ଆଗକୁ ସପ୍ଲିମେଣ୍ଟାରୀ, ଫେଲ୍ ଓ ଡ୍ରପ୍ ଆଉଟ୍ ପିଲାଙ୍କୁ ସୁଯୋଗ

ମାଟ୍ରିକ ରେଜଲ୍ଟ ପ୍ରକାଶ ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏକ ଘୋଷଣା କରିଛନ୍ତି । ଚଳିତବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି,ଗତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇପାରି ନଥିଲା । ହେଲେ ଏଥର କିନ୍ତୁ ପରୀକ୍ଷା କରାଯିବ । ଫେଲ୍‌, ଡ୍ରପଆଉଟ୍ ପିଲାମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ । ତେବେ ଖୁବଶୀଘ୍ର ଏନେଇ ତାରିଖ ଘୋଷଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଗତବର୍ଷ କୋରନା ସଂକ୍ରମଣ ଉପରମୁହାଁ ଥିଲା । ଏଥିପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା । ଏଥର କିନ୍ତୁ ସପ୍ଲିମେଣ୍ଟାରୀ ପରୀକ୍ଷା କରିବାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଚଳିତବର୍ଷ ମୋଟ ୫ ଲକ୍ଷ ୨୭ ହଜାର ୩୭୪ ଜଣ ପରୀକ୍ଷା ପାଇଁ ଫର୍ମପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ। ୩୮୬ ଜଣଙ୍କୁ ଏମ୍‌ପି କରାଯାଇଥିବା ବେଳେ ୫ ଲକ୍ଷ ୮ ହଜାର ୪୦୪ ଜଣ ପରୀକ୍ଷାରେ ପାସ୍ କରିଛନ୍ତି । ଫେଲ୍ ହୋଇଛନ୍ତି ୭୬୪୫ ଜଣ ଛାତ୍ରଛାତ୍ରୀ । ତେଣୁ ସେମାନେ ଆସନ୍ତା ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଫର୍ମ ପୂରଣ କରି ପରୀକ୍ଷା ଦେଇନଥିବା ୧୦ ହଜାର ୯୩୯ ଜଣ ଛାତ୍ରଛାତ୍ରୀ ମଧ୍ୟ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ।

ସେପଟେ, ମାଟ୍ରିକ ରେଜଲ୍ଟ ଆଜି ଆସିବା ପରେ ୨୩ ତାରିଖରୁ ରିଚେକିଂ ପାଇଁ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ । ମଧ୍ୟମା ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ଛାତ୍ରଛାତ୍ରୀ ଅଫ୍‌ଲାଇନରେ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଚଳିତବର୍ଷ ୯୬.୪% ପିଲା ମାଟ୍ରିକ ପରୀକ୍ଷାରେ ପାସ୍ କରିଥିବା ବେଳେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି ।

Leave a Reply

Your email address will not be published. Required fields are marked *