Blog

  • ବୁଡା ଜାହାଜରୁ ୨୫୦୦ କିଲୋଗ୍ରାମ ମେଥାମଫେଟାମାଇନ୍ ଡ୍ରଗ୍ସ ଜବତ

    ବୁଡା ଜାହାଜରୁ ୨୫୦୦ କିଲୋଗ୍ରାମ ମେଥାମଫେଟାମାଇନ୍ ଡ୍ରଗ୍ସ ଜବତ

    ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ମିଳିତ ଅପରେସନରେ କେରଳ ଉପକୂଳବର୍ତ୍ତୀ ଏକ ଜାହାଜରୁ ପ୍ରାୟ ୨୫୦୦ କିଲୋଗ୍ରାମ ମେଥାମଫେଟାମାଇନ୍ ଡ୍ରଗ୍ସ ଜବତ କରାଯାଇଛି। ଜବତ ଡ୍ରଗ୍ସର ଆନୁମାନିକ ମୂଲ୍ୟ ୧୨୦୦୦ କୋଟି ଟଙ୍କା ହେବ।  ଆଣ୍ଟି ଡ୍ରଗ୍ ଏଜେନ୍ସି ସୂଚନା ଦେଇଛି ଯେ ୧୩ ମଇ ଅର୍ଥାତ୍ ଶନିବାର ଦିନ ଦେଶରେ ସବୁଠାରୁ ବଡ ମେଥାମଫେଟାମାଇନ୍  ଜବତ। ଏହା ସହିତ ଆହୁରି ସୂଚନା ଦିଆଯାଇଛି କି,  ଡ୍ରଗ୍ସ  ସଂପର୍କରେ ଜଣେ ପାକିସ୍ତାନୀ ନାଗରିକଙ୍କୁ ଅଟକ ରଖାଯାଇଛି। ଏତେ ପରିମାଣର ମେଥାମପେଟାମାଇନ୍ ସହ ପାକିସ୍ତାନର ଲିଙ୍କ ଥିବା ସନ୍ଦେହ କରାଯାଇଛି।

    ଜବତ ଉଚ୍ଛେଦ ସମ୍ପର୍କରେ ଏନସିବି ଅପରେସନ୍ ବିଭାଗର ଡେପୁଟି ଡାଇରେକ୍ଟର ଜେନେରାଲ ସଞ୍ଜୟ କୁମାର ସିଂ କହିଛନ୍ତି ଯେ ଏହା ‘ଅପରେସନ୍ ସମୁଦ୍ରଗୁପ୍ତ’ ର ଏକ ଅଂଶ | ମୁଖ୍ୟତଃ ସମୁଦ୍ର ପଥ ଦେଇ ଆଫଗାନିସ୍ତାନରୁ ଆସୁଥିବା ଔଷଧ ଏବଂ ଡ୍ରଗ୍ସର ଚୋରା ଚାଲାଣକୁ ରୋକିବାକୁ ଅପରେସନ ସମୁଦ୍ରଗୁପ୍ତର ଆରମ୍ଭ କରାଯାଇଛି। ଡ୍ରଗ୍ସ ବିରୋଧୀ ଏଜେନ୍ସି କହିଛି କି, ଏନସିବି ଦ୍ୱାରା ଗତ ଦେଢ଼ବର୍ଷ ମଧ୍ୟରେ ଦକ୍ଷିଣ ମାର୍ଗ ଦେଇ ହେଉଥିବା ଡ୍ରଗ୍ କାରବାରର ଏହା ହେଉଛି ତୃତୀୟ ପ୍ରମୁଖ ଜବତ । ଏହି ଅପରେସନ ଅଧୀନରେ ଏପର୍ଯ୍ୟନ୍ତ ପ୍ରାୟ ୩୨୦୦ କିଲୋଗ୍ରାମ ମିଥାମଫେଟାମାଇନ୍, ୫୦୦ କିଲୋଗ୍ରାମ ହେରୋଇନ୍ ଏବଂ ୫୨୯ କିଲୋଗ୍ରାମ ହାଶିଶ ଜବତ କରାଯାଇଛି।

