ଜି ଉଦୟଗିରିରେ ଆମ୍ବ କ୍ରୟ ଓ ବିପଣନ କେନ୍ଦ୍ର ଉଦଘାଟିତ, ଚାଷୀଙ୍କୁ ମିଳିଲା ନୂଆ ଆଶା

କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ସ୍ଥିତ ଆଦର୍ଶ ଲ୍ୟାମ୍ପ ସମବାୟ ସମିତି ଠାରେ ଆମ୍ବ କ୍ରୟ ଓ ବିପଣନ କେନ୍ଦ୍ର ଆଜି ଆଧିକାରିକ ଭାବେ ଉଦଘାଟିତ ହୋଇଛି। ଏହି କେନ୍ଦ୍ର ଉଦଘାଟନ ଫଳରେ ସ୍ଥାନୀୟ ଆମ୍ବ ଚାଷୀମାନଙ୍କ ପାଇଁ ବଜାର ସୁବିଧା ଓ ଆୟ ବୃଦ୍ଧିର ନୂଆ ଦିଗ ଖୋଲିଛି।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି, ଟିକାବାଲି ଅଧ୍ୟକ୍ଷା ପ୍ରାଣୀତା ଦାସ ଯୋଗଦେଇ କେନ୍ଦ୍ରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପନିବନ୍ଧକ ସମବାୟ ସମିତି ସମୂହ (କନ୍ଧମାଳ), ଉପନିର୍ଦେଶକ ଉଦ୍ୟାନ ବିଭାଗ (ଫୁଲବାଣୀ) ସ୍ମିତା ମହାନ୍ତି, ସ୍ଥାନୀୟ ତହସିଲଦାର ସମୁଦ୍ର ମିଶ୍ର, ଭାରପ୍ରାପ୍ତ ବିଡିଓ ସତ୍ୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଅଧିକାରୀମାନେ ଚାଷୀଙ୍କୁ ଆମ୍ବ ଚାଷରେ ଲାଭ, ସରକାରୀ ସହାୟତା ସୁଯୋଗ ଓ ଅମଳ ପରେ ବିକ୍ରି ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଆମ୍ବ ଚାଷକୁ ଆଧାର କରି ଉତ୍ତମ ଜୀବିକା ଗଢ଼ି ଉଠିବା ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରାଯାଇଥିଲା।ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ଶିଶିର କାନ୍ତ ତ୍ରିପାଠୀ କାର୍ଯ୍ୟକ୍ରମଟିକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। ଏହି ଅବସରରେ ବହୁ ଚାଷୀ ନିଜ ନିଜ ଆମ୍ବ ଆଣି ବିକ୍ରି କରିଥିଲେ।

ଉପଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ସରକାର ପକ୍ଷରୁ କିଲୋ ପିଛା 18.50 ଟଙ୍କା ଦରରେ ଆମ୍ବ କ୍ରୟ କରାଯାଇଛି। କିଛି ଚାଷୀଙ୍କୁ ଏହି ଅବସରରେ ଚେକ୍ ମଧ୍ୟ ପ୍ରଦାନ କରାଯାଇଥିଲା।ଏହି କେନ୍ଦ୍ର ଆରମ୍ଭ ହେବାରେ ଚାଷୀମାନେ ଖୁସି ପ୍ରକାଶ କରିଛନ୍ତି ଏବଂ ଭବିଷ୍ୟତରେ ଆମ୍ବ ଚାଷକୁ ଅଧିକ ଲାଭଜନକ କରିବାର ଆଶା ବଢ଼ିଛି।