
କେନ୍ଦ୍ରାପଡ଼ା ତୁଳସୀ ମହିଳା ମହାବିଦ୍ୟାଳୟର ୪୮ତମ ପ୍ରତିଷ୍ଠା ଦିବସ ଆଜି ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଭବ୍ୟ ଭାବେ ପାଳିତ ହୋଇଛି। ଶିକ୍ଷାନୁଷ୍ଠାନର ଗୌରବମୟ ଯାତ୍ରା ଓ ଅବଦାନକୁ ସ୍ମରଣ କରି ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, କେନ୍ଦ୍ରାପଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀ ନବକୃଷ୍ଣ ଜେନା ଏବଂ ବିଶିଷ୍ଟ ଶିକ୍ଷାବିତ୍ ଡ. ଜିତେନ୍ଦ୍ର ନାରାୟଣ ଦାସ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ଛାତ୍ରୀମାନଙ୍କ ଉଚ୍ଚଶିକ୍ଷା, ଶୃଙ୍ଖଳା ଓ ଉଜ୍ଜ୍ୱଳ ଭବିଷ୍ୟତ ନେଇ ମାର୍ଗଦର୍ଶନ କରିଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ମହାବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ଧୀରାମଣୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ମହାବିଦ୍ୟାଳୟର ଦୀର୍ଘ ୪୮ ବର୍ଷର ଗୌରବମୟ ଯାତ୍ରା ସହ ଶିକ୍ଷା, ସାଂସ୍କୃତିକ ଓ ସାମାଜିକ କ୍ଷେତ୍ରରେ ଏହାର ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ମହାବିଦ୍ୟାଳୟର ଉନ୍ନତି, ଛାତ୍ରୀମାନଙ୍କ ଉଚ୍ଚଶିକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଆଗାମୀ ଦିନରେ ଅଧିକ ପଦକ୍ଷେପ ନେବା ନେଇ ମତ ପ୍ରକାଶ ପାଇଥିଲା।
ପ୍ରତିଷ୍ଠା ଦିବସ ଅବସରରେ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଛାତ୍ରୀମାନଙ୍କୁ ନିଜର ଉଚ୍ଚଶିକ୍ଷା ଜାରି ରଖିବା ସହ ପ୍ରତିଭା ଓ ଦକ୍ଷତାର ବିକାଶ କରି ଆତ୍ମନିର୍ଭରଶୀଳ ହେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଏଥିସହ ନିଜ ଜ୍ଞାନ, ପ୍ରତିଭା ଓ କର୍ମଦକ୍ଷତା ମାଧ୍ୟମରେ ସମାଜ ତଥା ଦେଶର ଉନ୍ନତିରେ ସକାରାତ୍ମକ ଯୋଗଦାନ କରିବାକୁ ସେମାନେ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା,କର୍ମଚାରୀ,ଛାତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ପ୍ରତିଷ୍ଠା ଦିବସର ଗୌରବମୟ ଆୟୋଜନକୁ ସଫଳ କରିଥିଲେ।