  • ‘ଆମକୁ ବଞ୍ଚିବା ପାଇଁ ଟଙ୍କିକିଆ ଚାଉଳ ନଦେଲେ ନଦିଅନ୍ତୁ’

    ‘ଆମକୁ ବଞ୍ଚିବା ପାଇଁ ଟଙ୍କିକିଆ ଚାଉଳ ନଦେଲେ ନଦିଅନ୍ତୁ’

    ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ମଣିଷର ମୌଳିକ ଆବଶ୍ୟକତା l ଆଉ ଏହି ଆବଶ୍ୟକତାକୁ ପୂରଣ କରିବା ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇଆସୁଛନ୍ତି l ବିଶେଷକରି କେହି ଯେମିତି ଭୋକିଲା ରହିବେ ନାହିଁ ସେଥିପାଇଁ ଗରିବମାନଙ୍କ ପାଇଁ ମାଗଣା ଚାଉଳ ବ୍ୟବସ୍ଥା କରାଯାଇଛି  l କିନ୍ତୁ ଯେଉଁ ଚାଉଳ ଯୋଗାଯାଉଛି ତାର ମାନକୁ ନେଇ ଉଠିଛି ପ୍ରଶ୍ନବାଚୀ। ଯୋଗାଣ ବିଭାଗରୁ ଯୋଗାଯାଉଥିବା ଚାଉଳ ପ୍ଲାଷ୍ଟିକ ଥିବା ଅଭିଯୋଗ ସହ ହିତାଧିକାରୀ ଚାଉଳ ରୋଷେଇ ନ କରି ଫୋପଡି ଦେଉଥିବା ଆଭିଯୋଗ କରୁଛନ୍ତି। ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ l

    ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପିତାମ୍ବରପୁର ପଞ୍ଚାୟତ ଅନ୍ତର୍ଗତ ସରଧାପୁର ଗ୍ରାମର ହିତାଧିକାରୀଙ୍କୁ ଦିଆଯାଇଥିବା ଚାଉଳରେ ପ୍ଲାଷ୍ଟିକ ଚାଉଳ ମିଶିଥିବା ନେଇ ହେଉଛି ଅଭିଯୋଗ। ଏନେଇ ଚିନ୍ତାରେ ଗରିବ ହିତାଧିକାରୀ l ହିତାଧିକାରୀ କହୁଛନ୍ତି, ପଛେ ଟଙ୍କାଟାରେ ଚାଉଳ ନ ଦେବ ନାଇଁ, ହେଲେ ମରିବା ପାଇଁ ପ୍ଲାଷ୍ଟିକ ଚାଉଳ ଦିଅ ନାହିଁ। ଏମିତି ଅଭିଯୋଗ ଆସିବା ପରେ ଯେତେବେଳେ ଆମେ ଏହାର ସତ୍ୟାସତ୍ୟ ଜାଣିବାକୁ ଚାହିଁଲୁ, ପାଇଲୁ କି ହିତାଧିକାରୀଙ୍କୁ ବଣ୍ଟନ ହୋଇଥିବା ଚାଉଳରେ ଚାଉଳ ସଦୃଶ୍ୟ ପ୍ଲାଷ୍ଟିକ ମିଶିଛି। ତେଣୁ ହିତାଧିକାରୀ ରୋଗ ବ୍ୟାଧିର ଆଶଙ୍କାରେ ଚାଉଳକୁ ଫିଙ୍ଗିବାକୁ ଶ୍ରେୟ ମଣୁଛନ୍ତି। କାରଣ ବଜାରରୁ ଚାଉଳ କିଣିବାକୁ ଟଙ୍କା ନ ଥିବା ଗରିବ ବାପୁଡା ରୋଗ ଚିକିତ୍ସା ପାଇଁ ଅର୍ଥ ଆଣିବ କେଉଁଠୁ?

