ଦୁଇବର୍ଷର ଶିଶୁ ଚୋବାଇଦେଲା ରସୁଣ ଚାଲିଗଲା ଜୀବନ

ଖେଳିବା ବୟସରେ ମୃତ୍ୟୁର ଏମିତି ଭୟଙ୍କର ରୂପ! ଅନ୍ୟ ପିଲାମାନେ ବାଣ ଫୁଟାଉଥିବା ଦେଖି ଉତ୍ସୁକତାରେ ମାଟିରୁ ଏକ ଛୋଟ ପ୍ୟାକେଟ୍ ଉଠାଇ ପାଟିରେ ପୁରାଇ ଦେଲା ଦୁଇ ବର୍ଷର କୁନି ପିଲା।

ଏମିତିରେ ବି ଆମେ ସାଧାରଣତଃ ଜାଣିଛନ୍ତି ସବୁ ଛୋଟ ପିଲା ତଳେ କିଛି ପଡିଥିବାର ଦେଖିଲେ ତା’କୁ ଆଣି ସଙ୍ଗେ ସଙ୍ଗେ ପାଟିରେ ପୁରାଇଦିଅନ୍ତି।

ଠିକ୍ ସେହିପରି ତଳେ କ’ଣ ଗୋଟେ ପଡିଛି ଭାବି ପାଟିରେ ପୁରାଇ ଦେଲା ଆମେ ଯାହାକୁ ଭାବୁଛନ୍ତି ସାଧାରଣ ରସୁଣ ବାଣ। ହେଲେ ତାକୁ ଜଣା ଥିଲା ଯେ, ସେହି ଛୋଟ ପ୍ୟାକେଟ୍ ହିଁ ତା’ ପାଇଁ କାଳ ସାଜିବ।ହଠାତ୍ ପାଟି ଭିତରେ ହିଁ ଫୁଟିଗଲା ବାଣ। ରକ୍ତାକ୍ତ ହୋଇଗଲା ଶିଶୁର ମୁହଁ। ଗୁରୁତର ଅବସ୍ଥାରେ ଦୁଇଟି ହସ୍ପିଟାଲରେ ଚିକିତ୍ସା ପରେ ଶେଷରେ ଆଖି ବୁଜିଦେଲା ଦୁଇ ବର୍ଷର ଆଦିତ୍ୟ। ଏହି ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି।

କେମିତି ଘଟିଲା ଏତେ ବଡ଼ ଅଘଟଣ: ସୂଚନା ଅନୁସାରେ, ଛତିଶଗଡ଼ର ସରଗୁଜା ଜିଲ୍ଲା ଅନ୍ତର୍ଗତ ସୀତାପୁର ଥାନା ଅଞ୍ଚଳର ନୱାପାରା ଗାଁରେ ନଭେମ୍ବର ୯ ତାରିଖ ସକାଳେ ଏହି ଅଘଟଣ ଘଟିଥିଲା। ଗାଁର କିଛି ପିଲା ‘ପପ୍-ପପ୍’ ବାଣ ବା ରସୁଣ ବାଣ ଫୁଟାଉଥିଲେ।ଏହି ସମୟରେ ଦୁଇ ବର୍ଷର ଆଦିତ୍ୟ ମଧ୍ୟ ସେମାନଙ୍କୁ ଦେଖୁଥିଲା। ହଠାତ୍ ତା’ ନଜର ପଡ଼ିଥିଲା ଭୂମିରେ ପଡ଼ିଥିବା ଏକ ଛୋଟ ପ୍ୟାକେଟ୍ ଉପରେ। ସେ ତାକୁ ଉଠାଇ ମୁହଁରେ ପକାଇଦେଇଥିଲା। ହେଲେ ମୁହଁ ଭିତରେ ହିଁ ବାଣଟି ଫୁଟିଯାଇଥିଲା। ଫଳରେ ତା’ ପାଟିରୁ ରକ୍ତ ବାହାରିବାକୁ ଲାଗିଥିଲା।

ଦୁଇଟି ହସ୍ପିଟାଲରେ ଚାଲିଥିଲା ଚିକିତ୍ସା: ଘଟଣା ପରେ ପରିବାର ଲୋକେ ତୁରନ୍ତ ଆଦିତ୍ୟକୁ ସୀତାପୁର ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ରକ୍ତସ୍ରାବ ବନ୍ଦ ହେବା ପରେ ତାକୁ ଘରକୁ ଫେରାଇ ଆଣିଥିଲେ। କିନ୍ତୁ ପରଦିନ ପୁଣି ରକ୍ତସ୍ରାବ ଆରମ୍ଭ ହୋଇଥିଲା।ଏହାପରେ ତାକୁ ପୁଣି ହସ୍ପିଟାଲ ନିଆଯାଇଥିଲା। ନଭେମ୍ବର ୧୧ ତାରିଖ ଅପରାହ୍ନରେ ଆଦିତ୍ୟକୁ ଅମ୍ବିକାପୁରର ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେହି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଆଦିତ୍ୟର ମୃତ୍ୟୁ ହୋଇଥିଲା।

ଗଳା ଭିତରୁ ମିଳିଲା ବାଣର ଅବଶେଷ: ଆଦିତ୍ୟର ବାପା ଇନ୍ଦ୍ରଜିତ ମାଞ୍ଝୀଙ୍କ କହିବା ଅନୁସାରେ, ପିଲାଟି କେଉଁ ବାଣକୁ ମୁହଁରେ ପକାଇଥିଲା, ତାହା ପରିବାର ଲୋକେ ଦେଖିନଥିଲେ। ପାଖରେ ଖେଳୁଥିବା ଅନ୍ୟ ପିଲାମାନଙ୍କଠାରୁ ହିଁ ସେମାନେ ଘଟଣା ବିଷୟରେ ଜାଣିଥିଲେ। ଅନ୍ୟପଟେ, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରମାନେ ଆଦିତ୍ୟର ଗଳା ଭିତରୁ ବାଣର ଅବଶେଷ ପାଇଥିବା ଜଣାପଡ଼ିଛି।