ଓଡ଼ିଶାର ଖଣିଜ ସମ୍ପଦର ସର୍ବାଙ୍ଗୀଣ ବିକାଶ ସହ ଜାତୀୟ ଅର୍ଥନୀତିରେ ରାଜ୍ୟର ଅବଦାନକୁ ଆହୁରି ବୃଦ୍ଧି କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ସକ୍ରିୟ ସହଯୋଗ ଲୋଡ଼ିଛନ୍ତି ମୋହନ ଚରଣ ମାଝୀ। ଏନେଇ ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି।

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାରେ ୪୭୧ ମିଲିଅନ୍ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ ହୋଇଥିବାବେଳେ ପ୍ରାୟ ୪୬ ହଜାର କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି। ଏହି ସଫଳତାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ରର ସହଯୋଗ ଅତ୍ୟାବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।ନିଲାମ ହୋଇଥିବା ଖଣିଗୁଡ଼ିକ ପାଇଁ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ଶୀଘ୍ର ପ୍ରଦାନ କରିବା ସହ ଶାଶୁବୋହୂମାଳୀ ବକ୍ସାଇଟ୍ ଏବଂ ଠାକୁରାଣୀ ଲୁହାପଥର ବ୍ଲକକୁ Odisha Mining Corporation ସପକ୍ଷରେ ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ଏହା ସହ ଖଣିଜ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରେଳ ଓ ବନ୍ଦର ଭିତ୍ତିଭୂମିର ତ୍ୱରିତ ବିକାଶ ଉପରେ ମଧ୍ୟ ଜୋର ଦିଆଯାଇଥିଲା।ବୈଠକରେ ପରିତ୍ୟକ୍ତ କୋଇଲା ଖଣିଗୁଡ଼ିକୁ ‘ଫ୍ଲାଇଆସ୍’ ମାଧ୍ୟମରେ ପୁର୍ନଭରଣ କରିବା ପାଇଁ ଏକ ସ୍ୱତନ୍ତ୍ର ଫ୍ରେମୱାର୍କ ପ୍ରସ୍ତୁତ କରିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ରେଳ, ବନ୍ଦର, ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସହ ଜଡ଼ିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀ ଏକ ଯୁଗ୍ମ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା, DMF ଏବଂ CSR ପାଣ୍ଠିକୁ ସମନ୍ୱିତ ଭାବେ ବ୍ୟବହାର କରି ଖଣି ଅଞ୍ଚଳର ସାମଗ୍ରିକ ବିକାଶ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହି ଅବସରରେ ରାଜ୍ୟ ସରକାରଙ୍କ ନୂତନ ଯୋଜନା “ସିଏମ୍ ସମ୍ପଦା” ସମ୍ପର୍କରେ କେନ୍ଦ୍ର ପ୍ରତିନିଧିମାନଙ୍କୁ ସୂଚନା ଦିଆଯାଇଥିଲା।ବୈଠକରେ ରାଜ୍ୟର ମୁଖ୍ୟ ସଚିବ ଅନୁ ଗର୍ଗ, କେନ୍ଦ୍ର ଖଣି ସଚିବ ଏବଂ Mahanadi Coalfields Limited ଓ National Aluminium Company ସମେତ ବିଭିନ୍ନ କେନ୍ଦ୍ରୀୟ ପିଏସ୍ୟୁର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକ ଓଡ଼ିଶାର ଖଣିଜ କ୍ଷେତ୍ରର ଦୀର୍ଘମିଆଦୀ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।