Blog

  • କୁସ୍ତି ମହାସଂଘ ସଭାପତି ବିରୋଧରେ ନାରା, କଠୋର ଶାସ୍ତି ଦେବାକୁ ଦାବି

    କୁସ୍ତି ମହାସଂଘ ସଭାପତି ବିରୋଧରେ ନାରା, କଠୋର ଶାସ୍ତି ଦେବାକୁ ଦାବି

    ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ଶୋଷଣ ଅଭିଯୋଗ ପରେ ଜୋରଦାର ପ୍ରତିବାଦ ହୋଇଛି । ରାଜଧାନୀ ଦିଲ୍ଲୀରେ ଚାଲିଥିବା କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଛି ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ । କେନ୍ଦୁଝର ଜିଲ୍ଲା ସାଙ୍ଗଠନିକ କମିଟି ପକ୍ଷରୁ ଗାନ୍ଧି ଛକରେ ସମ୍ପାଦିକା ସଂଯୁକ୍ତା ସାମଲ ଓ ସଭାପତି କୁମୁନ୍ଦିନୀ ମାହାନ୍ତଙ୍କ ନେତୃତ୍ବରେ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

    ଭାରତୀୟ କୁସ୍ତି ଫେଡେରେସନ WFIର ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂ ମହିଳା କୁସ୍ତିଯୋଦ୍ଧାମାନଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ଗତ ଜାନୁଆରୀରେ ଆନ୍ଦୋଳନ ହୋଇଥିଲା । ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଗତ ୨୧ ତାରିଖରୁ ପୁନର୍ବାର ମହିଳା କୁସ୍ତିଯୋଦ୍ଧାମାନେ ଜନ୍ତରମନ୍ତର ଠାରେ ଧାରଣା ଦେଇଛନ୍ତି । ସେମାନଙ୍କ ସମର୍ଥନରେ ବାହାରିଛନ୍ତି ବହୁ କୁସ୍ତିଯୋଦ୍ଧା,କ୍ରୀଡ଼ାବିତ୍,ବିଭିନ୍ନ ସଙ୍ଗଠନ,ବୁଦ୍ଧିଜୀବୀ ଏବଂ ମହିଳା ସଙ୍ଗଠନ । ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ,ଦିଲ୍ଲୀ ୟୁନିଟ୍ ମଧ୍ୟ ସେମାନଙ୍କ ସାଥ୍ ଦେଇଛି ।

    ଆଜି ଦେଶର କୌଣସି ସ୍ଥାନରେ ବି ମହିଳା ସୁରକ୍ଷିତ ନୁହଁନ୍ତି । ଶିଶୁ ଠାରୁ ବୃଦ୍ଧା ଯାଏ ଯୌନ ଶୋଷଣର ଶିକାର ହେଉଛନ୍ତି । ଅଲିମ୍ପିକ୍ସ ପଦ ବିଜେତା ତଥା ଦେଶପାଇଁ ଗୌରବ ଆଣୁଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି
    ଏଭଳି ବ୍ୟବହାର ନେଇ ପ୍ରଶ୍ନ ଉଠିଛି । କୁସ୍ତି ଫେଡେରେସନ ସଭାପତିଙ୍କ ବହିଷ୍କାର ସହ ତୁରନ୍ତ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

  • କେନ୍ଦ୍ରରେ ଓଡ଼ିଆଙ୍କ ଦବଦବା, ଆଉ ଜଣେ ଓଡ଼ିଆଙ୍କୁ ଗୁରୁଦାୟିତ୍ୱ

    କେନ୍ଦ୍ରରେ ଓଡ଼ିଆଙ୍କ ଦବଦବା, ଆଉ ଜଣେ ଓଡ଼ିଆଙ୍କୁ ଗୁରୁଦାୟିତ୍ୱ

    କେନ୍ଦ୍ରରେ ଆଉ ଜଣେ ଓଡ଼ିଆଙ୍କ କମାଲ । ବଡ଼ ପଦରେ ଡକ୍ଟର ଅଜିତ କୁମାର । ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ବା BARCର ନିର୍ଦ୍ଦେଶକ ଥିବା ଅଜିତଙ୍କୁ ଏବେ ପରମାଣୁ ଶକ୍ତି ବିଭାଗର ସଚିବ ତଥା ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ତାଙ୍କ ନିଯୁକ୍ତି ଉପରେ ମୋହର ଲଗାଇଛି କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ।