    ସେପଟେ ଏନେଇ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପଚାରିବାରୁ  ସେ କହିଛନ୍ତି, ଚାଉଳକୁ ନେଇ ଭୟଭୀତ ହେବାର  କୌଣସି କାରଣ ନାହିଁ। ସେସବୁ ଭିଟାମିନ ଯୁକ୍ତ ଚାଉଳ । ଗତ ଅଗଷ୍ଟ ମାସରୁ  ଏପରି ଚାଉଳ ମିଶ୍ରଣ କରାଯାଉଛି। ଏହାକୁ ଖାଇଲେ କୌଣସି ଅସୁବିଧା ହେବ ନାହିଁ ।

    ଯୋଗାଣ ଅଧିକାରୀଙ୍କ ଉତ୍ତର ପରେ ପ୍ରଶ୍ନ ଉଠୁଛି, ଅଗଷ୍ଟ ମାସରୁ ମିଶ୍ରିତ ଚାଉଳ ବଣ୍ଟନ ହୋଇଆସୁଥିବା ବେଳେ ଲୋକଙ୍କୁ କାହିଁକି ସଚେତନ କରାଯାଇ ନାହଁ । ଲୋକେ ଭିଟାମିନ ଚାଉଳକୁ ନେଇ ସଚେତନ ହୋଇଥିଲେ ଭୟଭୀତ ହୋଇନଥାନ୍ତେ କି ଚାଉଳ ଫୋପଡା ଯାଇ ନଥାନ୍ତା।

  • ଆମେ ପରାଜୟକୁ ସ୍ୱୀକାର କରୁଛୁ, ଇଭିଏମକୁ ଦାୟୀ କରିବୁ ନାହିଁ: ହିମାନ୍ତ ବିଶ୍ୱଶର୍ମା

    ଆମେ ପରାଜୟକୁ ସ୍ୱୀକାର କରୁଛୁ, ଇଭିଏମକୁ ଦାୟୀ କରିବୁ ନାହିଁ: ହିମାନ୍ତ ବିଶ୍ୱଶର୍ମା

    କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଏକ ଐତିହାସିକ ବିଜୟ ହାସଲ କରିଛି । ନିର୍ବାଚନ ଫଳାଫଳ ଅନୁଯାୟୀ କଂଗ୍ରେସ ୨୨୪ଟି ବିଧାନସଭା ଆସନ ମଧ୍ୟରୁ ୧୩୫ଟିରେ ଜିତିଛି । ଏହାପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମେ ୧୩ ତାରିଖ ଦିନ ଟ୍ୱିଟରରେ ବିଜେପିର ପରାଜୟକୁ ଗ୍ରହଣ କରିଛନ୍ତି । ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)କୁ ଦାୟୀ ନକରି ଜନାଦେଶକୁ ଗ୍ରହଣ କରାଯିବ ବୋଲି ସେ ଟ୍ୱିଟ୍ କରିଛନ୍ତି ।

    ଆସାମ ସିଏମ୍ ବିଶ୍ୱଶର୍ମା କହିଛନ୍ତି ଯେ, ଦଳରେ ହୋଇଥିବା ଏହି କ୍ଷତି ବିଷୟରେ ଆମେ ବିଚାର କରିବୁ ଏବଂ ମିଲିଥିବା ଶିକ୍ଷା ସହିତ ଆଗକୁ ବଢିବୁ । ସେ ଟ୍ୱିଟ୍ କରି କହିଛନ୍ତି ଯେ ‘ଆମେ ସର୍ବଦା ନମ୍ର ଭାବରେ ଜନସାଧାରଣଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁ । ଆମର ପରାଜୟ ପାଇଁ ଆମେ ଇଭିଏମ୍ କିମ୍ବା ଅନ୍ୟ କୌଣସି ବାହ୍ୟ କାରଣକୁ ଦାୟୀ କରୁନାହୁଁ, ବରଂ ଆମେ ଆମର ଅତୀତକୁ ଅନୁଧ୍ୟାନ କରୁ ଏବଂ ସେଥିରୁ ଶିଖୁ । ମୁଁ ନିଶ୍ଚିତ ଯେ, କର୍ଣ୍ଣାଟକ ବିଜେପି ପରାଜୟକୁ ଅତି ଶାଳିନତାର ସହିତ ଗ୍ରହଣ କରୁଥିବ ଏବଂ କର୍ଣ୍ଣାଟକର ମହାନ ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବ ।

