ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଚାଷୀଙ୍କ ସମସ୍ୟାକୁ ନେଇ ତେଜିଛି ଆନ୍ଦୋଳନ।

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଚାଷୀଙ୍କ ସମସ୍ୟାକୁ ନେଇ ତେଜିଛି ଆନ୍ଦୋଳନ। ବିଭିନ୍ନ ଚାଷୀ ସଂଗଠନର ଶତାଧିକ ଚାଷୀ ପଦ୍ମପୁର ଥାନା ଘେରାଉ କରିବା ସହ ‘ଜେଲ ଭରୋ’ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଧାନ ପଞ୍ଜୀକରଣ, ଧାନ ବିକ୍ରି, ଟୋକନ୍ ବ୍ୟବସ୍ଥା, ସାର ଯୋଗାଣ ଏବଂ ନୂଆ ନିୟମାବଳୀକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଚାଷୀଙ୍କ ଅଭିଯୋଗ ଅନୁସାରେ, ପ୍ରତି ଫସଲ ଋତୁରେ ଧାନ ପଞ୍ଜୀକରଣ ଓ ବିକ୍ରି ସମୟରେ ବିଭିନ୍ନ କଟକଣା ଏବଂ ଜଟିଳ ନିୟମ ଯୋଗୁଁ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଦ୍ମପୁର ଉପଖଣ୍ଡର ଅନେକ ଚାଷୀ ସମୟସୀମା ମଧ୍ୟରେ ପଞ୍ଜୀକରଣ କରିପାରୁନଥିବା ଅଭିଯୋଗ ରହିଛି। ଏହା ସହ ଯୋଗ୍ୟ ଚାଷୀଙ୍କ ନିକଟକୁ ସମୟରେ ଟୋକନ୍ ନଆସିବା ଏବଂ ଆବଶ୍ୟକ ସାର ନମିଳିବା ଭଳି ସମସ୍ୟା ମଧ୍ୟ ପୂର୍ବ ଫସଲ ଋତୁରେ ଦେଖାଦେଇଥିବା ଚାଷୀମାନେ କହିଛନ୍ତି।ଚଳିତ ଫସଲ ଋତୁରେ ‘ଏଗ୍ରିଷ୍ଟାକ୍’ ଭଳି ନୂଆ ବ୍ୟବସ୍ଥା ଲାଗୁ ହେବାକୁ ନେଇ ମଧ୍ୟ ଚାଷୀଙ୍କ ଚିନ୍ତା ବଢ଼ିଛି। ନୂଆ ନିୟମ ଓ ଡିଜିଟାଲ୍ ପ୍ରକ୍ରିୟାରେ ଚାଷୀମାନେ ଯେପରି ଅସୁବିଧାରେ ନପଡ଼ନ୍ତି, ସେଥିପାଇଁ ସରକାର ସରଳ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ଚାଷୀମାନଙ୍କ କହିବା ଅନୁସାରେ, ସେମାନଙ୍କ ଦାବି ଉପରେ ସରକାର ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ପଦ୍ମପୁରରେ ଚାଷୀଙ୍କ ଏହି ଆନ୍ଦୋଳନ ପରେ ସରକାର ଓ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି, ଏବେ ତାହା ଉପରେ ସମସ୍ତଙ୍କ ନଜର।