    ସରକାରୀ ବିଜ୍ଞପ୍ତି ଅନୁସାରେ ୬୬ ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ ଡକ୍ଟର ଅଜିତ କୁମାର ମହାନ୍ତି । ୧୦ ଅକ୍ଟୋବର ୨୦୨୫ ଯାଏ ସେ ଏହି ଦାୟିତ୍ୱ ତୁଲାଇବେ । ୧୨ ମାର୍ଚ୍ଚ ୨୦୧୯ରେ ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ତ୍ରୟୋଦଶ ନିର୍ଦ୍ଦେଶକ ଭାବେ ସେ ନିଯୁକ୍ତି ପାଇଥିଲେ ।

    ୧୯୫୯ରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଡକ୍ଟର ମହାନ୍ତି, ୧୯୭୯ରେ ବରିପଡ଼ାସ୍ଥିତ ଏମପିସି କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଏବଂ ୧୯୮୧ରେ କଟକ ରେଭେନ୍ସା କଲେଜରୁ ସ୍ନାତକୋତ୍ତର ଶେଷ କରିଥିଲେ । ୧୯୮୩ରେ BARC ତାଲିମ୍ ବିଦ୍ୟାଳୟର 26ତମ ବ୍ୟାଚ୍ ସ୍ନାତକ କରିବା ପରେ ଆଣବିକ ପଦାର୍ଥ ବିଜ୍ଞାନ ବିଭାଗ BARCରେ ଯୋଗ ଦେଇଥିଲେ । ଡକ୍ଟର ଅଜିତ କୁମାର ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ ।

    ପୂର୍ବରୁ ଡକ୍ଟର ମହାନ୍ତି ଅନେକ ସମ୍ମାନଜନକ ପଦବୀରେ ଅବସ୍ଥାପିତ ହୋଇଥିଲେ । ସେ ଇଣ୍ଡିଆନ୍ ଫିଜିକ୍ସ ଆସୋସିଏସନର ସାଧାରଣ ସଚିବ ଏବଂ ପରେ ଏହାର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସେ ଦୁଇଥର CERN ସାଇଣ୍ଟିଫିକ୍ ଆସୋସିଏଟ୍ ହୋଇଛନ୍ତି ।

    ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିବିଶେଷ ଜାତୀୟସ୍ତରରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନିଯୁକ୍ତି ପାଇଛନ୍ତି । ୨୦୧୮ରେ ଶକ୍ତିକାନ୍ତ ଦାସଙ୍କୁ RBI ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା । ସେହିଭଳି ସାଇକ୍ଲୋଥନ୍ ମ୍ୟାନ୍ ଭାବେ ପରିଚିତ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ IMD DG ଭାବେ ନିଯୁକ୍ତି ଦିଆଯାଇଛି । ଏବେ ଅଜିତ କୁମାରଙ୍କୁ ନିଯୁକ୍ତି ମିଳିବା ପରେ କେନ୍ଦ୍ରରେ ଓଡ଼ିଆଙ୍କ ଦବଦବା ଦେଖିବାକୁ ମିଳିଛି ।

  • ଧାନ ଜଗିଥିଲେ ଚାଷୀ, କଚାଡ଼ି ଦଳିଦେଲା ଦନ୍ତା

    ଧାନ ଜଗିଥିଲେ ଚାଷୀ, କଚାଡ଼ି ଦଳିଦେଲା ଦନ୍ତା

    ହାତୀ ଓ ମଣିଷ ଲଢ଼େଇରେ କାହାର କେତେବେଳେ ଜୀବନ ଯାଉଛି । ଶିକାରୀମାନେ ହାତୀ ଶିକାର କରିବା ପାଇଁ ସୁଯୋଗ ଖୋଜୁଥିବା ବେଳେ ହାତୀ ଖୁଲମଖୁଲା ଧନସମ୍ପତ୍ତି ନଷ୍ଟ କରିବା ସହ ଲୋକଙ୍କ ଜୀବନ ନେଉଛି । ଢେଙ୍କାନାଳ ସଦର ରେଞ୍ଜ କୁରୁମ ଟାଙ୍ଗର ଗାଁରେ ଆଜି ଭୋରୁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

