ରୋଷେଇ ଘରର ଗୋଟିଏ ଛୋଟ ଭୁଲ୍ ଆଣିପାରେ ବଡ଼ ବିପତ୍ତି: ଗ୍ୟାସ୍ ଚୁଲା ପାଖରୁ ସୂଦୂରରେ ରଖନ୍ତୁ ଏହିସବୁ ଜିନିଷ

ଘର ମଧ୍ୟରେ ରୋଷେଇ ଘର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବା ବେଳେ, ଏଠାରେ ସାମାନ୍ୟ ଅସାବଧାନତା ଯୋଗୁଁ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ମଧ୍ୟ ସବୁଠାରୁ ଅଧିକ ଥାଏ। ଆମର ଦୈନନ୍ଦିନ କିଛି ଖରାପ ଅଭ୍ୟାସ ଅଗ୍ନିକାଣ୍ଡ ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ। ସୁରକ୍ଷିତ ରହିବା ପାଇଁ ଗ୍ୟାସ୍ ଚୁଲା ପାଖରେ କେଉଁ ସବୁ ଜିନିଷ ରଖିବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା।

ଅନେକ ସମୟରେ ଲୋକମାନେ ଅନଲାଇନ୍ ସପିଂର ବାକ୍ସ, ପ୍ଲାଷ୍ଟିକ୍ କିମ୍ବା ଖବରକାଗଜ ଆଦି ରୋଷେଇ ଘର ପ୍ଲାଟଫର୍ମରେ ଛାଡ଼ି ଦିଅନ୍ତି। ପଙ୍ଖା ଚାଲିଲେ ଏଗୁଡ଼ିକ ଉଡ଼ିଯାଇ ନିଆଁ ସଂସ୍ପର୍ଶରେ ଆସିବାର ସମ୍ଭାବନା ଥାଏ।

ଗ୍ୟାସ୍ ଜଳାଇବା ପରେ ସେହି ଲାଇଟର୍ ବା ଦିଆସିଲି ବାକ୍ସକୁ ଗ୍ୟାସ୍ ଚୁଲା ଉପରେ କିମ୍ବା ସେହି ପାଖରେ ରଖନ୍ତୁ ନାହିଁ। ଏଗୁଡ଼ିକ ଅତି ଜ୍ୱଳନଶୀଳ ହୋଇଥିବାରୁ ବିସ୍ଫୋରଣ ଘଟିପାରେ।

ନେଲ୍ ପଲିସ୍ ରିମୁଭର, ଡିଓଡ୍ରେଣ୍ଟ୍, ପରଫ୍ୟୁମ୍, କୀଟନାଶକ ସ୍ପ୍ରେ କିମ୍ବା ସାନିଟାଇଜର ଭଳି ଜିନିଷରେ ଆଲକହଲ୍ ଥାଏ। ଏହାକୁ ଗ୍ୟାସ୍ ଚାରିପାଖରେ ଜମାରୁ ରଖନ୍ତୁ ନାହିଁ।

ଗରମ ବାସନ ଧରିବା ପାଇଁ ବ୍ୟବହାର କରାଯାଉଥିବା କପଡ଼ାକୁ ଗ୍ୟାସ୍ ଠାରୁ ଅତିକମରେ ୨ ଫୁଟ୍ ଦୂରରେ ରଖନ୍ତୁ। ସେହିପରି ଗ୍ୟାସ୍ ପାଖରେ ଝରକା ଥିଲେ, ରୋଷେଇ ବେଳେ ପରଦାକୁ ଭଲ ଭାବେ ବାନ୍ଧି ଦିଅନ୍ତୁ।

ଜଳୁଥିବା ଗ୍ୟାସ୍ ପାଖରେ ମୋବାଇଲ୍ ଚାର୍ଜ କରନ୍ତୁ ନାହିଁ କିମ୍ବା ଫୋନରେ କଥା ହୋଇ ରୋଷେଇ କରନ୍ତୁ ନାହିଁ। ଏହା ଦ୍ୱାରା ଧ୍ୟାନ ଭଟକିଯାଏ ଏବଂ ଦୁର୍ଘଟଣା ଘଟେ।

ରୋଷେଇ କରିବା ସମୟରେ ଢିଲା ପୋଷାକ କିମ୍ବା ସିଲ୍କ, ସିଫନ୍ ଓ ଜର୍ଜେଟ୍ ଭଳି ସିନ୍ଥେଟିକ୍ କପଡ଼ା ପିନ୍ଧନ୍ତୁ ନାହିଁ। ସବୁବେଳେ ସୂତା କପଡ଼ା ବ୍ୟବହାର କରନ୍ତୁ ଏବଂ ନିଜ ଚୁଟିକୁ ବାନ୍ଧି ରଖନ୍ତୁ।

ଗ୍ୟାସ୍ ଚୁଲିରେ କିଛି ବସାଇ ଦେଇ ଅନ୍ୟ ରୁମ୍‌କୁ ଚାଲିଯାଆନ୍ତୁ ନାହିଁ। କୌଣସି କାରଣରୁ ପବନରେ ନିଆଁ ଲିଭିଗଲେ, ଗ୍ୟାସ୍ ଲିକ୍ ହୋଇ ସାରା ଘରେ ନିଆଁ ଲାଗିଯାଇପାରେ।

ସୁରକ୍ଷା ଦୃଷ୍ଟିରୁ ଘରେ ଏକ ଛୋଟ ଅଗ୍ନିଶମ ଯନ୍ତ୍ର ନିଶ୍ଚୟ ରଖନ୍ତୁ।

ସାବଧାନତା ହିଁ ସୁରକ୍ଷାର ସର୍ବଶ୍ରେଷ୍ଠ ମାଧ୍ୟମ। ଆପଣଙ୍କର ସାମାନ୍ୟ ସଚେତନତା ଆପଣଙ୍କ ପରିବାରକୁ ଏକ ବଡ଼ ବିପଦରୁ ରକ୍ଷା କରିପାରିବ।