ରାଜ୍ୟକୁ ଆଉ ଦୁଇଟି ‘ବନ୍ଦେ ଭାରତ’ ଦେବାକୁ ନବୀନଙ୍କ ଦାବି

ଓଡ଼ିଶା ଦେଇ ଆଉ ଅଧିକ ଦୁଇଟି ବନ୍ଦେ ଭାରତ ଏକ୍ସେପ୍ରସ ଚଳାଚଳ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଟ୍ରନ୍ ପୁରୀରୁ ସମ୍ବଲପୁର ରାସ୍ତାରେ ରାଉରକେଲା ଯିବ । ଅନ୍ୟଟି ଭୁବନେଶ୍ବରରୁ ହାଇଦ୍ରାବାଦ ମଧ୍ୟରେ ଚଳାଚଳ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ପୁରୀ ଓ କୋଣାର୍କ ମଧ୍ୟରେ ନୂଆ ରେଳ ଲାଇନ୍ କାମ କରିବାକୁ ମଧ୍ୟ ଦାବି କରିଛନ୍ତି ନବୀନ । ଏହା ରାଜ୍ୟର ପର୍ଯ୍ୟଟନ ବିକାଶକୁ ଆହୁରି ଆଗକୁ ନେବ । ଏଥିସହ ଅନୁଗୁଳ-ସୁକିନ୍ଦା ଏବଂ ହରିଦାସପୁର-ପାରାଦୀପ ଲାଇନରେ ପ୍ୟାସେଞ୍ଜର ଟ୍ରେନ୍ ଚଳାଚଳ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିସହ ପୁରୀ ଓ କଟକ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି । ଏହି ଅବସରରେ ଅନୁଗୁଳ-ସୁକିନ୍ଦା ନୂଆ ରେଳଲାଇନ୍, ସମ୍ବଲପୁର-ଟିଟିଲାଗଡ଼ ଲାଇନ୍ ଦୋହରୀକରଣ ଏବଂ ଆଉ ଦୁଇଟି ରେଳଲାଇନ୍ ଲୋକାର୍ପିତ ହୋଇଛି । ରାଜ୍ୟରେ ରେଳ ଲାଇନର ଶହେ ପ୍ରତିଶତ ବିଦ୍ୟୁତକରଣ କାର୍ଯ୍ୟର ମଧ୍ୟ ଲୋକାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ସରକାର ପୁରୀକୁ ଐତିହ୍ୟ ନଗରୀ କରିବାକୁ କାମ ଆରମ୍ଭ କରିଛନ୍ତି । ଏଥିପାଇଁ ଭିତ୍ତିଭୂମି ବିକାଶ କାମ ଜାରି ରହିଛି । ଶହେ ପ୍ରତିଶତ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ପୁରୀ ଦେଶରେ ପ୍ରଥମ ସହର ହୋଇଛି । ତେଣୁ ପୁରୀ ଓ କୋଣାର୍କ ମଧ୍ୟରେ ରେଳ ସଂଯାଗ ନିହାତି ଜରୁରୀ ବୋଲି ସିଏମ୍ କହିଛନ୍ତି । ଏହାଦ୍ବାରା ଦୁଇ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଯାତାୟତ ଆହୁରି ସୁଗମ ଏବଂ ସହଜ ହୋଇପାରିବ ।

ଖୁବଶୀଘ୍ର ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର କାମ ଆରମ୍ଭ ହେବ । ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଦେଇଥିବା ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ କରାଯିବା ସହ ୪ ବର୍ଷ ମଧ୍ୟରେ ବିମାନ ବନ୍ଦର କାମ ସରି କାର୍ଯ୍ୟକ୍ଷମ ହେବ । ପୁରୀ-କୋଣାର୍କ ରେଳ ପ୍ରକଳ୍ପରେ ରାଜ୍ୟ ସରକାର ସବୁପ୍ରକାର ସହଯୋଗ କରିବେ । ପ୍ରକଳ୍ପର ୫୦ ପ୍ରତିଶତ ନିର୍ମାଣ ଖର୍ଚ୍ଚ ସହ ଜମି ଅଧିଗ୍ରହଣ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯାହା ରେଳବାଇ ପାଇଁ ଲାଭଜନକ ହେ । ତେଣୁ ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ନେବାକୁ ପିଏମଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *