ଏ କୌଣସି ବାତ୍ୟା କିମ୍ବା ବୋଟ ଖରାପ ହେବାର ଦୃଶ୍ୟ ନୁହେଁ । ଏ ହେଉଛି କାହାକୁ ଖାତିର ନ କରି ଆନ୍ଧ୍ର ବୋଟ ପାରାଦୀପ ଠାରେ ନିଜ ବୋଟ ଲଗାଇ ଖୋଲମ ଖୁଲା ମାଛ ବିକ୍ରି କରୁଥିବାର ଦୃଶ୍ୟ।ଓଡ଼ିଶା ଉପକୂଳରେ ଆନ୍ଧ୍ର ବୋଟ୍ ର ଏଭଳି ବେଆଇନ୍ କାର୍ଯ୍ୟକଳାପକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଠରବାଙ୍କି ନିକଟସ୍ଥ ବିଜୟଚାନ୍ଦପୁର ଠାରେ ଖୋଲାଖୋଲି ଭାବେ ଏକ ଆନ୍ଧ୍ର ବୋଟ୍ ମାଛ ଖାଲି କରିଥିବା ବେଳେ, ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ମତ୍ସ୍ୟ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କିନ୍ତୁ ସବୁଠୁ ବଡ଼ କଥା ହେଲା, ଏତେ ବଡ଼ ଘଟଣା ଘଟିବା ସତ୍ତ୍ବେ ଏଠାରେ ଥିବା ମତ୍ସ୍ୟଜୀବୀ ସଂଘ କାହିଁକି ନୀରବ ରହିଲା? କାହା ଇସାରାରେ ଏବଂ କାହା ନିର୍ଦ୍ଦେଶରେ ଏଠାରେ ମାଛ ଖାଲି କରାଗଲା? ବୋଟ କଣ ଏଠାରେ ଖରାପ ହୋଇଥିଲା ନା ସ୍ଥାନୀୟ କୌଣସି ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷଙ୍କ ଇଙ୍ଗିତରେ ଏଠାରେ ମାଛ ଖାଲି କରାଗଲା ତାହା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବେ ସବୁଠି ଗୋଟିଏ ପ୍ରଶ୍ନ ସଂଘ ଏଠି କରୁଛି କଣ ? ନିକଟରେ ମାଛ ବଂଶ ବୃଦ୍ଧି ପାଇଁ ସରକାର ଏପ୍ରିଲ ୧୫ ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା ଜାରି କରିଥିଲେ I ମାତ୍ର କଟକଣା ହଟିବା ପରେ ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଆହୁରି ଏକ ମାସ ମାଛଧରା ବନ୍ଦରରୁ ସମୁଦ୍ରରୁ ମାଛ ଧରା ବନ୍ଦ ରହିଥିଲା ।
ଫଳରେ ବୋଟ ମାଲିକ ଏବଂ ମତ୍ସ୍ୟଜୀବୀ ମାନେ ବହୁତ କ୍ଷତି ସହିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ପାରାଦୀପ ବୋଟ କ୍ଷତିରେ ଚାଲୁଅଛି ତେବେ ଆନ୍ଧ୍ର ବୋଟ ଏଠାରେ ମାଛ ଖାଲି କରି ବିକ୍ରି କରୁଥିବା ବେଳେ ବୋଟ ମାଲିକ କିମ୍ବା ମତ୍ସ୍ୟ ବ୍ୟବସାୟୀ କାହିଁକି ବିରୋଧ କରୁନାହାନ୍ତି । କଣ ସ୍ଥାନୀୟ ବୋଟ ମାଲିକଙ୍କ ମାଧ୍ୟମରେ କିଛି ଭିତରୁଆ କାରବାର କରି ଆନ୍ଧ୍ର ବୋଟ ମାଛ ବ୍ୟବସାୟ କରୁନାହିଁ ତ, ତାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି | ବିଜୟଚାନ୍ଦପୁର ଠାରେ ବାହାର ରାଜ୍ୟର ବୋଟ୍ ଆସି ମାଛ ଅନଲୋଡ଼ କରିବା ଏବଂ ସ୍ଥାନୀୟ ବଜାରରେ ବିକ୍ରି କରିବା ଘଟଣା ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ପେଟରେ ଲାତ ମାରିବା ସହ ସମାନ। ନିୟମ ଅନୁସାରେ ବାହାର ବୋଟ୍ ଗୁଡ଼ିକ ଏଭଳି ସ୍ଥାନୀୟ ଘାଟରେ ବେପାର କରିପାରିବେ ନାହିଁ। ମାତ୍ର ପ୍ରଶାସନ ଓ ସ୍ଥାନୀୟ ସଂଘର ନାକତଳେ ଏସବୁ କିଭଳି ଚାଲିଛି, ତାହାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ଏତେସବୁ ଅଭିଯୋଗ ପରେ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଯଦି ସଂଘ ମତ୍ସ୍ୟଜୀବୀଙ୍କ ସ୍ବାର୍ଥ ରକ୍ଷା କରିପାରୁନି, ଭଲ, ମନ୍ଦରେ ସେମାନଙ୍କ ପାଖରେ ପହଁଚି ପାରୁ ନାହାନ୍ତି, ତେବେ ଏହି ସଂଘ କରୁଛି କଣ ବୋଲି ଆଲୋଚନା ଜୋର ଧରିଛି ।
ଗୋଟିଏ ପଟେ ଅନୁପ୍ରବେଶ କାରୀଙ୍କୁ ଧରିବା ପାଇଁ ସରକାର ତତ୍ପର ଦେଖାଇ ଉଭୟ ଜଳପଥ ଓ ସ୍ଥଳପଥ ଉପରେ କଡା ନଜର ରଖିଥିବା ବେଳେ ବାହାର ରାଜ୍ୟର ବୋଟ ଏଠାରେ ଖୋଲମ ଖୁଲା ମାଛ ଖଲାସ କରି ବିକ୍ରି କରୁଛି କିପରି। ତେବେ ଏହି ବୋଟରେ ଅନୁପ୍ରବେଶ କାରୀ ଅବାଧରେ ପ୍ରବେଶ କରି ନିଜର ସାମ୍ରାଜ୍ୟ ବିସ୍ତାର କରୁ ନାହାନ୍ତି ତ ? ଏହାକୁ ନେଇ ନା ରାଜ୍ୟ ପ୍ରଶାସନର ତତ୍ପରତା ପ୍ରକାଶ ପାଉଛି ନା ପୋଲିସ ପ୍ରଶାସନର ଦୃଷ୍ଟି ପଡ଼ୁଛି। ସ୍ଥାନୀୟ ଲୋକଙ୍କ ଚାପ ଏବଂ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ମତ୍ସ୍ୟସଂଘ ଏହି ଆନ୍ଧ୍ର ବୋଟ୍ ଓ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଯଦି ଆଗାମୀ ଦିନରେ ଏଭଳି ବେଆଇନ୍ କାର୍ଯ୍ୟକଳାପ ଉପରେ ରୋକ ନ ଲାଗେ ତେବେ ଆନ୍ଧ୍ର ବୋଟ ମାନଙ୍କର ରାଜୁତି ବଢ଼ିବା ସହିତ ଅନୁପ୍ରବେଶ କାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।