ତେହେଲକା ସୃଷ୍ଟି କରିଛି ସତ୍ୟପାଳଙ୍କ ବୟାନ

ପୁଲୱାମା ଆକ୍ରମଣ ଘଟଣା ସୁରକ୍ଷାଗତ ତ୍ରୁଟି ପାଇଁ ହୋଇଥିଲା। ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ଏପରି ବୟାନ ପରେ ତେଜିଛି ରାଜନୀତି। ନିକଟରେ ସତ୍ୟପାଳ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ କି, ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ପାଇଁ 2019ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 40 ସୁରକ୍ଷା କର୍ମୀଙ୍କ ପ୍ରାଣହାନୀ ଘଟିଥିଲା। ପାରାମିଲିଟାରୀ ଫୋର୍ସ ଦ୍ୱାରା ସେତେବେଳେ ପରିବହନ ପାଇଁ ଏକ ବିମାନର ଦାବି ହୋଇଥିଲା, କିନ୍ତୁ ଏହାକୁ ସରକାର ମନାକରିଦେଇଥିଲା। ଯେଉଁଥି ପାଇଁ ଯବାନଙ୍କୁ ସଡକ ପଥରେ ଯିବାକୁ ହୋଇଥିଲା। ସାକ୍ଷାତକାରରେ ସତ୍ୟପାଳ କହିଥିଲେ କି, ପ୍ରଧାନମନ୍ତ୍ରୀଙ୍କୁ ଜମ୍ମୁ କାଶ୍ମୀର କ୍ଷେତ୍ର ସମ୍ପର୍କରେ ଭୁଲ ତଥ୍ୟ ପ୍ରଦାନ କରାଯାଇଥିଲା।

ସତ୍ୟପାଳଙ୍କ ଏପରି ବୟାନ ପରେ ବିଜେପି ଆଇଟି ସେଲ ଆକ୍ଟିଭ ହୋଇଯାଇଛି। ପୂର୍ବରୁ ସତ୍ୟପାଳଙ୍କ ଦ୍ୱାରା ସରକାରକୁ ବିଭିନ୍ନ ସମୟରେ ପ୍ରଶଂସା କରିବାର ଭିଡିଓ ସେୟାର କରାଯାଇଛି। ବିଜେପିର ଆଇଟି ମୁଖ୍ୟ ଅମିତ ମାଲଭିୟାଙ୍କ ଦ୍ୱାରା ଭିଡିଓ ସେୟାର କରାଯାଇଥିବା ବେଳେ ଏମିତି ଏକ ଭିଡିଓ ମଧ୍ୟ ଅଛି, ଯେଉଁଥିରେ ସତ୍ୟପାଳ କହିଥିଲେ, ରାଜନୀତିରେ ରାହୁଲ ଗାନ୍ଧୀ ଅପରିପକ୍ୱ।  ଏଥିସହ, ମୋଦି ସରକାର ଦ୍ୱାରା ଜମ୍ମୁ କାଶ୍ମୀରରୁ ଉଚ୍ଛେଦ କରାଯାଇଥିବା ଧାରା 370 କୁ ରାହୁଲ ଯଦି ସମର୍ଥନ କରିଥିବା କୁହନ୍ତି ତେବେ ତାଙ୍କୁ ଲୋକେ ଚପଲରେ ପିଟିବେ।

ମାଲଭିୟା ଟ୍ୱିଟ କରି ଆହୁରି କହିଛନ୍ତି କି, ସତ୍ୟପାଳ ସରକାର ଉପରେ ନେଇଥିବା ୟୁ-ଟର୍ନକୁ ଲୋକେ ଗମ୍ଭୀରତାର ସହ ନେଉ ନାହାନ୍ତି। ହେଲେ ତାଙ୍କର ଏପରି ବୟାନ ତାଙ୍କ ବିରୋଧାଚରଣ କରୁଛି ଓ ତାଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଚି କରୁଛି।

ଅନ୍ୟପଟେ ସତ୍ୟପାଳଙ୍କ ପୁଲୱାମା ବୟାନକୁ ନେଇ କଂଗ୍ରେସ ଉଭୟ ସତ୍ୟପାଳ ଓ ସରକାରକୁ ଘେରିଛି। ପୁଲୱାମା ଘଟଣା ସମୟରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର କୋର୍ବେଟ ନାସନାଲ ପାର୍କରେ ଡକ୍ୟୁମେଣ୍ଟାରୀ ସୁଟ କରୁଥିଲେ ଓ ପୁଲବାମା ଘଟଣାକୁ ଜାଣି ମଧ୍ୟ ଅଣଦେଖା କରିଥିଲେ। ସେହି ସମୟରେ ମୋଦିଙ୍କ କାର୍ଯ୍ୟକଳାପ ଓ ଫୋନ ଡିଟେଲ୍ସର ଯାଞ୍ଚ କରିବାକୁ କଂଗ୍ରେସ କହିଛି।  

Leave a Reply

Your email address will not be published. Required fields are marked *