କୃଷି କ୍ଷେତ୍ର ପରେ ନିଯୁକ୍ତି ସୃଷ୍ଟିରେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ଗ୍ରାମାଞ୍ଚଳରେ MSME ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ସହ ରାଜ୍ୟ ଓ ଦେଶର ଜିଡିପି ବୃଦ୍ଧିରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ରଖୁଛି। ଏହି କ୍ଷେତ୍ରକୁ ଡିଜିଟାଲ ପ୍ଲାଟଫର୍ମ ସହ ଯୋଡ଼ି ବିଶ୍ୱ ବଜାରରେ ଉତ୍ପାଦିତ ସାମଗ୍ରୀର ବିପଣନ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।
ଶନିବାର ଆନ୍ତର୍ଜାତିକ MSME ଦିବସ ଅବସରରେ ପାରାଦ୍ୱୀପ ଇଫକୋ ପରିସରରେ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଓ କ୍ଷୁଦ୍ର ଶିଳ୍ପ ବିଭାଗର ମିଳିତ ସହଯୋଗରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ପାରାଦ୍ୱୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ଇଫକୋ ୟୁନିଟ୍ ମୁଖ୍ୟ ପି. କେ. ମହାପାତ୍ର ଓ MSME ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ। ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ମହିଳା ଉଦ୍ୟୋଗୀ ଏଥିରେ ଯୋଗଦେଇଥିଲେ।
ଏହି ଅବସରରେ କ୍ଷୁଦ୍ର ଶିଳ୍ପ ବିଭାଗର ଜୋନାଲ ମ୍ୟାନେଜର ମନୋଜ ମୋହନ ସିହ୍ନା କହିଥିଲେ ଯେ,ଉଦ୍ୟୋଗୀମାନଙ୍କୁ ନିଜ ଉତ୍ପାଦିତ ସାମଗ୍ରୀକୁ ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ିବା, ଅନଲାଇନ୍ ମାଧ୍ୟମରେ ବିକ୍ରୟ କରିବା ଏବଂ କେନ୍ଦ୍ର ସରକାରଙ୍କ ONDC ପ୍ଲାଟଫର୍ମରେ ନିଃଶୁଳ୍କ ଭାବେ ପଞ୍ଜୀକରଣ କରି ଉତ୍ପାଦ ସାମଗ୍ରୀ ଅପଲୋଡ୍ କରିବା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା।ସେହିପରି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଥିଲେ ଯେ, MSME କ୍ଷେତ୍ର ରାଜ୍ୟର ଅର୍ଥନୀତି ଓ ନିଯୁକ୍ତି ସୃଷ୍ଟିର ମୁଖ୍ୟ ଆଧାର। ସରକାର ଡିଜିଟାଲ ବଜାର ବ୍ୟବସ୍ଥା ସହଉଦ୍ୟୋଗୀମାନଙ୍କୁ ସଂଯୋଗ କରି ସେମାନଙ୍କ ବ୍ୟବସାୟ ବିସ୍ତାର ପାଇଁ ପଦକ୍ଷେପ ନେଉଛନ୍ତି।