    ଆସାମର ସୋନିତପୁର ଜିଲ୍ଲାର ବିହାଗୁରୀ ଠାରେ ଏକ କାର୍ଯ୍ୟକ୍ରମରେ ଶର୍ମା କହିଛନ୍ତି ଯେ, କଂଗ୍ରେସର ଏହି ବିଜୟ ୨୦୨୪ ସାଧାରଣ ନିର୍ବାଚନରେ ​​କ୍ରମାଗତ ୩ୟ ଥର ପାଇଁ ବିଜେପି ସରକାର ଗଢ଼ିବାରେ ବାଧା ସୃଷ୍ଟି କରିପାରିବ ନାହିଁ । କର୍ଣ୍ଣାଟକର ଅନ୍ୟତମ ଷ୍ଟାର ପ୍ରଚାରକ ଶର୍ମା କହିଛନ୍ତି ଯେ, ତାଙ୍କୁ ଆଗରୁ ଅନୁଭବ ହେଉଥିଲା, ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିବ ନାହିଁ ।

    ବସଭରାଜ ବୋମ୍ମାଇ ଶନିବାର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ସଭାପତି ଜେପି ନାଡାଙ୍କ ସମେତ ବଡ଼ ବଡ଼ ଷ୍ଟାର ପ୍ରଚାରକ ରାଜ୍ୟରେ ପ୍ରଚାର କରିଥିଲେ ମଧ୍ୟ ବିଜେପି ନିର୍ବାଚନରେ ​​ହାରିଛି । ସର୍ଭେ ପରେ କରାଯାଇଥିବା ଅଧିକାଂଶ ଏକଜିଟ୍ ପୋଲ୍ କର୍ଣ୍ଣାଟକରେ ବିଜେପି ପାଇଁ ପରାଜୟର ପୂର୍ବାନୁମାନ କରିଥିଲା ।

  • ପାଞ୍ଚଦିନ ବ୍ୟାପୀ ଚାଲିଥିବା ମାହାଙ୍ଗା ମହୋତ୍ସବ ଉଦଯାପିତ

    ପାଞ୍ଚଦିନ ବ୍ୟାପୀ ଚାଲିଥିବା ମାହାଙ୍ଗା ମହୋତ୍ସବ ଉଦଯାପିତ

    ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଧୂମ ଧାମରେ ପାଞ୍ଚଦିନ ବ୍ୟାପୀ ଚାଲିଥିବା ମାହାଙ୍ଗା ମହୋତ୍ସବ ଉଦଯାପିତ ହୋଇଯାଇଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ଜିଗ୍ନିପୁର ଠାରେ ଥିବା ପ୍ରଭୁ ବଳଦେବଜୀଉଙ୍କ ପବିତ୍ର ଚନ୍ଦନଯାତ୍ରା ଅବସରରେ ଏହି ମହୋତ୍ସବ ଆୟୋଜନ ହୋଇଥିଲା । ଉତ୍ସବରେ ଓଡ଼ିଶାର ନାମିଦାମୀ କଳାକାରମାନେ ଦର୍ଶକମାନଙ୍କ ଭରପୁର ମନୋରଞ୍ଜନ କରିଥିଲେ । ଖାଲି ସେତିକି ନୁହେଁ ମିନା ବଜାର ସାଙ୍ଗକୁ ଚଟପଟା ଖାଦ୍ୟର ମଜା ଉଠାଇଥିଲେ ହଜାର ହଜାର ଦର୍ଶକ । ଝିଲିମିଲି ରଙ୍ଗୀନ  ଆଲୋକ ମାଳାରେ ସଜେଇ ହୋଇଥିଲା ପୁରା ଚନ୍ଦନ ପୋଖରୀ  । ଯେଉଁଆଡ଼େ ଦେଖିଲେ ସବୁଠି ଥିଲା ରଙ୍ଗ ବେରଙ୍ଗର ଲାଇଟ ସଜ୍ଜା। ମିନାବଜାର ସାଂଗକୁ ଉଠା ଦୋକାନୀଙ୍କ ପସାର ମେଲିଥିଲା ମହୋତ୍ସବ ପଡିଆର ଏଣେ ତେଣେ । ମିଶନ ଶକ୍ତି ଦ୍ୱାରା ମହିଳାଙ୍କ ଦ୍ୱାରା ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ ସହ ରାଜ୍ୟ ସରକାରଙ୍କ ପ୍ରାଣି ବିକାଶ ବିଭାଗ ପକ୍ଷରୁ ଷ୍ଟଲ କରାଯାଇ ପଶୁ ସମ୍ପଦ ସମ୍ବନ୍ଧିତ ସୂଚନା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା।  

