ସୁରତ : ଦୀପାବଳିରେ କର୍ମଚାରୀଙ୍କୁ ମାଲିକଙ୍କ ମନଖୋଲା ଉପହାର। ଜଣେ କି ଦୁଇଜଣ ନୁହେଁ, ଏକାଥରକେ ୨୦ ଜଣ କର୍ମଚାରୀଙ୍କୁ ଦେଲେ ଲକ୍ଷାଧିକ ଟଙ୍କାର ବୋନସ୍। ଏମିତି ଜଣେ ମାଲିକ, ଯିଏ ନିଜ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ଖୋଲିଦେଲେ ଟଙ୍କାର ପେଡ଼ି। ଦୀପାବଳିରେ ନିଜ କର୍ମଚାରୀଙ୍କୁ ଦେଲେ ଏମିତି ଉପହାର, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଗୁଜରାଟର ସୁରତରୁ ସାମ୍ନାକୁ ଆସିଛି ଏଭଳି ଏକ ନିଆରା ଘଟଣା।
ସୁରତର ମୋଟା ଭାରାଛା ଅଞ୍ଚଳର ସୁଦାମା ଚୌକରେ ରହିଛି ‘ମହାଦେବ କ୍ଲଥ ସେଣ୍ଟର’। ଏହି କପଡ଼ା ଦୋକାନର ମାଲିକ ରାମସ୍ୱରୂପ ମୁଣ୍ଡେ ନିଜର ୨୦ ଜଣ କର୍ମଚାରୀଙ୍କୁ ଦୀପାବଳି ଉପଲକ୍ଷେ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କାରୁ ଅଧିକ ନଗଦ ବୋନସ୍ ପ୍ରଦାନ କରିଛନ୍ତି।
ତେବେ ସବୁଠାରୁ ଆକର୍ଷଣୀୟ କଥା ହେଉଛି ବୋନସ୍ ଦେବାର ନିଆରା ଶୈଳୀ। ସାଧାରଣ ଭାବେ ଲଫାପା କିମ୍ବା ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଦେବା ପରିବର୍ତ୍ତେ ସେ ରୂପା ରଙ୍ଗର ପୂଜା ଥାଳିରେ ସଜାଇଥିଲେ ଟଙ୍କାର ବଣ୍ଡିଲ୍। ୧୦, ୨୦, ୫୦, ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍ର ବଣ୍ଡିଲ୍କୁ ସୁନ୍ଦର ଭାବେ ସଜାଇ କର୍ମଚାରୀଙ୍କ ହାତରେ ଧରାଇ ଦେଇଥିଲେ।
ଏତେ ପରିମାଣର ବୋନସ୍ ପାଇବେ ବୋଲି କର୍ମଚାରୀମାନେ ହୁଏତ କଳ୍ପନା ମଧ୍ୟ କରିନଥିଲେ। ହଠାତ୍ ଏଭଳି ଉପହାର ପାଇ ସମସ୍ତଙ୍କ ମୁହଁରେ ଫୁଟି ଉଠିଥିଲା ଖୁସିର ହସ। ଏପରିକି ବୋନସ୍ ବଣ୍ଟନ ସମୟରେ ଅନେକ କର୍ମଚାରୀ ଭାବବିହ୍ୱଳ ହୋଇପଡ଼ିଥିଲେ। କିଛି କର୍ମଚାରୀଙ୍କ ଆଖିରୁ ଝରି ପଡ଼ିଥିଲା ଖୁସିର ଲୁହ।
ବ୍ୟବସାୟୀ ରାମସ୍ୱରୂପ ମୁଣ୍ଡେଙ୍କ କହିବା ଅନୁସାରେ, କର୍ମଚାରୀମାନେ କେବଳ ତାଙ୍କ ଦୋକାନରେ କାମ କରୁଥିବା ଲୋକ ନୁହନ୍ତି, ବରଂ ତାଙ୍କ ପରିବାରର ଏକ ଅଂଶ। ନିଜ ପିଲାଦିନର ଆର୍ଥିକ ଅଭାବକୁ ମନେ ପକାଇ ସେ ଚାହିଁଥିଲେ, ତାଙ୍କ କର୍ମଚାରୀମାନେ ଟଙ୍କା ଚିନ୍ତା ବିନା ପରିବାର ସହ ଦୀପାବଳି ପାଳନ କରନ୍ତୁ।
ମୋଟ ୨୦ ଲକ୍ଷ ଟଙ୍କାରୁ ଅଧିକ ବୋନସ୍ ବଣ୍ଟନ କରି ଏବେ ସମସ୍ତଙ୍କ ହୃଦୟ ଜିତିଛନ୍ତି ଏହି ବ୍ୟବସାୟୀ। ସୋସିଆଲ ମିଡିଆରେ ବୋନସ୍ ବଣ୍ଟନର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି।
କାରଣ ମାଲିକ ବଡ଼ ହେଲେ କେବଳ ବ୍ୟବସାୟ ବଡ଼ ହୁଏନି, ମାଲିକଙ୍କ ହୃଦୟ ବଡ଼ ହେଲେ କର୍ମଚାରୀଙ୍କ ଘରେ ବି ଖୁସିର ଦୀପ ଜଳେ।