ଦୀର୍ଘ ବର୍ଷ ଧରି ଶିକ୍ଷାଦାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ସଂସ୍କୃତ ଭାଷା ଓ ଭାରତୀୟ ସଂସ୍କୃତିର ମୂଲ୍ୟବୋଧ ସଞ୍ଚାର କରିଥିବା କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଚୁରା ଗାଁ ପ୍ରିୟ ଇନ୍ଦିରା ଉଚ୍ଚ ବିଦ୍ୟାଳୟ ର ଜଣେ ବରିଷ୍ଠ ସଂସ୍କୃତ ଶିକ୍ଷକ ପ୍ରଜାରଞ୍ଜନ ପଣ୍ଡା ଙ୍କୁ ଆଜି ଭାବବିହ୍ୱଳ ପରିବେଶରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ମୋହନ ଦୀକ୍ଷିତ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶତ୍ରୁଘନ ବାଗ, ପ୍ରଶାନ୍ତ ପଣ୍ଡା, ପଙ୍କଜ କୁମାର ନାଏକ,ରମା ରଞ୍ଜନ ପଣ୍ଡା,ପ୍ରଭାତ ସାହୁ,ଅଶୋକ ପଟ୍ଟନାୟକ, ସୁଭାଷ ପଣ୍ଡା,ସମେତ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,ପୂର୍ବତନ ଛାତ୍ରଛାତ୍ରୀ,ଅଭିଭାବକ ଓ ବହୁ ବିଶିଷ୍ଟ ଅତିଥି ଯୋଗଦେଇଥିଲେ। ଅତିଥିମାନେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକଙ୍କ ଦୀର୍ଘ ଶିକ୍ଷକତା ଜୀବନ,ନିଷ୍ଠା,ଶୃଙ୍ଖଳା ଓ ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ଅବଦାନର ଉଚ୍ଚ ପ୍ରଶଂସା କରିଥିଲେ।
ଏହି ଅବସରରେ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ଏବଂ ସ୍ମୃତିଚିହ୍ନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ନିଜ ବିଦାୟୀ ଅଭିଭାଷଣରେ ସେ ସହକର୍ମୀ, ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିବାରର ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଜୀବନରେ ସତ୍ୟ, ଶୃଙ୍ଖଳା ଓ ନୈତିକତାକୁ ପାଥେୟ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।
ଶେଷରେ ସମସ୍ତେ ତାଙ୍କର ସୁସ୍ଥ, ସୁଖମୟ ଏବଂ ଦୀର୍ଘାୟୁ ଜୀବନ କାମନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ବିପିନ ବିହାରୀ ନାୟକ ମଞ୍ଚ ପରିଚାଳନା କରିଥିଲେ।