କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ହିକିମପୁଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖିଲୁଆ ଗ୍ରାମରେ ପଟା ଜମିରେ ଗୃହ ନିର୍ମାଣକୁ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ନିଜ ପୈତୃକ ସମ୍ପତ୍ତିର ସୁରକ୍ଷା ପାଇଁ ଜମିର ଉତ୍ତରାଧିକାରୀ ଏବେ ପ୍ରଶାସନ ଓ ପୋଲିସର ସହାୟତା ଲୋଡ଼ିଛନ୍ତି। ଜମିର ପ୍ରକୃତ ଉତ୍ତରାଧିକାରୀ ଭଗବାନ ଖିଲୋ ରାଜସ୍ୱ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରି ଜମିର ମାପଚୁପ କରାଇଥିଲେ।
ସରକାରୀ ତଥ୍ୟ ଅନୁଯାୟୀ, ଖାତା ନମ୍ବର ୨୬ ଏବଂ ପ୍ଲଟ ନମ୍ବର ୧୦୮ ର ୧ ଏକର ୬୦ ସେଣ୍ଟ ଜମି ପଦମ ଖିଲୋଙ୍କ ନାମରେ ରହିଛି। ମାତ୍ର ଏହି ନିଜସ୍ୱ ପଟା ଜମିରେ ଗ୍ରାମର ମୋହନ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଜବରଦସ୍ତି ବେଆଇନ ଭାବେ ଗୃହ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି।
ଭଗବାନ ଖିଲୋ ଓ ତାଙ୍କ ପରିବାର ଏହି ବେଆଇନ ନିର୍ମାଣକୁ ବିରୋଧ କରିବାରୁ, ସେମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଉଥିବା ସୂଚନା ମିଳିଛି। ଏଥିରେ ଭୟଭୀତ ନହୋଇ ପରିବାର ଲୋକେ ନ୍ୟାୟ ପାଇଁ ନନ୍ଦପୁର ତହସିଲଦାର ଦେବବ୍ରତ ମହାରଣାଙ୍କ ଦ୍ୱାରସ୍ଥ ହୋଇଥିଲେ। ତହସିଲଦାର ଶ୍ରୀ ମହାରଣା ପରିବାରକୁ ଆଶ୍ୱାସନା ଦେଇ କହିଛନ୍ତି ଯେ, “ଜମି କୁଆଡ଼େ ଯିବ ନାହିଁ, ପ୍ରକୃତ ମାଲିକଙ୍କୁ ତାଙ୍କ ଜମି ନିଶ୍ଚୟ ମିଳିବ।” ସେ କୌଣସି ଗଣ୍ଡଗୋଳରେ ନପଶିବାକୁ ପରାମର୍ଶ ଦେବା ସହ ଆର.ଆଇଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷରେ, ଜମି ହଡ଼ପ ଉଦ୍ୟମ ଓ ଜୀବନରୁ ମାରିଦେବା ଧମକ ବିରୋଧରେ ଭଗବାନ ଖିଲୋଙ୍କ ପରିବାର ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବେଆଇନ ନିର୍ମାଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।