    ପାଞ୍ଚ ଦିନର ଆନନ୍ଦ ଉଲ୍ଳାସ ଶେଷରେ ସରିଛି। ଶେଷଦିନ ଅର୍ଥାତ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ଓ ପ୍ରର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ  ପାତ୍ର, ସାଂସଦ ଅନୁଭବ ମହାନ୍ତି , ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ ଏବଂ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ମହିଳା କମିଶନ ଅଧକ୍ଷା ମିନତୀ ବେହେରା ଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ମାନେ ଯୋଗଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ମାନଙ୍କ ସମେତ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ବିଧାୟକ ପ୍ରତାପ ଜେନା ସମ୍ବର୍ଦ୍ଧିତ କରିଥିଲେ।

    ସୂଚନାଯୋଗ୍ୟ, ମାହାଙ୍ଗା ମହୋତ୍ସବ ଉଦଘାଟନୀ ଉତ୍ସବରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ମାହାଙ୍ଗା ବିଧାୟକ ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇଥିଲେ । ମହୋତ୍ସବ କମିଟି ପକ୍ଷରୁ ଉତ୍ସବର ପ୍ରଥମ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ କଳାକାରମାନେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଏହାର ଭରପୂର ମଜା ନେଇଥିଲେ ଦର୍ଶକ । ସେପଟେ, ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଜିଲ୍ଲା ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟରତ ସାମ୍ବାଦିକମାନେ ମଧ୍ୟ ସମ୍ମାନିତ ହୋଇଥିଲେ ।

    ୫ ଦିନି ଧରି ମାହାଙ୍ଗା ମହୋତ୍ସବର ମଜା ନେବେ ଦର୍ଶକ । ପ୍ରଥମ ଦିନରୁ ହିଁ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ, ଓରମାସ ଓ ମାହାଙ୍ଗା ମହୋତ୍ସବ କମିଟି ଦ୍ୱାରା ଏହାକୁ ଆୟୋଜନ କରାଯାଇଛି ।

  • କର୍ଣ୍ଣାଟକ: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସରେ ଫାଟ !

    କର୍ଣ୍ଣାଟକ: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସରେ ଫାଟ !

    କଂଗ୍ରେସର କର୍ଣ୍ଣାଟକ ଦଖଲ ପରେ ଚାରିଆଡ଼େ ଏବେ ସେଲିବ୍ରେସନ । ମୋଦି ମ୍ୟାଜିକ୍ ଫେଲ୍ ପରେ କ୍ଷମତା ହାତେଇଛି କଂଗ୍ରେସ । ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦେଖାଦେଇଛି କେଁ । କିଏ ହେବେ କର୍ଣ୍ଣାଟକ ସିଏମ୍ । ପଦବୀ ପାଇଁ ଶିବକୁମାର ଏବଂ ସିଦ୍ଧରମେୟା ଦୁଇ ଜଣ ମୁଖ୍ୟ ଦାବିଦାର ଅଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଚୟନ କରିବା ଦଳକୁ ସସପେନ୍ସରେ ପକାଇଛି । କୁହାଯାଉଛି ଯେ ବିଧାୟକ ଦଳ ବୈଠକରେ କଂଗ୍ରେସର ଜିତିଥିବା ପ୍ରାର୍ଥୀ ପ୍ରସ୍ତାବ ପାରିତ କରି ହାଇକମାଣ୍ଡଙ୍କ ଉପରେ ଏହି ନିଷ୍ପତ୍ତି ଛାଡ଼ି ପାରନ୍ତି ।

