ମୋ ବିରୁଦ୍ଧରେ ଚକ୍ରାନ୍ତ; ବିଜେପି ଛାଡ଼ିଲା ପରେ ‘ହାତ’ ଧରିଲେ ଶେଟ୍ଟାର

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀଙ୍କ ପରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା 6 ଥରର ବିଧାୟକ ଜଗଦୀଶ ଶେଟ୍ଟାର ବିଜେପି ଛାଡ଼ି ‘ହାତ’କୁ ଆପଣେଇଛନ୍ତି ।

ଶେଟ୍ଟାର ପାଖାପାଖି 3 ଦଶନ୍ଧି ଧରି ବିଜେପିରେ ନିଜର ରାଜନୈତିକ ଗୋଟି ଚାଳନା କରିଛନ୍ତି । ମେ’ 10 ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ ନଦେବାରୁ ସେ ଦଳ ଛାଡ଼ିବା ନିଷ୍ପତ୍ତି ନେଇଥିଲେ । ଆଉ ଗତକାଲି ବିଜେପିରୁ ବିଦାୟ ନେଇଥିବା ଶେଟ୍ଟାର, ଆଜି ପାର୍ଟି କାର୍ଯ୍ୟାଳୟରେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ଶେଟ୍ଟାର ରବିବାର ଦିନ ରଣଦୀପ ସିଂହ ସୁରଜେଓ୍ବାଲା,ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କୁ ସାକ୍ଷାତ କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ଜଗଦୀଶ ଲିଙ୍ଗାୟତ ସମୁଦାୟର ବଡ଼ ନେତା । ଆଉ ରାଜ୍ୟର ପାଖାପାଖି 25ଟି ଆସନ ଉପରେ ତାଙ୍କର ପ୍ରଭାବ ରହିଛି । ତେଣୁ ନିଶ୍ଚିତ ଭାବେ ଏହା ବିଜେପି ପାଇଁ ଏକ ଶକ୍ତ ଝଟକା ।

କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ହେଲେ ଏଥର ଶେଟ୍ଟାରଙ୍କୁ ଟିକେଟ ଦେବାକୁ ନେଇ ଦଳ ସେତେଟା ଉତ୍ସାହ ଦେଖାଇନଥିଲା । ଏଥର ବିଜେପି, ଦଳରେ କିଛି ନୂଆ ଚେହେରା ସମେତ ଆଉ କିଛି ଯୁବକଙ୍କୁ ଟିକେଟ ଦେଇଛି । ଟିକେଟରୁ ବଞ୍ଚିତ ହୋଇଥିବା ଶେଟ୍ଟାର ନିରାଶ ହେବା ସହିତ ଦଳର ହାଇକମାଣ୍ଡଙ୍କୁ ଏହାର କାରଣ ପଚାରିଥିଲେ । ଏହି ସମୟରେ ସେ କହିଥିଲେ ଯେ,ମୁଁ 6 ଥର ନିର୍ବାଚନ ଜିତିଛି ହେଲେ ମୋର କ୍ୟାରିୟରରେ କୌଣସି ଦାଗ ଲାଗନି । ଏସବୁ ସତ୍ତ୍ୱେ ମତେ କାହିଁକି ଟିକେଟ ଦିଆନଗଲା ? ଏହାପରେ ସେ ବିଧାନସଭାରୁ ଇସ୍ତଫା ଦେବାର ନିଷ୍ପତ୍ତି ନେଇଥିଲେ । ଇସ୍ତଫା ଦେବା ପରେ ଶେଟ୍ଟାର କହିଥିଲେ ମୁଁ ଭାରାକ୍ରାନ୍ତ ମନରେ ଇସ୍ତଫା ଦେଉଛି, ମୁଁ ଏଦି ଦଳକୁ ଗଢ଼ିଛି, ତାକୁ ଠିଆ କରିଛି। କିନ୍ତୁ ଦଳର କିଛି ନେତା ମିଶି ମତେ ଇସ୍ତଫା ଦେବା ଭଳି ସ୍ଥିତି ସୃଷ୍ଟି କରିଛନ୍ତି । ସେ ଆହୁରି କହିଛନ୍ତି, ଦଳର ନେତାମାନେ ମତେ ବୁଝିପାରିଲେନି । ସେମାନେ ମତେ ଯେଉଁଭଳି ଭାବେ ବେଖାତିର କରିଛନ୍ତି,ସେଥିରେ ମୁଁ ବହୁତ ମର୍ମାହତ । ମୋ ବିରୁଦ୍ଧରେ ଚକ୍ରାନ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *