
ସ୍ନାନପୂର୍ଣ୍ଣିମାରେ ୧୦୮ କଳସୀ ପବିତ୍ର ଜଳରେ ମହାସ୍ନାନ ପରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏବେ ଅଣସର ପିଣ୍ଡିରେ ଗୁପ୍ତସେବା ଗ୍ରହଣ କରୁଛନ୍ତି। ଏହି ଅଣସର ସମୟରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହୁଥିବାରୁ ଭକ୍ତମାନଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି ପୁରୀ ଜିଲ୍ଲାର ବ୍ରହ୍ମଗିରିସ୍ଥିତ ପ୍ରସିଦ୍ଧ ଶ୍ରୀଅଲାରନାଥ ମନ୍ଦିର।ଅଣସର ଦର୍ଶନର ପ୍ରଥମ ଦିନରୁ ହିଁ ବ୍ରହ୍ମଗିରିରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତ ସହ ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଅଲାରନାଥଙ୍କ ଦର୍ଶନ ପାଇଁ ଛୁଟି ଆସୁଛନ୍ତି। ଏହି ସମୟରେ ବ୍ରହ୍ମଗିରିକୁ ‘ଦ୍ୱିତୀୟ ଶ୍ରୀକ୍ଷେତ୍ର’ ବୋଲି କୁହାଯାଉଛି।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ଅଣସର କାଳରେ ଶ୍ରୀଅଲାରନାଥଙ୍କ ଦର୍ଶନ କଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସମାନ ପୁଣ୍ୟଫଳ ମିଳିଥାଏ। ସେଥିପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅଲାରନାଥ ଦର୍ଶନକୁ ନେଇ ବେଶ ଉତ୍ସାହ ଦେଖାଯାଇଛି। ଦର୍ଶନ ସହିତ ଭକ୍ତମାନେ ମହାପ୍ରସାଦ ସଦୃଶ ପ୍ରସାଦ ଗ୍ରହଣ କରି ନିଜକୁ ଧନ୍ୟ ମନେ କରୁଛନ୍ତି।ତେବେ ପ୍ରଥମ ଦିନରେ ଅତ୍ୟଧିକ ଭିଡ଼ ଓ କିଛି ବିଶୃଙ୍ଖଳା କାରଣରୁ ଦର୍ଶନରେ ବିଳମ୍ବ ହୋଇଥିଲା। ତଥାପି ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।ଅଣସର ଅବଧି ସାରା ବ୍ରହ୍ମଗିରିରେ ଭକ୍ତଙ୍କ ଭିଡ଼ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଏହା ସହ ଅଲାରନାଥ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ଓ ଭକ୍ତିର ମାହୋଲ ଅଧିକ ଉତ୍ସବମୁଖର ହୋଇଉଠିଛି।