    ନିର୍ବାଚନରେ ବଡ଼ ବିଜୟ ପରେ ଡିକେ ଶିବକୁମାର କହିଥିଲେ, ମୁଁ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ଯେଉଁ କଥା ଦେଇଥିଲି ତାହା ପୂରା କରିଛି । ମୁଁ ଅଖଣ୍ଡ କର୍ଣ୍ଣାଟକର ଲୋକଙ୍କ ପାଦରେ ପଡ଼ି ଆଶୀର୍ବାଦ ଭିକ୍ଷା କରୁଛି ଏବଂ ସମର୍ଥନ ଦେଇଥିବାରୁ ଧନ୍ୟବାଦ ଦେଉଛି । ଲୋକମାନେ ଆମ ଉପରେ ବିଶ୍ୱାସ କଲେ ଆଉ ଭୋଟ୍ ଦେଲେ । ମୁଁ ଭୁଲିପାରିବିନି ଯେ ଯେବେ ସୋନିଆ ଗାନ୍ଧି ମୋତେ ଭେଟିବା ପାଇଁ ଜେଲ୍ ଆସିଥିଲେ । ବିଶ୍ୱାସ ଦେଖାଇଥିବାରୁ ଗାନ୍ଧି ପରିବାର ଏବଂ ସିଦ୍ଧରମେୟାଙ୍କ ସମେତ ଦଳର ସମସ୍ତ ନେତାଙ୍କୁ ଧନ୍ୟବାଦ ଜଣାଉଛି ।

    ଅନ୍ୟପକ୍ଷରେ ସିଦ୍ଧରମେୟା କହିଛନ୍ତି, କଂଗ୍ରେସ ଦଳକୁ ସ୍ପଷ୍ଟ ବହୁମତ ମିଳିବାକୁ ଯାଉଛି । ଆମେ କ୍ୟାମ୍ପେନ ସମୟରେ କହିଥିଲୁ ଯେ କଂଗ୍ରେସକୁ ପ୍ରାୟ ୧୩୦ ଆସନ ମିଳିବ । ଏହା ଏକ ବଡ଼ ବିଜୟ ଅଟେ । କର୍ଣ୍ଣାଟକର ଲୋକ ପରିବର୍ତ୍ତନ ଚାହୁଁଥିଲେ । ସେମାନେ ବିଜେପି ସରକାରର ନୀତିକୁ ଅତିଷ୍ଟ ହୋଇଯାଇଥିଲେ । ଏହି ନିର୍ବାଚନ ଲୋକସଭା ନିର୍ବାଚନର ଏକ ସିଢି ଅଟେ । ମୋତେ ଆଶା ଅଛି ଯେ ଆଗାମୀ ନିର୍ବାଚନରେ ରାହୁଲ ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ ହେବେ ।

    ଅନ୍ୟପକ୍ଷରେ ବିଜେପି ଏବେ ସୁଯୋଗ ଅପେକ୍ଷାରେ ରହିଛି । ମଧ୍ୟପ୍ରଦେଶ ଭଳି କର୍ଣ୍ଣାଟକରେ ବିଦ୍ରୋହୀ ସିନ୍ଧିଆ ଖୋଜୁଛି ଦଳ । ଯଦି ଡିକେ ଶିବକୁମାର ଏବଂ ସିଦ୍ଧରମେୟାଙ୍କ ମଧ୍ୟରୁ କେହି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଅନ୍ୟକୁ ଟାଣି ଆଣିବ ଭାରତୀୟ ଜନତା ପାର୍ଟି । ପୂର୍ବରୁ ଅନେକ ଥର ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ପାଇଁ ଦାବିଦାର ଥିଲେ । ହେଲେ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ନେଇ କେବେ କିଛି କହିନାହାଁନ୍ତି । କିନ୍ତୁ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ସିଦ୍ଧରମେୟାଙ୍କ ଏହା ଶେଷ ନିର୍ବାଚନ, ଆଗକୁ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ । ଏପରି ସ୍ଥିତିରେ ଶେଷଥର ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ କଂଗ୍ରେସ ।

