
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସୋସିଆଲ ମିଡିଆରେ ପ୍ରସାରିତ ଡିପଫେକ୍ ଭିଡିଓ ଓ ମାନହାନିକାରକ ପୋଷ୍ଟ ବିରୋଧରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ପୋଷ୍ଟଗୁଡ଼ିକରେ ଦାବି କରାଯାଇଥିଲା ଯେ E20 ଇଥାନଲ୍ ନୀତିରୁ ଗଡକରୀ ଓ ତାଙ୍କ ପରିବାର ଆର୍ଥିକ ଲାଭ ପାଇଛନ୍ତି।ଗଡକରୀ ତାଙ୍କ ଆବେଦନରେ ମେଟା ସମେତ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଅଜ୍ଞାତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ବିରୋଧରେ ପ୍ରସାରିତ ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ ଓ ଭ୍ରାମକ।
ଆବେଦନରେ ଗଡକରୀ ସ୍ପଷ୍ଟ କରିଛନ୍ତି ଯେ ଦେଶର ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି। ତାଙ୍କ ମନ୍ତ୍ରଣାଳୟର ଏହି ଯୋଜନା ସହ କୌଣସି ସମ୍ପର୍କ ନଥିବାରୁ ସେ କିମ୍ବା ତାଙ୍କ ପରିବାର ଏଥିରୁ ଆର୍ଥିକ ଲାଭ ପାଇଥିବା ଦାବିର କୌଣସି ତଥ୍ୟଗତ ଆଧାର ନାହିଁ।ଜଷ୍ଟିସ୍ ଅଭୟ ଆହୁଜାଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ପରେ ବମ୍ବେ ହାଇକୋର୍ଟ ଗଡକରୀଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଦେୱାନୀ ମାମଲା ଦାୟର କରିବାକୁ ଅନୁମତି ଦେଇଛନ୍ତି। ମାମଲାର ଉଦ୍ଦେଶ୍ୟ ହେଉଛି କଥିତ ଡିପଫେକ୍ ଓ ମାନହାନିକାରକ ବିଷୟବସ୍ତୁକୁ ହଟାଇବା ସହ ମିଥ୍ୟା ତଥ୍ୟ ପ୍ରସାରଣକାରୀଙ୍କୁ ଆଇନ ଅନୁଯାୟୀ ଦାୟୀ କରିବା।