ବୋଲବମ୍ ପାଣି ଉଠାଇବାବେଳେ ଘଟିଲା ବଡ ଅଘଟଣ।ପାଣି ଉଠାଉଥିବା ସମୟରେ ବୁଡିଗଲା ପୁଅ।

ବୋଲବମ୍ ପାଣି ଉଠାଇବାବେଳେ ଘଟିଲା ବଡ ଅଘଟଣ।ପାଣି ଉଠାଉଥିବା ସମୟରେ ବୁଡିଗଲା ପୁଅ। ପୁଅକୁ ବଞ୍ଚାଇବାକୁ ନଦୀକୁ ଡେଇଁ ପଡ଼ି ନିଜ ଜୀବନ ହରାଇଲେ ବାପା। ଏଭଳି ହୃଦୟବିଦାରକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଭୂତମୁଣ୍ଡାଇ ପୋଲ ତଳ ମହାନଦୀରେ।ମୃତକ ହେଲେ ନିମିଢିହି ଗ୍ରାମର ଇଶ୍ୱର ବାରିକ। ଆଜି ସେ ନିଜ ପୁଅକୁ ଧରି ବୋଲବମ୍ ପାଇଁ ପାଣି ଉଠାଇବାକୁ ଆସିଥିଲେ। ପୁଅ ଛୋଟ ଥିବାରୁ ତାଙ୍କୁ ସାଙ୍ଗରେ ଧରି ଆସିଥିଲେ ଇଶ୍ଵର।ପୂଜା ପାଇଁ ପାଣି ଆଣିବା ସମୟରେ ପାଣି ଗଡୁ ଭାସିଯାଇଥିଲା ଏବଂ ଗଡୁ ଆଣିବାକୁ ଯାଇ ପୁଅ ମଧ୍ୟ ନଦୀରେ ଭାସିଯାଇଥିଲେ। ପୁଅକୁ ବଞ୍ଚାଇବା ପାଇଁ ଇଶ୍ୱର ବାରିକ ତୁରନ୍ତ ମହାନଦୀକୁ ଡେଇଁ ପଡ଼ିଥିଲେ। ଆଉ ନିଜେ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ଇଶ୍ୱର ବାରିକଙ୍କ ମୃତଦେହ ଉଦ୍ଧାର କରିଥିଲା।ପରିବାର ଲୋକଙ୍କ କହିବା ଅନୁସାରେ, ପୁଅକୁ ବଞ୍ଚାଇବା ପାଇଁ ବିଳମ୍ବ ନକରି ସେ ନଦୀକୁ ଡେଇଁ ପଡ଼ିଥିଲେ।ଏବଂ ସାହସିକତାର ସହ ପୁଅକୁ ଉଦ୍ଧାର କରିଥିଲେ, କିନ୍ତୁ ପ୍ରବଳ ସ୍ରୋତରେ ନିଜେ ଭାସିଯାଇଥିଲେ।ଅନ୍ୟପଟେ ଗୁରୁତର ଅବସ୍ଥାରେ ପୁଅକୁ କୁଜଙ୍ଗ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ସେ ବର୍ତ୍ତମାନ ସୁସ୍ଥ ଥିବା ସୂଚନା ମିଳିଛି।ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।କୁଜଙ୍ଗ ତହସିଲଦାର ସ୍ୱରୂପ ନନ୍ଦ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟର ତଦାରଖ କରିଥିଲେ। ତାଙ୍କ କହିବା ଅନୁଯାୟୀ, ପ୍ରଶାସନ ପକ୍ଷରୁ ପାଣି ଉଠାଇବା ପାଇଁ ସୁରକ୍ଷିତ ଘାଟର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିମାନେ ଅନ୍ୟ ସ୍ଥାନରୁ ପାଣି ଉଠାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ବୋଲବମ୍ ପାଇଁ ଜଳ ଆଣିବା ବେଳେ ପୁଅକୁ ବଞ୍ଚାଇ ନିଜ ଜୀବନ ବଳିଦାନ ଦେଇଥିବା ଇଶ୍ୱର ବାରିକଙ୍କ ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ଧାର୍ମିକ ଆସ୍ଥା ସହ ସୁରକ୍ଷା ନିୟମ ପାଳନ କରିବା କେତେ ଜରୁରୀ, ଏହି ଘଟଣା ତାହାର ଏକ ବଡ଼ ବାର୍ତ୍ତା ଦେଇଛି।