Stock Market : ଆମେରିକାରେ ଟ୍ରମ୍ପଙ୍କ ରାଜନୈତିକ କ୍ଷତି, ଭାରତୀୟ ସେୟାର ବଜାରରେ ନିବେଶକଙ୍କ ଉତ୍ସାହ ଦ୍ୱିଗୁଣିତ!

ଆମେରିକାରେ ଟ୍ରମ୍ପଙ୍କୁ ଝଟକା, ଭାରତରେ ସେୟାର ବଜାରରେ ଧମାକା। ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିକୁ ବଡ଼ ଝଟକା ଲାଗିବା ପରେ ଭାରତୀୟ ସେୟାର ବଜାରରେ ଦେଖିବାକୁ ମିଳିଛି ଜବରଦସ୍ତ ଉତ୍ସାହ। ଗୁରୁବାର ସକାଳେ କାରବାର ଆରମ୍ଭ ହେବା ମାତ୍ରେ ହୁ ହୁ ହୋଇ ବଢ଼ିଛି ସେନସେକ୍ସ ଓ ନିଫ୍ଟି।

ମୁମ୍ବାଇ ଷ୍ଟକ୍ ଏକ୍ସଚେଞ୍ଜର ୩୦ ସେୟାର ବିଶିଷ୍ଟ ସେନସେକ୍ସ ୧୬୮୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିବା ବେଳେ ନିଫ୍ଟିରେ ମଧ୍ୟ ବଡ଼ ଉତ୍ଥାନ ଦେଖିବାକୁ ମିଳିଛି। ଏହି ବୃଦ୍ଧି ଫଳରେ ନିବେଶକଙ୍କ ସମ୍ପତ୍ତିର ବଜାର ମୂଲ୍ୟରେ ପ୍ରାୟ ୮ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଥିବା ରିପୋର୍ଟ ହୋଇଛି।

କିନ୍ତୁ ପ୍ରଶ୍ନ ଉଠୁଛି, ଆମେରିକାରେ ଟ୍ରମ୍ପଙ୍କ ଦଳର ପରାଜୟ ପରେ ଭାରତୀୟ ସେୟାର ବଜାର କାହିଁକି ଏତେ ଉପରକୁ ଉଠିଲା?

ଏହା ପଛରେ ରହିଛି ଏକାଧିକ ବଡ଼ କାରଣ। ପ୍ରଥମତଃ, ଆମେରିକା ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ବିଜୟ ପରେ ଇରାନ ଯୁଦ୍ଧକୁ ନେଇ ଉତ୍ତେଜନା କମିବାର ଆଶା ସୃଷ୍ଟି ହୋଇଛି। ଦ୍ୱିତୀୟତଃ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ଯାହା ଭାରତ ଭଳି ତୈଳ ଆମଦାନୀକାରୀ ଦେଶ ପାଇଁ ଏକ ସକାରାତ୍ମକ ସଙ୍କେତ।

ଏହା ସହିତ ବିଦେଶୀ ନିବେଶକମାନେ ପୁଣି ଭାରତୀୟ ବଜାରରେ ପୁଞ୍ଜି ନିବେଶ କରିବା ଆରମ୍ଭ କରିଛନ୍ତି। ବ୍ୟାଙ୍କିଙ୍ଗ୍, ଅଟୋମୋବାଇଲ୍ ଓ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରର ସେୟାରରେ କ୍ରୟ ବୃଦ୍ଧି ପାଇଛି।

ଅନ୍ୟପଟେ ଆମେରିକାର ସେୟାର ବଜାରରେ ମଧ୍ୟ ଜୋରଦାର ଉତ୍ଥାନ ଘଟିଛି। ଏହାର ସକାରାତ୍ମକ ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଛି।

ତେବେ ଏହି ଉତ୍ଥାନ ଆଗାମୀ ଦିନରେ କେତେଦିନ ଜାରି ରହିବ, ତାହା ଅନ୍ତର୍ଜାତୀୟ ପରିସ୍ଥିତି ଓ ନିବେଶକଙ୍କ ଆଭିମୁଖ୍ୟ ଉପରେ ନିର୍ଭର କରିବ।