ପଶ୍ଚିମ ଓଡିଶାର ଯୁବ ନେତ୍ରୀ ଶଙ୍ଖ ଛାଡି ଖୁବଶୀଘ୍ର ପଦ୍ମ ଧରିବା ନେଇ ଚର୍ଚ୍ଚା

ଭୁବନେଶ୍ବର ଲୋକସଭା ନିର୍ବାଚନରୁ ବାଦ ପଡିବା ପରେ ବିଜେଡି ଉପରେ କ୍ଷୁବ୍ଧ ପଶ୍ଚିମ ଓଡିଶାର ଯୁବନେତ୍ରୀ ଶ୍ରୀମୟୀ ଏବେ ପଦ୍ମ ମୁହାଁ ହେଉଥିବା ନେଇ ଚର୍ଚ୍ଚା। ସେ ଖୁବ ଶୀଘ୍ର ଶଙ୍ଖ ଛାଡି ପଦ୍ମ ଧରିବାକୁ ଯାଉଥିବା ବିଶେଷ ସୂତ୍ରରୁ ମିଳୁଛି ସୂଚନା। ଏହି ଚର୍ଚ୍ଚା ପରେ ଏବେ ପଦ୍ମ ଦଳରେ ହଲଚଲ। ଶ୍ରୀମୟୀଙ୍କ ପଦ୍ମ ପୋଖରୀରେ ଏଣ୍ଟ୍ରୀ ଦଳର ସମୀକରଣ ବଦଳାଇଦେବ ବୋଲି ସୃଷ୍ଟି କଲାଣି ଚାପା ଗୁଞ୍ଜରଣ। ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଅଧୀନର ୩ ବିଧାନସଭା ଆସନକୁ ବିଜେଡି ଗତ ନିର୍ବାଚନରେ ନିଜ ଅକ୍ତିଆରକୁ ନେବା ସତ୍ତ୍ବେ କିନ୍ତୁ ଲୋକସଭା ଆସନ ଛଡାଇ ନେଲେ ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ଅପରାଜିତା। ଯାହା ଦଳ ପାଇଁ ଅସହ୍ୟ ହୋଇଯାଇଥିଲା। ୨୦୧୯ରୁ ବିଜେଡି ଶ୍ରୀମୟୀଙ୍କୁ ପରବର୍ତ୍ତୀ ସାଂସଦ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରାଇ ଆସୁଥିଲା।

ଗତବର୍ଷ ଶେଷାର୍ଦ୍ଧରେ ସୁପ୍ରିମୋଙ୍କ ଘୋଷଣା ପୂର୍ବରୁ ଏକାମ୍ର ବିଧାୟକଙ୍କଠାରୁ ଆରମ୍ଭ କରି ବହୁ ନେତା ଶ୍ରୀମୟୀଙ୍କୁ ଭୁବନେଶ୍ବର ସାଂସଦ ପ୍ରାର୍ଥୀ କହିବୁଲିଲେ। ଏହା ପରଠାରୁ ଶ୍ରୀମୟୀ ମଧ୍ୟ ଖରା ତରାରେ ଭୁବନେଶ୍ବରର ଗଳି କନ୍ଦି ବୁଲି ଫୁଲ ଦମରେ ଜନାଦୃତ ହେବାକୁ ଚେଷ୍ଟା ଚଳାଇଥିଲେ। ହେଲେ ଶେଷ ସମୟରେ ଦଳ ତାଙ୍କୁ ସାଇଡ କରି କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଠିଆ କରାଇ ଦେଲା। ଯାହା ଶ୍ରାମୟୀଙ୍କ ସବୁ ସ୍ବପ୍ନକୁ ଛାରଖାର କରି ଦେଲା। ତେଣୁ କ୍ଷୁବ୍ଧ ଶ୍ରୀମୟୀ ଶଙ୍ଖ ଛାଡି ପଦ୍ମ ଧରିବେ ବୋଲି ତାଙ୍କ ସମର୍ଥକ ମହଲରୁ ସୂଚନା ମିଳୁଛି। ଏହି ଭିତିରି ଖବରକୁ ନେଇ ଆରମ୍ଭ ହୋଇଗଲାଣି ବହୁ ଆଶଙ୍କା। ଯଦି ଶ୍ରୀମୟୀ ବିଜେପିରେ ସାମିଲ ହୁଅନ୍ତୁ ଏହା ବିଜେପି ଶିବିରରେ ସୃଷ୍ଟି କରିବ ଅସ୍ଥିରତା । କାରଣ ଶ୍ରୀମୟୀ ଦୀର୍ଘ ୫ ବର୍ଷ ଧରି ଅପରାଜିତାଙ୍କୁ ଶାଣିତ ଆକ୍ରମଣ କରିଆସୁଥିଲେ।

ଉଭୟଙ୍କ ମଧ୍ୟରେ ତିକ୍ତତା ରାଜନୈତିକ ସ୍ତରରୁ ଖସି ବ୍ୟକ୍ତିଗତ ସ୍ତରକୁ ଚାଲିଆସିଛି। ଅବଶ୍ୟ ବିଜେପି ଅପରାଜିତାଙ୍କୁ ମୈଦାନକୁ ଓହ୍ଲାଇ ସାରିଛି, ହେଲେ ଉଭୟ ନେତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ପାଇଁ କେହି କାହାରିକୁ ସହ୍ୟ କରିପାରିବେ ନାହିଁ ବୋଲି କୁହାଯାଉଛି। ସେପଟେ, ବିଜେପି ତାର ବିଧାନସଭା ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଶ୍ରୀମୟୀ କୌଣସି ଆସନରୁ ଟିକେଟ ହାତେଇବେ ବୋଲି କୁହାଯାଉଥିବା ବେଳେ କେଉଁ ଆସନ ଦେବ ବିଜେପି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ବିଜେପିରୁ ପ୍ରିୟଦର୍ଶୀ ମିଶ୍ରଙ୍କ ଉତ୍ତର ଭୁବନେଶ୍ବର ଟିକେଟ ନିଶ୍ଚିତ ହୋଇ ସାରିଛି।

ମଧ୍ୟମ ବା ଏକାମ୍ରରୁ ଯଦି କୌଣସି ଟିକେଟ ଦିଆଯାଏ ତେବେ ସେଠାରେ ଦୀର୍ଘ ବର୍ଷ ଧରି କାମ କରୁଥିବା ଜଗନ୍ନାଥ ପ୍ରଧାନ ଓ ବାବୁ ସିଂହ ଯିବେ କୁଆଡେ? କଣ ସେମାନେ ଶ୍ରୀମୟୀଙ୍କୁ ଗ୍ରହଣ କରିପାରିବେ ? ଏମିତି ହେବନି ତ, ଶ୍ରୀମୟୀଙ୍କ ଏଣ୍ଟ୍ରୀ ପରେ ଅନେକ ପୁରୁଖା ବିଜେପି ନେତା ଅନ୍ୟଦଳ ମନା ହୋଇଯିବେନି ତ ? କି ଆଗାମୀ ନିର୍ବାଚନରେ ଦଳ ପାଇଁ ଅନ୍ତର୍ଘାତୀ ସାଜିବେ ନାହିଁ ଏହି ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।

Leave a Reply

Your email address will not be published. Required fields are marked *