    ଯଦି ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ନମିଳେ ତଥାପି ଦଳ ସହ ସେ ବିଦ୍ରୋହ କରିବେନି । କାରଣ ପୂର୍ବରୁ ବିଜେପି, ନିଜ ଦଳରେ ସାମିଲ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଅଫର କରିଥିଲା । ହେଲେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏମିତି କି ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା । ଏହି କାରଣରୁ ସେ କେବେ ବି ଦଳ ସହ ବିଦ୍ରୋହ କରିବେନି ବୋଲି କୁହାଯାଉଛନ୍ତି । ସିଦ୍ଧରମେୟା ହିଁ ପୁଣିଥରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବା ହୋଇପାରନ୍ତି ବୋଲି କୁହାଯାଉଛି । ତେବେ ଆଗାମୀ ଦିନରେ ଏହା ସ୍ପଷ୍ଟ ହୋଇଯିବ ଯେ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରୁଛି ।

  • ସମୀର ୱାଙ୍ଖଡେଙ୍କ ପିଛା ଛାଡୁନି ବିବାଦ, ମୁମ୍ବାଇସ୍ଥିତ ପୈତୃକ ବାସଭବନରେ ଚଢ଼ାଉ

    ସମୀର ୱାଙ୍ଖଡେଙ୍କ ପିଛା ଛାଡୁନି ବିବାଦ, ମୁମ୍ବାଇସ୍ଥିତ ପୈତୃକ ବାସଭବନରେ ଚଢ଼ାଉ

    ସମୀର ୱାଙ୍ଖଡେଙ୍କ ନାଁ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣା । ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରିବା ପରେ ଦେଶରେ ଯେଉଁ ଜଣେ ବଡ ଅଫିସରଙ୍କ ନାଁ ଶୁଣିବାକୁ ମିଳୁଥିଲା ସିଏ ହେଉଛନ୍ତି ସମୀର ୱାଙ୍ଖଡେ । କହିବାକୁ ଗଲେ ୨୦୨୧ ପରଠାରୁ ବିବାଦ ସମୀର ୱାଙ୍ଖଡେଙ୍କ ପିଛା ଛାଡୁନି । ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଥିବା ବେଳେ ଶନିବାର ପୁଣିଥରେ ତାଙ୍କ ଘରେ ସିବିଆଇ ଚଢାଉ କରିଛି । ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ ସେତେବେଳେ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ସିଂଘମର ପରିଚୟ ପାଇଥିଲେ । ସବୁ ଜାତୀୟ ଗଣମାଧ୍ୟମରେ ଗୋଟିଏ ଚର୍ଚ୍ଚା, ସମୀର ୱାଙ୍ଖଡେଙ୍କ ଭଳି ଅଫିସର ବିରଳ ଦେଖିବାକୁ ମିଳନ୍ତି ।

    ଆଉ ବର୍ତ୍ତମାର ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ମାମଲା ଦାଏର କରିଛି ସିବିଆଇ । ଏହି ମାମଲାରେ ତାଙ୍କ ସହ ଅନ୍ୟ ଅଧିକାରୀଙ୍କ ସମେତ କିଛି ବାହାର ବ୍ୟକ୍ତିଙ୍କ ନାଁ ମଧ୍ୟ ଯୋଡି ହୋଇଯାଇଛି । ମାମଲା ରୁଜୁ ହେବାର ଗୋଟିଏ ଦିନ ପୂର୍ବରୁ ତାଙ୍କ ପୈତୃକ ଘରେ ସିବିଆଇ ରେଡ୍ କରିଛି । ଏହାକୁ ନେଇ ୱାଙ୍ଖଡେ କହିଛନ୍ତି, ବିନା କାରଣରେ ତାଙ୍କୁ ଫଶାଯାଉଛି, ଜଣେ ଦେଶଭକ୍ତ ହେବାର ଶାସ୍ତି ତାଙ୍କୁ ଦିଆଯାଉଛି ।

