ଟ୍ରେନ୍‌ରୁ ପଡ଼ି ଶଶୁର-ଜ୍ୱାଇଁଙ୍କ ରହସ୍ୟଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଚିକିତ୍ସା ପାଇଁ ବିଶାଖାପାଟଣା ଯାଇଥିଲେ, କିନ୍ତୁ ଫେରିଲେ ଶବ ହୋଇ। ଟ୍ରେନ୍ ଯାତ୍ରା ସମୟରେ ନିଖୋଜ ହେବାର କିଛି ଘଣ୍ଟା ପରେ ଦୁଇଟି ପୃଥକ ସ୍ଥାନରୁ ମିଳିଛି ଶଶୁର ଏବଂ ଜ୍ୱାଇଁଙ୍କ ମୃତଦେହ। କଳାହାଣ୍ଡି ଜିଲ୍ଲାର ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ, ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି ପରିବାର ଲୋକେ। ରାୟଗଡ଼ା ରେଳବାଇ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ଗତ ଶୁକ୍ରବାର ଦିନ ରାୟଗଡ଼ା ଓ ଦହିଖାଲ ରେଳଧାରଣା ନିକଟରୁ ଦୁଇଟି ରକ୍ତଜୁଡ଼ୁବୁଡ଼ୁ ମୃତଦେହ ମିଳିବା ପରେ ପରିଚୟ ସ୍ପଷ୍ଟ ହୋଇଛି।

ମୃତକମାନେ ହେଲେ କଳାହାଣ୍ଡି କେସିଙ୍ଗା ଥାନା କିକିଆ ଗ୍ରାମର ସୁଦାମ ନାୟକ ଏବଂ ତାଙ୍କ ଶଶୁର ଟିଟିଲାଗଡ଼ ଥାନା ଲୁଥୁରବନ୍ଦ ଗ୍ରାମର ଲିଙ୍ଗରାଜ ସାହା। ଶଶୁରଙ୍କ ଚିକିତ୍ସା କରାଇବା ପାଇଁ ଜ୍ୱାଇଁ ସୁଦାମ ତାଙ୍କୁ ବିଶାଖାପାଟଣା ନେଇଥିଲେ। ସେଠାରୁ ଟ୍ରେନ ଯୋଗେ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଜଣଙ୍କର ମୃତଦେହ ରାୟଗଡ଼ା ନିକଟରୁ ମିଳିଥିବା ବେଳେ ଅନ୍ୟ ଜଣଙ୍କର ଶବ କିଛି ଦୂରରେ ଥିବା ଦହିଖାଲ ନିକଟରୁ ମିଳିଛି।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଦୁଇଜଣ ବୟସ୍କ ବ୍ୟକ୍ତି ଏକାସାଙ୍ଗରେ ଦୁଇଟି ଅଲଗା ସ୍ଥାନରେ ଟ୍ରେନରୁ ପଡ଼ିବା ସାଧାରଣ ଦୁର୍ଘଟଣା ହୋଇନପାରେ। କେହି ଦୁର୍ବୃତ୍ତ ସେମାନଙ୍କୁ ହତ୍ୟା କରି ଟ୍ରେନରୁ ଫିଙ୍ଗି ଦେଇଥିବା ନେଇ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ହୋଇଛି। ରାୟଗଡ଼ା ଜିଆରପି ମୃତଦେହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ପ୍ରକୃତ କାରଣ ଖୋଜୁଛି।

“ସେମାନଙ୍କର କାହା ସହ ଶତ୍ରୁତା ନଥିଲା, କିନ୍ତୁ ଯେଉଁଭଳି ଭାବେ ଅଲଗା ଅଲଗା ଜାଗାରୁ ଶବ ମିଳିଛି, ଆମକୁ ଲାଗୁଛି ଏହା ପଛରେ କିଛି ଷଡ଼ଯନ୍ତ୍ର ଅଛି।” ୨. ନିରାକାର ପ୍ରଧାନ “ଆମେ ଏହାର ନିରପେକ୍ଷ ତଦନ୍ତ ଚାହୁଁଛୁ। ଜଣେ ବୃଦ୍ଧ ରୋଗୀ ଓ ତାଙ୍କ ସହାୟକଙ୍କ ସହ ଏମିତି କେମିତି ହେଲା ପୋଲିସ ସ୍ପଷ୍ଟ କରୁ।”