ଇମରାନ ଖାନଙ୍କୁ ସେନା ମୁଖ୍ୟଙ୍କ ଚେତାବନୀ, ଦେଶ ଛାଡିଦିଅ…ନହେଲେ ଆର୍ମି ଆକ୍ଟର ସମ୍ମୁଖୀନ ହୁଅ

ପାକିସ୍ତାନରେ ଇମ୍ରାନ ଖାନ ଏବଂ ସରକାରଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଇମ୍ରାନଙ୍କୁ ଅଲ କାଦର ଟ୍ରଷ୍ଟ ମାମଲାରେ ମେ ୯ ତାରିଖରେ ଗିରଫ କରାଯାଇଥିଲା, ଯଦିଓ ୨ ଦିନ ପରେ ଜାମିନ ପାଇଥିଲେ । ଇମ୍ରାନ ଖାନଙ୍କ ଗିରଫ ପରେ ବିକ୍ଷୋଭକାରୀ ମାନେ ପାକିସ୍ତାନୀ ସେନାକୁ ଟାର୍ଗେଟ କରିଥିଲେ, ଯେଉଁଥିପାଇଁ ସେନା କ୍ରୋଧିତ ହୋଇଥିଲେ । ସେନା ଅଧିନିୟମ ଅନୁଯାୟୀ ପ୍ରଦର୍ଶନକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଘୋଷଣା କରାଯାଇଛି । ସୂଚନା ଅନୁସାରେ, ପାକିସ୍ତାନୀ ସେନା ଇମ୍ରାନ ଖାନଙ୍କୁ ଏକ ଅଫର ଦେଇଛି ।

ପାକିସ୍ତାନୀ ସେନା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ତାନ ଛାଡିବାକୁ ପ୍ରସ୍ତାବ ଦେଇଛି ଏବଂ ନହେଲେ ସେନା ଆଇନକୁ ସାମ୍ନା କରିବାକୁ ପ୍ରସ୍ତୁତ ହେବା ଉଚିତ ବୋଲି କହିଛନ୍ତି । ଇମ୍ରାନ ଖାନଙ୍କୁ ସେନା ଦ୍ୱାରା ଦୁବାଇ ଏବଂ ଲଣ୍ଡନ ଯିବାକୁ ପ୍ରସ୍ତାବ ଦିଆଯାଇଛି । ଦେଶର ସେନା କହିଛି ଯେ, ଯଦି ଇମ୍ରାନ ପାକିସ୍ତାନ ଛାଡନ୍ତି ତେବେ ସେନା ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ କରିବ ନାହିଁ ।

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମରାନ ଖାନ ପାକିସ୍ତାନ ସେନା ଦେଇଥିବା ଅଫରକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି । ପାକିସ୍ତାନ ସେନାକୁ କଡ଼ା ଜବାବ ଦେଇ ସେ କହିଛନ୍ତି ଯେ, ଯାହା ଘଟୁ ପଛେ ସେ ପାକିସ୍ତାନ ଛାଡିବେ ନାହିଁ ।

ଏହାପୂର୍ବରୁ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର୍ ଖୋଲାଖୋଲି ଭାବେ ଇମ୍ରାନ ଖାନଙ୍କ ସମର୍ଥକଙ୍କୁ ଧମକ ଦେଇଥିଲେ ଯେ, ଯଦି ପୁନର୍ବାର ୯ ତାରିଖ ଭଳି ଘଟଣା ଘଟେ ତେବେ ଆମେ ବରଦାସ୍ତ କରିବୁ ନାହିଁ । ସେ ସିୟାଲକୋଟ ଗେରିସନ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି, ଯେଉଁଠାକୁ ସେ ଶହୀଦଙ୍କ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବାକୁ ଯାଇଥିଲେ ।

ଦୁଇ ଦିନ ପୂର୍ବେ ସେନା ଅଧିନିୟମ ଅନୁଯାୟୀ, ଗିରଫ ହୋଇଥିବା ବିକ୍ଷୋଭକାରୀଙ୍କ ବିରୁଦ୍ଧରେ କେସ ଚଳାଇବାକୁ ପାକିସ୍ତାନରେ ଅନୁମତି ଦିଆଯାଇଛି । ଦେଶର ଯେକୌଣସି ଆଭ୍ୟନ୍ତରୀଣ ପ୍ରସଙ୍ଗରେ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପାକିସ୍ତାନୀ ସେନା ସରକାରଙ୍କୁ ଆର୍ମି ଆକ୍ଟ ଲାଗୁ କରିବାକୁ କହିଥିଲେ । ଆର୍ମି ଆକ୍ଟ, ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଭାବରେ ମଧ୍ୟ ଜଣାଶୁଣା । ଏହା ସାହାଯ୍ୟରେ ସେନା ତାଙ୍କ ତରଫରୁ ଗିରଫ ହୋଇଥିବା ଅପରାଧୀଙ୍କୁ ଗୁରୁତର ଦଣ୍ଡ ଦେଇପାରେ । ଏହି ଆଇନ ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଏବଂ ତାଙ୍କ କର୍ମଚାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ଆଜୀବନ କାରାଦଣ୍ଡ ମଧ୍ୟ ଦିଆଯାଇପାରେ ।

Leave a Reply

Your email address will not be published. Required fields are marked *