    ଏଠାରେ ଜଣାଇଦେଉଛୁ, ଶୁକ୍ରବାର କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ସମୀରଙ୍କ ମୁମ୍ବାଇ ସ୍ଥିତ ପୈତୃକ ବାସଭବନରେ ୧୩ ଘଣ୍ଟା ଯାଏଁ ତଲାସି କରିଛି । ଏହାର ଗୋଟିଏ ଦିନ ପୂର୍ବରୁ ତାଙ୍କ ପତ୍ନୀ ଓ ପିଲାଙ୍କ ସହ ରହୁଥିବା ଘରେ ରେଡ କରାଯାଇଥିଲା ।ଏପରି କି ସମୀର ୱାଙ୍ଖଡେଙ୍କୁ ତାଙ୍କ ଶ୍ୱଶୁର ଘରକୁ ମଧ୍ୟ ଛାଡିନଥିଲା ସିବିଆଇ । ୨୦୨୧ ମସିହାରେ ମୁମ୍ବାଇ କ୍ରୁଜରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ରେଭ୍ ପାର୍ଟିରେ ଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ସମୀର ୱାଙ୍ଖଡେଙ୍କ ଉପରେ ଗୋଟିଏ ଗୋଟିଏ ବିବାଦ ଘନେଇବାରେ ଲାଗିଛି ।

  • ଆଜି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍ କରିବ ‘ମୋକା’

    ଆଜି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍ କରିବ ‘ମୋକା’

    ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇପାରିନି ସାମୁଦ୍ରିକ ବାତ୍ୟା ‘ମୋକା’ । ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ବ ପ୍ରସ୍ତୁତି କରିଥିବା ବେଳେ ଏହାର ଗତିପଥ ବଦଳିଗଲା । ଓଡ଼ିଶାରେ ପ୍ରଭାବହୀନ ହୋଇଥିବା ବେଳେ ଗତିପଥ ବଦଳାଇଛି ।

    ଅତି ଉଗ୍ର ସାମୁଦ୍ରିକ ବାତ୍ୟା ‘ମୋକା’ର ଘଣ୍ଟାପ୍ରତି ବେଗ ରହିଛି ୧୭ କିଲୋମିଟର । ଗତ ୬ ଘଣ୍ଟା ଧରି ଏହି ବେଗରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରୁଛି । ଆଜି ଭୋର୍‌ ସାଢ଼େ ୫ଟାରେ ଉତ୍ତରପୂର୍ବ ଏବଂ ତତ୍‌ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗର ୩୨ ନମ୍ବର ବୁଲେଟିନ୍‌ରୁ ସ୍ପଷ୍ଟ ହୋଇଛି । ସାମୁଦ୍ରିକ ବାତ୍ୟା ‘ମୋକା’ଏବେ ପୋର୍ଟ ବ୍ଲେୟାର୍‌ର ଉତ୍ତର-ଉତ୍ତରପଶ୍ଚିମରୁ ପ୍ରାୟ ୭୯୦ କିଲୋମିଟର୍‌, ବାଂଲାଦେଶ କକ୍ସ୍‌ ବଜାରର ଦକ୍ଷିଣ-ଦକ୍ଷିଣପଶ୍ଚିମରୁ ୩୦୦ କିଲୋମିଟର ଏବଂ ମିଆଁମାର ସିତ୍ତ୍ୱେରର ଦକ୍ଷିଣ ପଶ୍ଚିମରୁ ୨୧୦ କିଲୋମିଟର୍‌ ଦୂରରେ ବାତ୍ୟା କେନ୍ଦ୍ରଭୂତ ରହିଛି ।

    ଧୀରେ ଧୀରେ ସାମୁଦ୍ରିକ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ଆଜି ମଧ୍ୟାହ୍ନ ବେଳକୁ ଅତି ଉଗ୍ର ରୂପ ଧାରଣ କରିବ ସାମୁଦ୍ରିକ ବାତ୍ୟା ‘ମୋକା’ । କକ୍ସବଜାର ଓ ସିତ୍ତ୍ବେ ପାଖ ଦେଇ କ୍ୟାୟୁକପ୍ୟୁ ରାସ୍ତାରେ ଗତି କରିବ । ଏହି ସାମୁଦ୍ରିକ ବାତ୍ୟା ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର୍‌ ଉପକୂଳ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଜି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୧୯୦ କିଲୋମିଟର ରହିପାରେ । ତେବେ ସର୍ବାଧିକ ୨୧୦ କିଲୋମିଟର ବେଗରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।