ବିରୋଧୀଙ୍କ ଜାଗା ନେବାକୁଆପର ରଣନୀତି

ରାଜ୍ୟରେ ଶାସକ ଦଳ ଓ ପ୍ରମୁଖ ବିରୋଧୀ ଦଳ କରିବେ ମେଣ୍ଟ। ଏହାକୁ ନେଇ ବିଜେଡି ଓ ବିଜେପି ପକ୍ଷରୁ ମିଳିସାରିଛି ସଙ୍କେତ। ହେଲେ ମେଣ୍ଟକୁ ନେଇ ହୋଇନି ବିଧିବଦ୍ଧ ଘୋଷଣା। ଉଭୟ ଦଳର ବରିଷ୍ଠ ବିକାଶକୁ କରୁଛନ୍ତି ଆଳ। ବିଜେଡି ରାଜ୍ୟର ବିକାଶ ପାଇଁ ମେଣ୍ଟ କରିବାକୁ ଯାଉଥିବା କହିଥିବା ବେଳେ ବିଜେପି କହୁଛି, ଆଞ୍ଚଳିକ ଦଳ ହୋଇଥିବାରୁ ଦେଶ ତଥା ରାଜ୍ୟର ବିକାଶ ପାଇଁ ମେଣ୍ଟର ଆବଶ୍ୟକତା ରହିଛି।

ଯାହାକୁ ନେଇ ରାଜ୍ୟବାସୀ ଜଳକା। କିଛି ଦିନ ଆଗରୁ ଗଣମାଧ୍ୟମ ଆଗରେ ପରସ୍ପରର ଗୋହି ଖୋଳୁଥିବା ଦୁଇ ଦଳ ମେଳି କଲେ ରାଜ୍ୟବାସୀଙ୍କ ହେବ କଣ? ଏହି ମେଣ୍ଟ ଚର୍ଚ୍ଚାରେ ଉଭୟ ବିଜେଡି ଓ ବିଜେପି ସମର୍ଥକଙ୍କୁ ମିଳିଛି ଜୋରଦାର ଝଟକା। ରାଜନୀତିକୁ ଧାର ଧରୁ ନ ଥିବା ଲୋକେ କରିବେ କଣ? କାରଣ ରାଜ୍ୟରେ ୩ଟି ଦଳ କାମ କରୁଛି। ଯଦି ବିଜେଡି ଓ ବିଜେପି ଏକାଠି ହୋଇ ଯାଆନ୍ତି ତେବେ ଏକା ରହିବ କଂଗ୍ରେସ। ହେଲେ କଂଗ୍ରେସକୁ ଭରସା କରି ପାରୁନାହାନ୍ତି ରାଜ୍ୟବାସୀ। କାରଣ ପ୍ରଥମତଃ ଦଳର ନେତୃତ୍ବ ଦୁର୍ବଳ।

ଅନ୍ୟପଟେ ରାଜ୍ୟ ତଥା ରାଜ୍ୟବାସୀଙ୍କ ବିଭିନ୍ନ ସମସ୍ୟାକୁ ଅଣଦେଖା କରି ପିଲା ଖେଳରେ ମାତିଛି କଂଗ୍ରେସ। ବିଜେପି ଓ ବିଜେଡି ଭିତରେ ଥିବା ଗୁପ୍ତ ସମ୍ପର୍କକୁ ନେଇ ଉଭୟଙ୍କ ବାହାଘର କଲା। ଅବଶ୍ୟ ଏହାକୁ ଲୋକେ କିଛି ଅଂଶରେ ଗ୍ରହଣ କରିଥିଲେ। ହେଲେ କଂଗ୍ରେସ ଏଥିରେ ଏମିତି ଉତ୍ସାହିତ ହେଇପଡିଛି କି ପିଲାଙ୍କ ପରି ପର୍ଯ୍ଯାୟକ୍ରମେ ଉଭୟ ଦଳ ମଧ୍ୟରେ ମଧୁଚନ୍ଦ୍ରିକା, ଅଶ୍ବିନୀ ବୈଷ୍ଣବଙ୍କ ସମର୍ଥନକୁ ସନ୍ତାନ ପ୍ରସବ ଓ ଏବେ ମେଣ୍ଟକୁ ଅନ୍ନପ୍ରସନ୍ନର ରୂପ ଦେବାକୁ ଯାଉଛି।

ଠିକ ଏହି ସମୟରେ ରାଜ୍ୟରେ ବିରୋଧୀର ସ୍ଥାନ ନେବାକୁ ଆମ ଆଦମୀ ପାର୍ଟି ହୋଇଉଠିଛି ଆକ୍ଟିଭ। ଆଜି ଏଥିପାଇଁ ଆପର ରାଜ୍ୟ ପ୍ରଭାରୀ ସୌରଭ ଭରଦ୍ବାଜଙ୍କ ଭୁବନେଶ୍ବରରେ ହୋଇଛି ଆବର୍ଭାବ। ମଧ୍ୟାହ୍ନରେ ଭୁବନେଶ୍ବର ଏୟାରପୋର୍ଟରେ ଅବତରଣ କରିବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟରେ ମୁଖ୍ୟ ବିରୋଧୀ ଓ ଶାସକ ଦଳ ମଧ୍ୟରେ ମେଣ୍ଟ ରାଜ୍ୟବାସୀଙ୍କୁ ହତାଶ କରିଛି। ତେଣୁ ଏହାକୁ ନେଇ ଦଳ ପରବର୍ତ୍ତୀ ପଦକ୍ଷେପ ନେବ

ଏପରି ସମୟରେ ଯଦି କଂଗ୍ରେସ ନେତୃତ୍ବ ସ୍ଥିତିର ଗୁରୁତ୍ବ ବୁଝି ଉପଯୁକ୍ତ ନେତୃତ୍ବ ନ ନିଆନ୍ତି ତେବେ ବିଧାନସଭା ଓ ଲୋକସଭାରେ ସତ୍ତା ହରାଇବସିବ ଦଳ। ଯାହାର ଭରପୂର ଫାଇଦା ନେବ ଆପ।

Leave a Reply

Your email address will not be published. Required fields are marked *