ନିଜ ସ୍ତ୍ରୀ ର ଅଶ୍ଳୀଳ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ କରି ଗିରଫ ହେଲେ ସ୍ବାମୀ। ହଁ ଆଜ୍ଞା ସ୍ୱାମୀ ସ୍ତ୍ରୀର ସମ୍ପର୍କ ବିଶ୍ୱାସ ଉପରେ ତିଷ୍ଠିଥାଏ, କିନ୍ତୁ ଏଠାରେ ସେହି ପବିତ୍ର ସମ୍ପର୍କକୁ କଳଙ୍କିତ କରାଯାଇଛି।ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ତଥା ଲଜ୍ଜାଜନକ ଘଟଣା ।
ସୂଚନା ଅନୁଯାୟୀ, ବାଲିଆପାଳ ଥାନା ପାଳପଡା ଗ୍ରାମର ପୂଜାରାଣୀ ଗିରିଙ୍କ ସହ ତଳଧାନଦା ଗ୍ରାମର ବିଶ୍ୱନାଥ ଗିରିଙ୍କ ବିବାହ ହୋଇଥିଲା। ବିବାହ ପରେ ବିଶ୍ୱନାଥ ପୂଜାଙ୍କୁ ନେଇ ଜାମସେଦପୁରରେ ରହୁଥିଲେ। ସେଠାରେ ରହିବା ସମୟରେ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ପୂଜାଙ୍କ ଅଜାଣତରେ ମୋବାଇଲରେ ରେକର୍ଡ କରିଥିଲେ ବିଶ୍ୱନାଥ।
ଅଭିଯୋଗ ଅନୁସାରେ, ପରେ ବିଶ୍ୱନାଥ ପୂଜାଙ୍କୁ ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। କିନ୍ତୁ ପୂଜା ଏଥିରେ ରାଜି ନ ହେବାରୁ, ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ହେବା ପରେ ପୂଜା ନିଜ ଗାଁକୁ ଫେରି ଆସିଥିଲେ।
ତାପରେ ବିଶ୍ୱନାଥ କିଛି ବନ୍ଧୁଙ୍କ ମୋବାଇଲ ବ୍ୟବହାର କରି ଫେସବୁକରେ ଫେକ୍ ଆଇଡି ଖୋଲି ପୂଜାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଅପଲୋଡ କରିଥିବା ଅଭିଯୋଗ ହୋଇଛି। ଏହା ଜାଣିବା ପରେ ପୂଜା ବାଲିଆପାଳ ପୋଲିସ ଓ ବାଲେଶ୍ୱର ସାଇବର ଥାନାରେ ଅଭିଯୋଗ କରିଥିଲେ।ପୋଲିସ ଘଟଣାର ତଦନ୍ତ କରିବା ସହ ଜାମସେଦପୁରରୁ ଅଭିଯୁକ୍ତ ସ୍ୱାମୀ ବିଶ୍ୱନାଥଙ୍କୁ ଗିରଫ କରିଛି। ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।