UPI Transaction Record : UPI କାରବାରରେ ନୂଆ ଇତିହାସ, ପ୍ରଥମ ଥର ୩୦ ଲକ୍ଷ କୋଟି ଟଙ୍କା ଟପିଲା ଡିଜିଟାଲ ପେମେଣ୍ଟ !

ଡିଜିଟାଲ ଦୁନିଆରେ ଭାରତର ନୂଆ ଇତିହାସ। UPI କାରବାରରେ ସୃଷ୍ଟି ହେଲା ସର୍ବକାଳୀନ ରେକର୍ଡ। ପ୍ରଥମ ଥର ପାଇଁ ମାସିକ UPI କାରବାରର ମୂଲ୍ୟ ୩୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଅକ୍ଟୋବର ୨୦୨୬ରେ ଦେଶରେ ମୋଟ ୩୧ ଲକ୍ଷ ୫୩ ହଜାର କୋଟି ଟଙ୍କାର UPI କାରବାର ହୋଇଛି। ଯାହା ଭାରତର ଡିଜିଟାଲ ଅର୍ଥନୀତି ପାଇଁ ଏକ ବଡ଼ ସଫଳତା।

ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା NPCI ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଅକ୍ଟୋବର ମାସରେ ପ୍ରାୟ ୨ ହଜାର ୫୪୭ କୋଟି UPI କାରବାର ହୋଇଛି। ସେପ୍ଟେମ୍ବର ମାସରେ ଏହି କାରବାରର ମୂଲ୍ୟ ୨୯.୩୭ ଲକ୍ଷ କୋଟି ଟଙ୍କା ଥିବା ବେଳେ ଅକ୍ଟୋବରରେ ଏହା ୩୧.୫୩ ଲକ୍ଷ କୋଟିରେ ପହଞ୍ଚିଛି। ଅର୍ଥାତ୍ ମାତ୍ର ଗୋଟିଏ ମାସରେ କାରବାର ମୂଲ୍ୟ ପ୍ରାୟ ୭.୪ ପ୍ରତିଶତ ବୃଦ୍ଧି ପାଇଛି।

ସବୁଠୁ ବଡ଼ କଥା ହେଉଛି, ଅକ୍ଟୋବର ମାସରେ ପ୍ରତିଦିନ ହାରାହାରି ୧ ଲକ୍ଷ ୧ ହଜାର ୭୦୭ କୋଟି ଟଙ୍କାର UPI କାରବାର ହୋଇଛି। ପ୍ରଥମ ଥର ପାଇଁ ଦୈନିକ ହାରାହାରି କାରବାର ମୂଲ୍ୟ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

କେବଳ ସେତିକି ନୁହେଁ, ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ କାରବାର ସଂଖ୍ୟା ୨୩ ପ୍ରତିଶତ ଏବଂ କାରବାର ମୂଲ୍ୟ ୧୬ ପ୍ରତିଶତ ବଢ଼ିଛି।

ଛୋଟ ଦୋକାନଠାରୁ ଆରମ୍ଭ କରି ବଡ଼ ବଡ଼ ସପିଂ ମଲ୍ ପର୍ଯ୍ୟନ୍ତ, ସବୁଠି ବଢ଼ୁଛି ଡିଜିଟାଲ ପେମେଣ୍ଟର ବ୍ୟବହାର। ଚା’ ଦୋକାନ ହେଉ କି ପରିବା ମାର୍କେଟ୍, ଏବେ ନଗଦ ଟଙ୍କା ବଦଳରେ QR କୋଡ୍ ସ୍କାନ୍ କରି ଲୋକେ ପେମେଣ୍ଟ କରୁଛନ୍ତି।

ପାର୍ବଣ ଋତୁରେ କିଣାକିଣି ଓ ଅନଲାଇନ୍ ପେମେଣ୍ଟ ବୃଦ୍ଧି ମଧ୍ୟ ଏହି ରେକର୍ଡର ଅନ୍ୟତମ କାରଣ। ଆଉ ଏହି ଐତିହାସିକ ସଫଳତା ପ୍ରମାଣ କରୁଛି, ଡିଜିଟାଲ ଇଣ୍ଡିଆ ଅଭିଯାନରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଭାରତ।