ଶିମିଳିପାଳରେ ଖୁସିର ଲହରୀ: ବାଘୁଣୀ ଜିନ୍ନତ ଜନ୍ମ ଦେଲା ୪ ଛୁଆ

ଓଡ଼ିଶାର ଗୌରବ ଶିମିଳିପାଳ ଅଭୟାରଣ୍ୟରୁ ଆସିଛି ଏକ ଖୁସିର ଖବର। ଅଭୟାରଣ୍ୟରେ ବାଘ ସଂଖ୍ୟା ବୃଦ୍ଧି ଓ ସଂରକ୍ଷଣ ପ୍ରୟାସକୁ ନୂଆ ସଫଳତା ମିଳିଛି। ବାଘୁଣୀ “ଜିନ୍ନତ” ୪ଟି ଛୁଆକୁ ଜନ୍ମ ଦେଇ ମା ହୋଇଛି। ଏହି ଘଟଣା ବନ ବିଭାଗ, ବନ୍ୟଜୀବ ବିଶେଷଜ୍ଞ ଓ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଗତ ୨୮ ତାରିଖରେ ଜିନ୍ନତ ୪ଟି ସୁସ୍ଥ ଛୁଆକୁ ଜନ୍ମ ଦେଇଛି। ବନ ବିଭାଗ ପକ୍ଷରୁ ମା ଓ ଛୁଆମାନଙ୍କ ଉପରେ ନଜର ରଖାଯାଉଛି ଏବଂ ସେମାନେ ସୁରକ୍ଷିତ ଥିବା ସୂଚନା ମିଳିଛି।ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହା ନଭେମ୍ବର ମାସରେ ମହାରାଷ୍ଟ୍ରର ତଡୋବା ଅନ୍ଧାରି ଟାଇଗର ରିଜର୍ଭରୁ ବାଘୁଣୀ ଜିନ୍ନତକୁ ଶିମିଳିପାଳକୁ ଅଣାଯାଇଥିଲା। ଶିମିଳିପାଳରେ ବାଘଙ୍କ ଜନୈତିକ ବିବିଧତା ବୃଦ୍ଧି କରିବା ଓ ବାଘ ସଂଖ୍ୟାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ସ୍ଥାନାନ୍ତରଣ କରାଯାଇଥିଲା।

ଜିନ୍ନତର ମା ହେବା ଏହି ପ୍ରକଳ୍ପର ସଫଳତାର ଏକ ବଡ଼ ପ୍ରମାଣ ବୋଲି ଧରାଯାଉଛି। ବିଶେଷଜ୍ଞମାନଙ୍କ ମତରେ, ଏହା ଶିମିଳିପାଳରେ ବାଘ ସଂରକ୍ଷଣ କାର୍ଯ୍ୟକ୍ରମକୁ ଆହୁରି ଶକ୍ତିଶାଳୀ କରିବ ଏବଂ ଭବିଷ୍ୟତରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ନୂଆ ଆଶା ସୃଷ୍ଟି କରିବ।ଜିନ୍ନତର ୪ଟି ଛୁଆର ଜନ୍ମ ଶିମିଳିପାଳ ପାଇଁ କେବଳ ଏକ ଖୁସିର ଖବର ନୁହେଁ, ବରଂ ଓଡ଼ିଶାର ବନ୍ୟଜୀବ ସଂରକ୍ଷଣ ଇତିହାସରେ ଏକ ସକାରାତ୍ମକ ଓ ଉତ୍ସାହଜନକ ଅଧ୍ୟାୟ ଭାବେ ଯୋଡ଼ି ହୋଇଛି।