ମୃତଦେହ କାହାର ? ଶବ ସତ୍କାର କଲେ ଅଜଣା ପରିବାର

କୋରିଏରରେ ବମ୍ବେରୁ ଆସିଲା ମୃତଦେହ । ଆତ୍ମୀୟସ୍ଵଜନ ଭାବି କାଳବିଳମ୍ବ ନକରି ଶବ ସତ୍କାର କରିନେଲେ ପରିବାର ଲୋକେ । ହେଲେ ପୁଣି ଥରେ କୋରିଏରରେ ଆସୁଛି କାହାର ଶବ ? ଚିନ୍ତାରେ ପରିବାର । କଟକ ନେମାଳ ଥାନା ଅଞ୍ଚଳ କୁଆଁଶାଳ ଗାଁରେ ଏଭଳି ଘଟଣା ଏବେ ଚର୍ଚ୍ଚାକୁ ଆସିଛି ।

କୁଆଁଶାଳ ଗାଁର ବିଳାସ ଭୂଆଁ । ଏକ ବର୍ଷ ହେଲା ସେ ବମ୍ବେରେ ଏକ ଘରୋଇ କମ୍ପାନୀର କାର୍ ସୋ’ରୁମରେ କାର୍ଯ୍ୟରତ ଥିଲେ । ଗତ ୮ ତାରିଖରେ ବ୍ରେନ୍ ଷ୍ଟ୍ରୋକରେ ତାଙ୍କର ମୃତ୍ୟୁ ହୋଇଥିଲା । ଏକ କୋରଏର ସଂସ୍ଥା ସାହାଯ୍ୟରେ ଶବ ପଠାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଶେଷରେ ଘରେ ପହଞ୍ଚିଥିଲା କୋରିଏର । ଦୁଇତିନି ଦିନ ବିତିଯାଇଥିବାରୁ ପରିବାର ଲୋକେ ଠିକଭାବେ ମୃତଦେହ ଦେଖିପାରିନଥିଲେ । ବିଳମ୍ବ ନକରି ନଦୀକୂଳ ଶ୍ମଶାନରେ ଅନ୍ତ୍ୟେଷ୍ଟି କାର୍ଯ୍ୟ ଶେଷ କରିଥିଲେ । ଶବ ସତ୍କାର ପରେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା ପୁଣି କୋରିଏର । କାରଣ ଆଉ ଏକ ଶବ ଆସୁଛି । ଏ ଶବ କାହାର । କେଉଁଠି ଆସୁଛି । କାହାର ଶବ ସତ୍କାର କରାଗଲା ସେ ନେଇ ଅନେକ ପ୍ରଶ୍ନ ।

ଭୁଲ୍ କିଏ କଲା, କେଉଁଠି ରହିଲା ଭୁଲ୍ । କୋରିଏର ସଂସ୍ଥାର ଅବହେଳା ଏବଂ ଭୁଲ୍ ଆଡ୍ରେସ୍ ଯୋଗୁଁ ରାଜସ୍ଥାନ ଜୟପୁରର ମୃତଦେହ କୁଆଁଶାଳ ଗାଁରେ ପହଞ୍ଚିଥିଲା । ଦ୍ୱିତୀୟ ଥର ଆସୁଥିବା କୋରିଏରରେ ସେମାନଙ୍କ ପରିବାର ସଦସ୍ୟ ବିଳାସଙ୍କ ଶବ ରହିଛି । ଏଭଳି ଘଟଣା ଅଞ୍ଚଳରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ, ଅସ୍ତି ନେବା ପାଇଁ ପୋଲିସ ସହାୟତାରେ କୁଆଁଶାଳ ଗାଁକୁ ଆସୁଛନ୍ତି ଜୟପୁର ଲୋକ ।

Leave a Reply

Your email address will not be published. Required fields are marked *