Kotia Border Disput : କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି ! ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେଲେ କୋଟିଆ ଭୋଟର

ପୁଣି ଚର୍ଚ୍ଚାରେ କୋରାପୁଟର କୋଟିଆ। ସୀମା ବିବାଦକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଟଣାଓଟରା ଭିତରେ ସାମ୍ନାକୁ ଆସିଛି ଆଉ ଏକ ଘଟଣା। ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେଇଛନ୍ତି କୋଟିଆ ଅଞ୍ଚଳର କିଛି ଭୋଟର। ଯାହାକୁ ନେଇ ପୁଣି ଥରେ ତେଜିଛି ସୀମା ବିବାଦର ଚର୍ଚ୍ଚା।

ମିଳିଥିବା ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶରେ ଚାଲିଥିବା ପଞ୍ଚାୟତ ନିର୍ବାଚନ ପାଇଁ ସାରିକାରେ ମତଦାନ କେନ୍ଦ୍ର କରାଯାଇଥିଲା। ଏହି କେନ୍ଦ୍ରକୁ ଯାଇ କୋଟିଆରେ ଥିବା ଆନ୍ଧ୍ର ଭୋଟରମାନେ ନିଜର ମତଦାନ ସାବ୍ୟସ୍ତ କରିଥିବା ସୂଚନା ମିଳିଛି। ତେବେ ସେମାନେ କେଉଁ ପରିସ୍ଥିତିରେ ଏବଂ କିପରି ଭୋଟ୍ ଦେବାକୁ ଯାଇଥିଲେ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଅନ୍ୟପଟେ ସାରିକାରେ ଭୋଟ୍ ଦେଇ ଫେରୁଥିବା ବେଳେ ଭୋଟରମାନଙ୍କ ସହ ପୋଲିସ ଓ ସ୍ଥାନୀୟ ଲୋକଙ୍କ କଥା କଟାକଟି ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ନେଇ ପ୍ରଶାସନ ସତର୍କ ରହିଛି।

ସେପଟେ କୋଟିଆ ଅଞ୍ଚଳରେ ଆନ୍ଧ୍ରର ଅନୁପ୍ରବେଶ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୀମାନ୍ତ ଅଞ୍ଚଳରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ନଜର ରଖାଯାଇଛି।

ତେବେ ଏହି ଘଟଣା ସମ୍ପର୍କରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରିନାହିଁ।

ଏବେ ବଡ଼ ପ୍ରଶ୍ନ, କୋଟିଆର ଭୋଟରମାନେ ଆନ୍ଧ୍ର ନିର୍ବାଚନରେ ଭୋଟ୍ ଦେବାକୁ ଗଲେ କେମିତି? ଏହା ପଛରେ କାହାର ଭୂମିକା ରହିଛି? ଆଉ ସୀମା ବିବାଦର ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଓଡ଼ିଶା ସରକାର କି ପଦକ୍ଷେପ ନେବେ? ଏବେ ତାହା ଉପରେ ସମସ୍ତଙ୍କ ନଜର।