଆଜ୍ଞା କନେଷ୍ଟବଳ ମୃଦଙ୍ଗିଆ ମୃତ୍ୟୁ ମାମଲାରେ ଏବେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାରେ ଆସିଛି ହାଇଭୋଲଟେଜ୍ ଟ୍ୱିଷ୍ଟ| କାରଣ ବ୍ରହ୍ମପୁର ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ତୁଷ୍ଟ ନଥିଲେ ହାଇକୋର୍ଟ, | ମାମଲାର ଶୁଣାଣି ବେଳେ ପୋଲିସ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ। ଆଉ ତା’ପରେ ଆସିଲା ବଡ଼ ନିର୍ଦ୍ଦେଶ।ପୋଲିସ ନୁହେଁ,ଏବେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ| ଗତ ସୋମବାର ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିବା ବେଳେ ବ୍ରହ୍ମପୁର ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ମାମଲାର ନିରପେକ୍ଷ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛିତେବେ| ଏହି ମାମଲା ପଛରେ ରହିଛି ଏକ ଛାତିଥରା କାହାଣୀ| ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ଜୁନ ୫ ତାରିଖ ସନ୍ଧ୍ୟାରେ ଆଶୁତୋଷ ମୃଦଙ୍ଗିଆ ତାଙ୍କ ପତ୍ନୀ ସନ୍ଧ୍ୟା ନାୟକଙ୍କ ବ୍ରହ୍ମପୁରର ବିଜିପୁର ସ୍ଥିତ କ୍ୱାର୍ଟରକୁ ଯାଇଥିଲେ। ସେଠାରେ କ’ଣ ଘଟିଥିଲା? କିଭଳି ନିଆଁରେ ଜଳିଗଲେ ଆଶୁତୋଷ? ଏହି ପ୍ରଶ୍ନର ଉତ୍ତରକୁ ନେଇ ସେତେବେଳେ ସୃଷ୍ଟି ହୋଇଥିଲା ବଡ଼ ରହସ୍ୟ| ଗୁରୁତର ଅବସ୍ଥାରେ ଥିବା ଆଶୁତୋଷ ଦୁଇଥର ମୃତ୍ୟୁକାଳୀନ ଜମାନବନ୍ଦୀ ଦେଇଥିବା ଅଭିଯୋଗ ହୋଇଛି।

ସେଥିରେ ସେ ପତ୍ନୀ ସନ୍ଧ୍ୟା ନାୟକ ଓ ଶଳାଙ୍କ ବିରୋଧରେ ଯୋଜନାବଦ୍ଧ ଭାବେ ତାଙ୍କୁ ନିଆଁ ଲଗାଇଦେଇଥିବା ଅଭିଯୋଗ କରିଥିବା ପରିବାର ପକ୍ଷରୁ କୁହାଯାଇଛି | ତେବେ ଏଠି ପ୍ରଶ୍ନ ଉଠୁଛି ମୃତ୍ୟୁକାଳୀନ ଜମାନବନ୍ଦୀ ଥିବା ସତ୍ତ୍ୱେ ତଦନ୍ତ କେଉଁ ଦିଗକୁ ଯାଉଥିଲା? କାହିଁକି ପରିବାର ଲୋକେ ପୋଲିସ ତଦନ୍ତ ଉପରେ ଭରସା କରିପାରିଲେ ନାହିଁ? କାହିଁକି ଆଶୁତୋଷଙ୍କ ପରିବାରକୁ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ପଡ଼ିଲା?ଏହି ସବୁ ପ୍ରଶ୍ନକୁ ନେଇ ଆଶୁତୋଷଙ୍କ ଭଉଣୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୋଲିସର ତଦନ୍ତକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ପରିବାର ପକ୍ଷରୁ ଏଭଳି ଅଭିଯୋଗ କରାଯାଇଥିଲା ଯେ, ଆଶୁତୋଷଙ୍କ ପତ୍ନୀ ନିଜେ ପୋଲିସ କନଷ୍ଟେବଳ ହୋଇଥିବାରୁ ତଦନ୍ତରେ କୌଣସି ପ୍ରଭାବ ପଡୁନାହିଁ | ଅନ୍ୟପଟେ ଆଶୁତୋଷଙ୍କ ମା’ ମଧ୍ୟ ବୋହୂଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣି ନ୍ୟାୟ ଦାବି କରିଥିଲେ| ଘଟଣାରେ ଗୁରୁତର ଭାବେ ପୋଡ଼ି ଯାଇଥିଲେ ଆଶୁତୋଷ। ତାଙ୍କ ଶରୀରର ୮୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ି ଯାଇଥିବା ସୂଚନା ରହିଛି। ପ୍ରଥମେ ତାଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର AIIMSକୁ ସ୍ଥାନାନ୍ତର କରାଯାଇଥିଲା|
୭ ଦିନ ଧରି ମୃତ୍ୟୁ ସହ ଲଢ଼ିଥିଲେ ଆଶୁତୋଷ| ହେଲେ ଶେଷରେ ଜୀବନର ଯୁଦ୍ଧ ହାରିଗଲେ| ଜୁନ ୧୨ ତାରିଖରେ AIIMS ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ OMVD କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆ| କିନ୍ତୁ ଆଶୁତୋଷ ସିନା ଚାଲିଗଲେ, ରହିଗଲା ଅନେକ ପ୍ରଶ୍ନ| ନିଆଁ କିଭଳି ଲାଗିଲା? ଏହା ଦୁର୍ଘଟଣା ଥିଲା ନା ଯୋଜନାବଦ୍ଧ ଅପରାଧ? ମୃତ୍ୟୁ ପୂର୍ବରୁ ଆଶୁତୋଷ ଦେଇଥିବା ଜମାନବନ୍ଦୀର ସତ୍ୟତା କ’ଣ? ତଦନ୍ତରେ କେଉଁଠି ରହିଥିଲା ତ୍ରୁଟି? ଆଉ ସବୁଠାରୁ ବଡ଼ କଥା ହେଲା ଆଶୁତୋଷଙ୍କ ମୃତ୍ୟୁ ପଛର ପ୍ରକୃତ ସତ୍ୟ କ’ଣ? ଏବେ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବ କ୍ରାଇମବ୍ରାଞ୍ଚ| ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ଏହି ହାଇପ୍ରୋଫାଇଲ୍ ମାମଲାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ପୂର୍ବ ତଦନ୍ତର ସମସ୍ତ ଦସ୍ତାବିଜ, ମୃତ୍ୟୁକାଳୀନ ଜମାନବନ୍ଦୀ, ଘଟଣାସ୍ଥଳର ପରିସ୍ଥିତି ଏବଂ ଅନ୍ୟ ସମସ୍ତ ପ୍ରମାଣକୁ ନେଇ ନୂଆ ସିରେ ଖୋଳତାଡ଼ ହେବ। ତେବେ ଏବେ ସମସ୍ତଙ୍କ ନଜର କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ।