ରଥ ନିର୍ମାଣ ଅଗ୍ରଗତି,ତିନିରଥର ଦୁଆର ବେଢ଼ା ରଥ ଉପରକୁ ଉଠିଲା।


ଅପରାହ୍ନରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ତିନିରଥର ସାଥୀ ଭୋଇ ସେବକ ମାନେ ମିଶି ଆଜି ତିନିରଥର ଆଗ ଆଣି ,ପଛ ଆଣି ଏବଂ ରଥ ଦୁଇ ପାର୍ଶ୍ୱ ର ଦୁଆର ବେଢାକୁ ବାଉଁଶ ତେଣ୍ଟିଆ ସହାୟତାରେ ଉଠାଇ ନାଟ ଗୋଡ଼ ସହ ସଂଯୋଗ ପୂର୍ବକ ରଥରେ ଦଉଡ଼ି ଦ୍ୱାରା ବାନ୍ଧେଣୀ କାର୍ଯ୍ୟ ଶେଷ କରିଛନ୍ତି। ଆସନ୍ତାକାଲି ଦୁଆର ବେଢାକୁ ମଜବୁତ ରଖିବା ପାଇଁ ଦୁଆର ବେଢା ଉପରି ଭାଗ ଚନ୍ଦ୍ର ଶାଳୀ ରେ ଧ୍ୱଜ ବତା ସଂଯୋଗ କରାଯାଇ ମଝି ଭୂଇଁ ସେଣି ରେ କଣ୍ଟା ବସି ଫିଟିଙ୍ଗ କାର୍ଯ୍ୟ ଶେଷ ହେବ।
ରୂପକାର ସେବକ ମାନେ ତିନିରଥର ବାକିଥିବା ପଟା ଗୁଜ ରେ ନର ବିରାଳ ,ସିଂହ ବିରାଳ ଚିତ୍ର ଖୋଦେଇ ସହ ପ୍ରଭା ପଟାରେ ବାକି ରହି ଯାଇଥିବା ରୂପ ଖୋଦେଇ ର ପଲିସ୍ କାର୍ଯ୍ୟ ଶେଷ କରିଛନ୍ତି।ଚିତ୍ରକାର ସେବକ ମାନେ ତିନିରଥର ପାର୍ଶ୍ୱ ଦେବ ଦେବୀ, କଳସ,ହଂସ ପଟା, କନ୍ୟା ପଟା, ଠେକରା ବାଡ଼ ଇତ୍ୟାଦିର ରଙ୍ଗ କାର୍ଯ୍ୟ ଶେଷ ପରେ ତିନିରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ସହ ତିନିରଥ ର ସାରଥୀ ଏବଂ ଘୋଡ଼ା ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।
ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ଦୁଆର ବେଢା ପାଇଁ ଧ୍ଵଜ ବତା କଣ୍ଟା ସହ ତିନିରଥର ବ୍ରେକ ପୁଲି ପାଇଁ ଲୁହା କଡା ନିର୍ମାଣ ଶେଷ କରିଛନ୍ତି।ପାହି ମହାରଣା ମାନେ ଅଣସର ପାଇଁ କାଠ ନିର୍ମିତ ସରଞ୍ଜାମ ଯୋଗାଇ ଦେବାସହ ରଥଯାତ୍ରା ପାଇଁ ଆବଶ୍ୟକ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଯାରୀରଖିଛନ୍ତି।
ଆଜି ମୁଖ୍ୟ ଦରଜୀ ସେବକ ଏବଂ ସହଯୋଗୀ ଦରଜୀ ସେବକ ମାନେ ମିଶି ରଥ କନା କଟିଙ୍ଗ ପୂର୍ବରୁ ଅନୁକୂଳ ପୂଜା ପୂର୍ବକ ମହାର୍ଦ ରଖି ନଡିଆ ବାଡେଇ ରଥ କନା କଟିଙ୍ଗ କାର୍ଯ୍ୟ ଶେଷ କରିଛନ୍ତି,ଆସନ୍ତା କାଲି ଠାରୁ ରଥ କନା ଜୋଡଣି ସହ ଲେସ୍ ପକା କାର୍ଯ୍ୟ ଆରମ୍ଭ ହେବ ।