    ହାତୀ ଆକ୍ରମଣରେ ଆଉ ଏକ ଜୀବନ ଯାଇଛି । ମୃତକଙ୍କ ନାଁ ଶ୍ରୀକାନ୍ତ ପରିଡ଼ା । ଗାଁ ନିକଟ ଜମିରେ ଧାନ ଚାଷ କରିଥିଲେ । ରାତିରେ ସେ ଧାନ ଜଗିବା ପାଇଁ ଯାଇଥିଲେ । ଚାଷ ଜମି ନିକଟ ପୋଖରୀ କୂଳରେ ଥିବା ମଣ୍ଡପରେ ସେ ଶୋଇଥିଲେ । ପୋଖରୀକୁ ପାଣି ପିଇବାକୁ ଆସିଥିବା ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା । ଶ୍ରୀକାନ୍ତଙ୍କୁ କଚାଡ଼ି ଦଳି ଦେଇଥିଲା ହାତୀ । ଖବରପାଇ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାର ତଦନ୍ତ ଜାରି ରଖିଛନ୍ତି ଅଧିକାରୀ । ଗତକାଲି ଅନୁଗୁଳ ମରଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

  • IPLରେ ଆଜି ଡବଲ ମୁକାବିଲା, କମବ୍ୟାକ୍ ପାଇଁ ମୁମ୍ବାଇର ଲକ୍ଷ୍ୟ

    IPLରେ ଆଜି ଡବଲ ମୁକାବିଲା, କମବ୍ୟାକ୍ ପାଇଁ ମୁମ୍ବାଇର ଲକ୍ଷ୍ୟ

    IPLରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ଅପରାହ୍ଣ ସାଢ଼େ ୩ଟାରେ ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ମୁକାବିଲା ହେବ । ସେହିପରି ସନ୍ଧ୍ୟା ସାଢ଼େ ୭ଟାରେ ମୁମ୍ବାଇ ଓ ରାଜସ୍ଥାନ ମୁହାଁମୁହିଁ ହେବେ ।

    ଚେନ୍ନାଇ ୮ଟି ମ୍ୟାଚରୁ ୫ଟିରେ ବିଜୟୀ ହୋଇ ପ୍ଲେ ଅଫ୍ ଯିବା ପାଇଁ ଉଦ୍ୟମ ଜାରି ରଖିଛି । ଖେଳାଳିମାନେ ପୁରା ଫର୍ମରେ ଥିବାବେଳେ ପ୍ରତି ଡିପାର୍ଟମେଣ୍ଟରେ ପ୍ରଦର୍ଶନ ବି ପ୍ରଶଂସନୀୟ ରହିଛି । ତେଣୁ ଆଜିର ମ୍ୟାଚ୍ ଜିତିବାକୁ ଜୋରଦାର ଉଦ୍ୟମ କରିବ ଧୋନି ବାହିନୀ । ସେପଟେ, ପଞ୍ଜାବ ୪ଟି ମ୍ୟାଚ୍ ଜିତିଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ଅଧିନାୟକ ଧାୱନ ୟଙ୍ଗଷ୍ଟାରମାନଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବେ । ଚେନ୍ନାଇ ବିପକ୍ଷରେ ଉନ୍ନତ ପ୍ରଦର୍ଶନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ମୈଦାନରେ ଲଢ଼ି ବିଜୟୀ ହେବାକୁ ସବୁ ଖେଳାଳି ତୟାର ଅଛନ୍ତି ।

    ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଓ ରାଜସ୍ଥାନ ମୁହାଁମୁହିଁ ହେବେ । ରାଜସ୍ଥାନ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ଦମଦାର ପ୍ରଦର୍ଶନ କରୁଛନ୍ତି ଖେଳାଳି । ତେଣୁ ଆଜିର ମ୍ୟାଚରେ ମଧ୍ୟ କମାଲ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ । ସେପଟେ, ଚଳିତଥର ମୁମ୍ବାଇର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ୬ ପଏଣ୍ଟ ସହ ନବମ ସ୍ଥାନରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ଫ୍ଲପ୍ ସୋ’ଜାରି ରଖିଛି ଦଳ । ଆଜି ରାଜସ୍ଥାନ ବିପକ୍ଷରେ ଭଲ ପ୍ରଦର୍ଶନ ସହ ଜିତିବାକୁ ପ୍ରୟାସ କରିବ ରୋହିତ ଆଣ୍ଡ କୋ ।