ସମଲିଙ୍ଗି ବିବାହକୁ ଏନସିପିସିଆରର ବିରୋଧ

ସମଲିଙ୍ଗି ବିବାହକୁ ମାନ୍ୟତା ଦେବା ଯାଚିକା ସହ ଯୋଡା ହୋଇଛି ନାସନାଲ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟସ (ଏନସିପିସିଆର)ର ଯାଚିକା। ସମଲିଙ୍ଗି ବିବାହକୁ ଏନସିପିସିଆର ବିରୋଧ କରିଛି। ସଂସ୍ଥା କହିଛି କି, ସମଲିଙ୍ଗି ଯୋଡିଙ୍କୁ ଶିଶୁଙ୍କୁ ପୋଷ୍ୟ ଗ୍ରହଣ କରିବାର ଅନୁମତି ଦିଆ ନ ଯାଉ। ଏନସିପିସିଆର ଯାଚିକାରେ ଉଲ୍ଲେଖ କରିଛି କି, ସମାନ ଲିଙ୍ଗର ଅଭିଭାବକ ଦ୍ୱାରା ପାଳିତ ପିଲାଙ୍କ ପରିଚୟ ଏହାଦ୍ୱାରା ପ୍ରଭାବିତ ହୋଇପାରେ। ଏପରି ପିଲାଙ୍କ ଅନ୍ତର୍ନିହିତ ଗୁଣର ବିକାଶ ସୀମିତ ରହିବ ଓ ସେମାନଙ୍କର ସାମଗ୍ରିକ ବିକାଶ ଉପରେ ମଧ୍ୟ ପ୍ରଭାବ ପଡିବ।  

ତେବେ ଏହା ପୂର୍ବରୁ ଦିଲ୍ଲୀ ସରକାରର ବାଳ ଅଧିକାର ସଂରକ୍ଷ ଆୟୋଗ ସୁପ୍ରିମ କୋର୍ଟରେ ଏକ ଯାଚିକା ଦାୟର କରି ଭିନ୍ନ ଯୁକ୍ତି ବାଢିଥିଲା। ଏଥିରେ କୁହାଯାଇଥିଲା, ବିଷମ ଲିଙ୍ଗି ପରି ସମଲିଙ୍ଗି ଯୋଡି ଭଲ ହୋଇପାରନ୍ତି କି ଖରାପ ମଧ୍ୟ। ଦୁନିଆରେ 50ରୁ ଅଧିକ ଦେଶ ସମଲିଙ୍ଗି ଯୋଡିଙ୍କୁ ପିଲା ପୋଷ୍ୟ ନେବାକୁ ଅନୁମତି ଦେଇଛି। ଏଥିସହ ଆହୁରି କୁହାଯାଇଛି କି, ଏମିତି କୌଣସି ପ୍ରମାଣ ନାହିଁ କି ସମଲିଙ୍ଗି ଦମ୍ପତିଙ୍କ ପିଲାଙ୍କ ମାନସିକ ବିକାଶ ପ୍ରଭାବିତ ହୋଇଥାଏ।

କୋର୍ଟରେ ଦାୟର ଯାଚିକାରେ ଆଇନଗତ ଦିଗ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ସମଲଙ୍ଗି ବିବାହ ଦ୍ୱାରା ସାମ୍ପ୍ରତିକ ବିବାହ ଆଇନ ଉପରେ ଅଧିକ କିଛି ପ୍ରଭାବ ପଡିବ ନାହିଁ। ବର୍ତ୍ତମାନର ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ପୁରୁଣା ମାନ୍ୟତା ଓ ଧାରଣା ଆଧାରିତ ହୋଇଥିବାରୁ ଏହାର ବର୍ତ୍ତମାନ ସ୍ଥିତି ସହ କୌଣସି ସମ୍ପର୍କ ନାହିଁ। ସମଲିଙ୍ଗି ଦମ୍ପତି ମଧ୍ୟରେ ଲିଙ୍ଗ ଆଧାର ଉପରେ ଭେଦଭାବ ନାହିଁ। ତେଣୁ ଛାଡପତ୍ର ବେଳେ ଭରଣପୋଷଣ ଭତ୍ତା ପ୍ରସ୍ତୁତ କରିବାକୁ, ଶିଶୁର ଦାୟିତ୍ୱ ନେବାରେ ଅସୁବିଧା ହେବ ନାହିଁ ବୋଲି ଦିଲ୍ଲୀ ସିପିସିଆର ପକ୍ଷରୁ କୁହାଯାଇଛି।

ଅନ୍ୟପଟରେ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଦଲିଲରେ ହିନ୍ଦୁ ଲ ଅନୁଯାୟୀ ସମଲିଙ୍ଗି ବିବାହକୁ ମାନ୍ୟତା ଦିଆଯାଇପାରିବ ନାହିଁ ବୋଲି କୁହାଯାଇଛି। ଏହା ବିଷମ ଲିଙ୍ଗି ମଧ୍ୟରେ ସମ୍ଭବ। କେବଳ ହିନ୍ଦୁ ଲ ନୁହେଁ, ମୁସଲମାନ ଲ ରେ ମଧ୍ୟ ଏହାକୁ ଅନୁମତି ନାହିଁ। ମାମଲା ଉପରେ ପରବର୍ତ୍ତି ଶୁଣାଣି ଏପ୍ରିଲ 18ରେ ହେବ।

Leave a Reply

Your email address will not be published. Required fields are marked *