ଛୋଟ ସହରରୁ ଦେଶର ଶୀର୍ଷ ପଦ ପର୍ଯ୍ୟନ୍ତ ମୋଦୀଙ୍କ ୭୬ ବର୍ଷର ଜୀବନ ଯାତ୍ରା ।

ଗୁଜରାଟର ଏକ ଛୋଟ ସହର,ସାଧାରଣ ପରିବାର, ପରିବାରର ଚା’ ଦୋକାନରେ କାମ | ଆଉ ସେହି ସାଧାରଣ ପରିବେଶରୁ ଦେଶର ପ୍ରଧାନମନ୍ତ୍ରୀ ଆସନ ପର୍ଯ୍ୟନ୍ତ ଦୀର୍ଘ ଯାତ୍ରା। ଏହା ହେଉଛି ନରେନ୍ଦ୍ର ମୋଦୀଙ୍କ ଜୀବନ କାହାଣୀ| ୧୭ ସେପ୍ଟେମ୍ବର ୧୯୫୦। ଗୁଜରାଟର ଭଡ଼ନଗରରେ ଜନ୍ମ ଗ୍ରହଣ କରିଥିଲେ ନରେନ୍ଦ୍ର ଦାମୋଦରଦାସ ମୋଦୀ। ତାଙ୍କ ପରିବାରର ଆର୍ଥିକ ସ୍ଥିତି ସାଧାରଣ ଥିଲା। ପରିବାରକୁ ସହଯୋଗ କରିବା ପାଇଁ ଛୋଟବେଳେ ଚା’ ଦୋକାନରେ କାମ କରିଥିବା କଥା ତାଙ୍କ ଏକ ଗୁରୁତର ଅଂଶ ପାଲଟିଛି |

ପିଲାବେଳୁ ବହି ପଢ଼ିବା ଓ ତର୍କବିତର୍କ ପ୍ରତି ତାଙ୍କ ଆଗ୍ରହ ଥିଲା | ମାତ୍ର ୧୭ ବର୍ଷ ବୟସରେ ଘର ଛାଡ଼ି ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ ମୋଦୀ। ପରେ ଅହମଦାବାଦ ଯାଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଯୋଡ଼ି ହୋଇଥିଲେ। ୧୯୭୦ ଦଶକରେ ସେ ସଂଗଠନରେ ପ୍ରଚାରକ ଭାବେ କାମ କରିଥିଲେ| ୧୯୮୦ ଦଶକରେ ସଂଗଠନର ବିଭିନ୍ନ ଦାୟିତ୍ୱ ସମ୍ଭାଳିବା ପରେ ୧୯୮୭ରେ ଗୁଜରାଟରେ ଭାରତୀୟ ଜନତା ପାର୍ଟିର ସଂଗଠନ ସହ ତାଙ୍କ ରାଜନୈତିକ ଭୂମିକା ଆହୁରି ବଢ଼ିଥିଲା। ଧୀରେ ଧୀରେ ଜାତୀୟ ରାଜନୀତିରେ ମଧ୍ୟ ତାଙ୍କ ଭୂମିକା ବଢ଼ିଲା| ତା’ପରେ ଆସିଲା ୨୦୦୧ ମସିହା |ଅକ୍ଟୋବର ୭, ୨୦୦୧ରେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ହେଲେ। ସଂଗଠନରୁ ପ୍ରଶାସନକୁ ତାଙ୍କ ଯାତ୍ରା ଏହିଠାରୁ ନେଲା ଏକ ନୂଆ ମୋଡ଼ | ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିଥିଲେ। ଏହି ସମୟରେ ଗୁଜରାଟର ବିକାଶ, ପ୍ରଶାସନ ଓ ଶିଳ୍ପ ନୀତିକୁ ନେଇ ତାଙ୍କ ସରକାର ଜାତୀୟ ଚର୍ଚ୍ଚାରେ ରହିଥିଲା। ତାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳକୁ ନେଇ ସମର୍ଥନ ସହିତ ବିଭିନ୍ନ ରାଜନୈତିକ ଓ ସାମାଜିକ ପ୍ରଶ୍ନରେ ତୀବ୍ର ଚର୍ଚ୍ଚା ମଧ୍ୟ ହୋଇଥିଲା| ପରେ ଆସିଲା ୨୦୧୪। ଲୋକସଭା ନିର୍ବାଚନ ପରେ ୨୬ ମେ ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ। ୨୦୧୯ରେ ପୁଣି ଥରେ ତାଙ୍କ ନେତୃତ୍ୱରେ ସରକାର ଗଠନ ହେଲା। ଆଉ ୨୦୨୪ ଲୋକସଭା ନିର୍ବାଚନ ପରେ ୯ ଜୁନ ୨୦୨୪ରେ ନରେନ୍ଦ୍ର ମୋଦୀ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ପଦର ଶପଥ ନେଲେ| ଗୁଜରାଟର ଭଡ଼ନଗରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ୭୬ ବର୍ଷରେ ପହଞ୍ଚିଛି। ଚା’ ଦୋକାନରେ ପରିବାରକୁ ସହଯୋଗ କରୁଥିବା ଜଣେ ଶିଶୁ, ସଂଗଠନରେ କାମ କରୁଥିବା ଜଣେ କର୍ମୀ,ଗୁଜରାଟର ମୁଖ୍ୟମନ୍ତ୍ରୀ | ଆଉ ଶେଷରେ ଦେଶର ପ୍ରଧାନମନ୍ତ୍ରୀ| ୭୬ ବର୍ଷର ଏହି ଜୀବନ ଯାତ୍ରା ଭାରତୀୟ ରାଜନୀତିର ଗତ କିଛି ଦଶନ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଚର୍ଚ୍ଚିତ ହୋଇଆସିଛି।