ଏଫଆଇଆରରୁ ୫ ନାଁ ଉଡାଇବାକୁ ନେଇ ତାତିଲେ ଗ୍ରାମବାସୀ

ବେଆଇନ ମାଟି ଚାଲାଣ ବେଳେ ମାଟି ବୋଝେଇ ଟ୍ରାକ୍ଟର ଧକ୍କାରେ ଅଢେଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟଣାରେ ପୋଲିସର ଲାଭଖୋର ମନୋଭାବକୁ ନେଇ ଶତାଧିକ ଗ୍ରାମବାସୀ ଥାନା ସମ୍ମୁଖରେ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କରିଛନ୍ତି ଟାର୍ଗେଟ। ସେପଟେ ଘଟଣାକୁ ନେଇ ପୋଲିସର ରାୟ ନେବାକୁ ଚେଷ୍ଟା କରାଗଲେ ମଧ୍ୟ କୌଣସି ଉତ୍ତର ମିଳିନି ପୋଲିସର। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମହାଙ୍ଗା ବ୍ଲକ,ଭଦ୍ରେଶ୍ୱର ଥାନା ଝାଡେଶ୍ୱର୍ପୁର ଚିଙ୍ଗୁଡ଼ିଆମୁହଁ ଗ୍ରାମରେ। ଏହି ଗ୍ରାମ ନିକଟରେ ଏକ ପୋଲ କାମ ଚାଲିଛି। କାର୍ଯ୍ୟସ୍ଥଳରୁ ବାହାରୁଥିବା ମାଟିକୁ ସଂପୃକ୍ତ ଠିକା ସଂସ୍ଥାର କର୍ମଚାରୀମାନେ ବେଆଇନ ଭାବେ ଚୋରାରେ ଅନ୍ୟତ୍ର ଟ୍ରାକ୍ଟର ଯୋଗେ ବିକ୍ରି କରୁଛନ୍ତି। ଗାଁ ରାସ୍ତାରେ ଅହରହ ଟ୍ରାକ୍ଟରରେ ମାଟି ବୁହା ଚାଲିଛି।

ଦୁଇ ଦିନ ତଳେ ଗ୍ରାମର ପ୍ରଦୀପ୍ତ କୁମାର ବେହେରାଙ୍କ ଅଢେଇ ବର୍ଷର ସାନ ଶିଶୁ ପୁଅ ପୀୟୂଷ ରାସ୍ତା କଡ଼ରେ ଖେଳୁଥିବା ବେଳେ ଏକ ମାଟି ବୋଝେଇ ଟ୍ରାକ୍ଟର ତା ଉପରେ ଚଢ଼ି ଯାଇଥିଲା। ତାକୁ ଗୁରୁତର ଅବସ୍ଥାରେ ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭର ସମେତ ଠିକା ସଂସ୍ଥା କର୍ମଚାରୀ ଫେରାର ହୋଇଯାଇଥିଲେ। ଏହାକୁ ନେଇ ଗ୍ରାମବାସୀଙ୍କ ତରଫରୁ ଠିକାଦାରଙ୍କ ସମେତ ବହୁ ଲୋକଙ୍କ ନାମରେ ଥାନାରେ ଏତଲା ହୋଇଥିବା ବେଳେ ପୋଲିସ ଏଯାବତ୍ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ତା ଉପରେ ପୁଣି ଏଫଆଇଆରରୁ ଠିକାଦାର ସମେତ ୫ ଜଣଙ୍କ ନାଁ କାଟି ଦିଆଯାଇଛି।

ପୋଲିସର ଏପରି ଚଞ୍ଚକତା ଜଣାପଡିବା ପରେ ଗ୍ରାମବାସୀ ଥାନାରେ ପହଞ୍ଚି ଏନେଇ ପଚାରିବାକୁ ସେଠାରେ କାର୍ଯ୍ୟରତ ଜଣେ କନେଷ୍ଟବଳ ମୃତକଙ୍କ ବାପାଙ୍କୁ ଖରାପ ଭାଷା ରେ ଗାଳି ଗୁଲଜ କରିବା ସହିତ ତୁ କିଏ ଆସି ଥାନାରେ ପଚାରିବାକୁ ବୋଲି କହି ଥାନା ଭିତରକୁ ଯିବାକୁ ଦେଇନଥିଲେ। ଯାହାକୁ ନେଇ ବୁଧବାର ସଂଧ୍ୟାରେ ଶତାଧିକ ଗ୍ରାମବାସୀ ଏକାଠି ହେବା ସହ ଥାନା ସମ୍ମୁଖରେ ଟାୟାର ଜାଲି ବିରୋଧ ପ୍ରଦର୍ଶନ କରିଥିଲେ। ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏମିତି କି ରାଜ୍ୟ ସରକାର ଉପରେ ବର୍ଷିଥିଲେ ଗ୍ରାମବାସୀ।

ବହୁ ରାତି ପର୍ଯ୍ୟନ୍ତ ଗ୍ରାମବାସୀ ଅଭିଯୁକ୍ତଙ୍କ ଗିରଫଦାରୀ ଦାବି ସହ ଥାନା ଅଧିକାରୀଙ୍କ ଲାଞ୍ଚଖୋର ମନୋବୃତ୍ତି ପାଇଁ ବିକ୍ଷୋଭ, ନାରାବାଜି ଦେଇଥିବା ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ପ୍ରତିନିଧି ଥାନା ଅଧିକାରୀଙ୍କୁ ଏନେଇ ପ୍ରଶ୍ନ କରିବାରୁ ସେ କିଛି ଉତ୍ତର ନ ଦେଇ ସେଠାରୁ ଚାଲି ଯାଇଥିଲେ। ତେବେ ପରେ ଏସଡିପିଓ, ମାହାଙ୍ଗା ଆଇଆଇସି, ନିଶ୍ଚିନ୍ତକୋଇଲି ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଲୋକେ ଧାରଣାରୁ ଉଠିଥିଲେ। ଏବେ ଦେଖିବାକୁ ରହିଲା, ନିରୀହ ଶିଶୁପୁତ୍ରକୁ ହରାଇଥିବା ଶୋକସନ୍ତପ୍ତ ପରିବାରକୁ ପୋଲିସ ଉଚିତ ନ୍ୟାୟ ଦେଉଛି କି ନାହିଁ।

Leave a Reply

Your email address will not be published. Required fields are marked *