କେନ୍ଦ୍ରରେ ଓଡ଼ିଆଙ୍କ ଦବଦବା, ଆଉ ଜଣେ ଓଡ଼ିଆଙ୍କୁ ଗୁରୁଦାୟିତ୍ୱ

କେନ୍ଦ୍ରରେ ଆଉ ଜଣେ ଓଡ଼ିଆଙ୍କ କମାଲ । ବଡ଼ ପଦରେ ଡକ୍ଟର ଅଜିତ କୁମାର । ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ବା BARCର ନିର୍ଦ୍ଦେଶକ ଥିବା ଅଜିତଙ୍କୁ ଏବେ ପରମାଣୁ ଶକ୍ତି ବିଭାଗର ସଚିବ ତଥା ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ତାଙ୍କ ନିଯୁକ୍ତି ଉପରେ ମୋହର ଲଗାଇଛି କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ।

ସରକାରୀ ବିଜ୍ଞପ୍ତି ଅନୁସାରେ ୬୬ ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ ଡକ୍ଟର ଅଜିତ କୁମାର ମହାନ୍ତି । ୧୦ ଅକ୍ଟୋବର ୨୦୨୫ ଯାଏ ସେ ଏହି ଦାୟିତ୍ୱ ତୁଲାଇବେ । ୧୨ ମାର୍ଚ୍ଚ ୨୦୧୯ରେ ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ତ୍ରୟୋଦଶ ନିର୍ଦ୍ଦେଶକ ଭାବେ ସେ ନିଯୁକ୍ତି ପାଇଥିଲେ ।

୧୯୫୯ରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଡକ୍ଟର ମହାନ୍ତି, ୧୯୭୯ରେ ବରିପଡ଼ାସ୍ଥିତ ଏମପିସି କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଏବଂ ୧୯୮୧ରେ କଟକ ରେଭେନ୍ସା କଲେଜରୁ ସ୍ନାତକୋତ୍ତର ଶେଷ କରିଥିଲେ । ୧୯୮୩ରେ BARC ତାଲିମ୍ ବିଦ୍ୟାଳୟର 26ତମ ବ୍ୟାଚ୍ ସ୍ନାତକ କରିବା ପରେ ଆଣବିକ ପଦାର୍ଥ ବିଜ୍ଞାନ ବିଭାଗ BARCରେ ଯୋଗ ଦେଇଥିଲେ । ଡକ୍ଟର ଅଜିତ କୁମାର ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ ।

ପୂର୍ବରୁ ଡକ୍ଟର ମହାନ୍ତି ଅନେକ ସମ୍ମାନଜନକ ପଦବୀରେ ଅବସ୍ଥାପିତ ହୋଇଥିଲେ । ସେ ଇଣ୍ଡିଆନ୍ ଫିଜିକ୍ସ ଆସୋସିଏସନର ସାଧାରଣ ସଚିବ ଏବଂ ପରେ ଏହାର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସେ ଦୁଇଥର CERN ସାଇଣ୍ଟିଫିକ୍ ଆସୋସିଏଟ୍ ହୋଇଛନ୍ତି ।

ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିବିଶେଷ ଜାତୀୟସ୍ତରରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନିଯୁକ୍ତି ପାଇଛନ୍ତି । ୨୦୧୮ରେ ଶକ୍ତିକାନ୍ତ ଦାସଙ୍କୁ RBI ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା । ସେହିଭଳି ସାଇକ୍ଲୋଥନ୍ ମ୍ୟାନ୍ ଭାବେ ପରିଚିତ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ IMD DG ଭାବେ ନିଯୁକ୍ତି ଦିଆଯାଇଛି । ଏବେ ଅଜିତ କୁମାରଙ୍କୁ ନିଯୁକ୍ତି ମିଳିବା ପରେ କେନ୍ଦ୍ରରେ ଓଡ଼ିଆଙ୍କ ଦବଦବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *