ଅଜବ ଘଟଣା, ଗଜବ କାହାଣୀ। ବଞ୍ଚିଥାଉ ଥାଉ ନିଜ ଶ୍ରାଦ୍ଧ କରାଇଲେ ୮୦ ବର୍ଷୀୟ ବୃଦ୍ଧ। ନିଜ ମୃତ୍ୟୁ ପରେ ହେବାକୁ ଥିବା ଭୋଜିର ଆୟୋଜନ ନିଜେ କଲେ। ଆଉ ଶ୍ରାଦ୍ଧ ଭୋଜିରେ ଯୋଗଦେଲେ ପ୍ରାୟ ୯୦୦ ଲୋକ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଏକ ନିଆରା ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶରୁ।
ଉତ୍ତରପ୍ରଦେଶର ବାଗପତ ଜିଲ୍ଲା ଜୋହଡ଼ି ଗାଁର ୮୦ ବର୍ଷୀୟ ବଲଜୋର ସିଂହ। ନଭେମ୍ବର ୧୫ ତାରିଖରେ ସେ ନିଜ ଜୀବନକାଳରେ ହିଁ ତେରହବୀ ଅର୍ଥାତ୍ ମୃତ୍ୟୁର ତ୍ରୟୋଦଶ ଦିନରେ କରାଯାଉଥିବା ଶ୍ରାଦ୍ଧ କାର୍ଯ୍ୟର ଆୟୋଜନ କରିଥିଲେ। ଘରେ ବିଧିବିଧାନ ଅନୁସାରେ ହୋମଯଜ୍ଞ କରାଯିବା ସହ ଗାଁ ଲୋକ ଓ ସମ୍ପର୍କୀୟଙ୍କ ପାଇଁ ବିଶାଳ ଭୋଜିର ବ୍ୟବସ୍ଥା କରାଯାଇଥିଲା।
ଭୋଜି ପାଇଁ ନିୟୋଜିତ ହୋଇଥିଲେ ୮ ଜଣ ରୋଷେୟା। ପୁରି, ତରକାରୀ, ରାଇତା ଓ ଲଡୁ ଭଳି ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ପ୍ରାୟ ୯୦୦ ଜଣଙ୍କୁ ଖାଇବାକୁ ଦିଆଯାଇଥିବା ବେଳେ ବୃଦ୍ଧ ନିଜେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।
ହେଲେ ପ୍ରଶ୍ନ ଉଠୁଛି, ଜୀବିତ ଥାଉ ଥାଉ କାହିଁକି ନିଜ ଶ୍ରାଦ୍ଧ କରାଇଲେ ବୃଦ୍ଧ?
ଏହା ପଛରେ ରହିଛି ଏକ ଭାବପୂର୍ଣ୍ଣ କାରଣ। ବଲଜୋର ସିଂହଙ୍କର କୌଣସି ପୁଅ ନାହାନ୍ତି। ତାଙ୍କର ଏକମାତ୍ର ଝିଅ ପିଙ୍କି। ମୃତ୍ୟୁ ପରେ ଝିଅ ଉପରେ ଶ୍ରାଦ୍ଧ କାର୍ଯ୍ୟର ଆର୍ଥିକ ଓ ସାମାଜିକ ବୋଝ ନପଡ଼ୁ, ସେଥିପାଇଁ ନିଜେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ବଲଜୋର।
କେବଳ ସେତିକି ନୁହେଁ, ନିଜ ୧୦ ବର୍ଷୀୟ ନାତି ମୁକୁଲଙ୍କ ମୁଣ୍ଡରେ ପଗଡ଼ି ବାନ୍ଧି ପରିବାରର ଦାୟିତ୍ୱ ମଧ୍ୟ ପ୍ରତୀକାତ୍ମକ ଭାବେ ହସ୍ତାନ୍ତର କରିଛନ୍ତି। ଏହି ନିଆରା କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ କେ.ପି. ମଲିକ ମଧ୍ୟ ଯୋଗଦେଇଥିଲେ। ବୃଦ୍ଧଙ୍କ ଏଭଳି ନିଷ୍ପତ୍ତି ଏବେ ସ୍ଥାନୀୟ ଅଞ୍ଚଳ ସହ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।