ଖର୍ଚ୍ଚକାଟ ପାଇଁ କଠୋର ହେଲେ ସରକାର: ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ୮ ସୂତ୍ରୀ ନିର୍ଦ୍ଦେଶାବଳୀ

ଓଡ଼ିଶା ସରକାର ଖର୍ଚ୍ଚକାଟ ନୀତିକୁ କଡାକଡି ଭାବେ ଲାଗୁ କରିବା ପାଇଁ ପ୍ରଶାସନକୁ ୮ ସୂତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାର ମୁଖ୍ୟ ଲକ୍ଷ୍ୟ ସରକାରୀ ଅନାବଶ୍ୟକ ବ୍ୟୟ କମାଇବା ଓ ଅର୍ଥନୈତିକ ଶୃଙ୍ଖଳା ରକ୍ଷା କରିବା। ନିର୍ଦ୍ଦେଶାବଳୀ ଅନୁଯାୟୀ ଅନାବଶ୍ୟକ ସରକାରୀ ଯାତ୍ରା, ଆଡମ୍ବରପୂର୍ଣ୍ଣ ସଭା-ସମାରୋହ ଓ ଅତ୍ୟଧିକ ଖର୍ଚ୍ଚ ଉପରେ ରୋକ ଲଗାଯିବ। ନୂଆ ଗାଡ଼ି କ୍ରୟ, ଅନାବଶ୍ୟକ ପଦ ସୃଷ୍ଟି ଓ ଅତିରିକ୍ତ ବ୍ୟୟକୁ ନିୟନ୍ତ୍ରଣ କରାଯିବ। ସେଥିପାଇଁ ବିଦ୍ୟୁତ୍‌, ପାଣି ଓ ଇନ୍ଧନ ସଞ୍ଚୟ ଉପରେ ଜୋର ଦିଆଯାଇଛି। ସରକାରୀ କାର୍ଯ୍ୟକ୍ରମକୁ ସରଳ ଭାବେ କରିବା ସହ ଡିଜିଟାଲ୍‌ ପ୍ରଣାଳୀକୁ ବଢ଼ାଇବାକୁ କୁହାଯାଇଛି। ସମସ୍ତ ବିଭାଗକୁ ବ୍ୟୟ ଉପରେ କଠୋର ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଅତି ଆବଶ୍ୟକ ନ ହେଲେ ଭର୍ଚୁଆଲ ମୋଡ୍‌ରେ କରାଯିବ। ଯେଉଁ ଅଧିକାରୀ ଓ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ଆବଶ୍ୟକ ଥିବ, ସେମାନେ ପ୍ରତ୍ୟକ୍ଷ ଭାବେ ବୈଠକରେ ଯୋଗ ଦେଇପାରିବେ। ସରକାରଙ୍କ ନୂତନ ନିର୍ଦ୍ଦେଶ ଅନୁଯାୟୀ, ୧ ଜୁନ୍ ୨୦୨୬ ଠାରୁ ସରକାରୀ କାର୍ଯ୍ୟାଳୟ ପାଇଁ କିଣାଯାଉଥିବା ସମସ୍ତ ନୂଆ ଦୁଇଚକିଆ ଓ ଚାରିଚକିଆ ଯାନ ବୈଦ୍ୟୁତିକ ଯାନ (ଇଭି) ହେବା ବାଧ୍ୟତାମୂଳକ କରାଯାଇଛି। କେବଳ ବିଶେଷ ଆବଶ୍ୟକତା ଥିଲେ ପେଟ୍ରୋଲ୍‌ କିମ୍ବା ଡିଜେଲ୍‌ ଯାନ କ୍ରୟକୁ ଅନୁମତି ମିଳିବ। ସେହିପରି ସରକାରୀ କାର୍ଯ୍ୟାଳୟରେ ଭଡ଼ା ସୂତ୍ରରେ ନିଆଯାଉଥିବା ଚାରିଚକିଆ ଯାନମାନେ ମଧ୍ୟ ଇଭି ହେବା ଆବଶ୍ୟକ ହେବ।

ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ କାରପୁଲିଂ ବ୍ୟବସ୍ଥା ଅନୁସରଣ କରିବେ, ଅର୍ଥାତ୍ ଯାତାୟାତ ପାଇଁ ଗୋଟିଏ ଗାଡ଼ିକୁ ସାମୁହିକ ଭାବେ ବ୍ୟବହାର କରିବେ। ଏହା ସହ ସରକାରୀ ଯାନ ବ୍ୟବହାର ପାଇଁ ଦିଆଯାଉଥିବା ରାଶିକୁ ମଧ୍ୟ ଅଧା କରାଯିବ। କେଉଁ ପାହ୍ୟାର ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ସରକାରୀ ଯାନ ବ୍ୟବହାର କରିପାରିବେ, ସେନେଇ ଅର୍ଥ ବିଭାଗ ୧୫ ଦିନ ମଧ୍ୟରେ ଏକ ମାର୍ଗଦର୍ଶିକା ଜାରି କରିବ। ଏହାଛଡ଼ା ଦୂରସ୍ଥ ସ୍ଥାନକୁ ପରିଦର୍ଶନରେ ଯାଉଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ବସ୍‌ କିମ୍ବା ରେଳ ଯାତ୍ରାକୁ ପ୍ରାଥମ୍ୟ ଦେବାକୁ କୁହାଯାଇଛି।ଯେଉଁ ଅଧିକାରୀମାନଙ୍କ ପାଖରେ ନିଜସ୍ୱ ବୈଦ୍ୟୁତିକ ଯାନ ରହିଛି, ସେମାନେ ସରକାରୀ କାର୍ଯ୍ୟରେ କିପରି ଏହାକୁ ବ୍ୟବହାର କରିପାରିବେ, ସେନେଇ ଅର୍ଥ ବିଭାଗକୁ ଏକ ସ୍ପଷ୍ଟ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ଯେଉଁ ଅଞ୍ଚଳରେ ବହୁ ସଂଖ୍ୟକ ସରକାରୀ କର୍ମଚାରୀ ବସୋବାସ କରୁଛନ୍ତି, ସେଠାରୁ ସେମାନଙ୍କର ଯାତାୟାତ ସୁବିଧା ପାଇଁ ବୈଦ୍ୟୁତିକ ବସ୍‌ କିମ୍ବା ମିନିବସ୍‌ ସେବା ଆରମ୍ଭ କରାଯିବ।

ସରକାରୀ ଯାନ ବ୍ୟବହାରରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଖର୍ଚ୍ଚକୁ ଅତି କମରେ ୧୦ ପ୍ରତିଶତ କମାଇବା ଲକ୍ଷ୍ୟ ରଖି ସମସ୍ତ କାର୍ଯ୍ୟାଳୟକୁ ସୁଚିନ୍ତିତ ପଦକ୍ଷେପ ନେବାକୁ କୁହାଯାଇଛି। ଏହି ନିର୍ଦ୍ଦେଶାବଳୀ କେବଳ ରାଜ୍ୟ ସଚିବାଳୟରେ ସୀମିତ ରହିବ ନାହିଁ, ବରଂ ସମସ୍ତ ସରକାରୀ ବିଭାଗ, ଉପଖଣ୍ଡ, ତହସିଲ, ବ୍ଲକ୍‌ ସ୍ତରର କାର୍ଯ୍ୟାଳୟ ସହିତ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ ଓ ସମିତିମାନଙ୍କରେ କଡାକଡି ଭାବେ ଅନୁପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।