ରାଉରକେଲା : ଖୁସିର ପର୍ବ ଦୀପାବଳିରେ ଘଟିଲା ହୃଦୟବିଦାରକ ଅଘଟଣ। ଦୀପାବଳିର ଆଲୋକ ଭିତରେ ଲିଭିଗଲା ଜଣେ ନାବାଳକର ଜୀବନଦୀପ। ଭଉଣୀ ଆଖି ଆଗରେ ଚାଲିଗଲା ଭାଇର ଜୀବନ। ଘରେ ପହଞ୍ଚିବାକୁ ଆଉ ମାତ୍ର କିଛି ବାଟ ବାକି ଥିବାବେଳେ ବାଣ ବିସ୍ଫୋରଣରେ ଚାଲିଗଲା ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାଉରକେଲା ରଘୁନାଥପାଲି ଥାନା ଅନ୍ତର୍ଗତ କୌଶଲ୍ୟା ନଗରରେ।
ମୃତ ନାବାଳକ ହେଲେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଚିନ୍ମୟ ସାହୁ। ସୂଚନା ଅନୁସାରେ, ରବିବାର ଦୀପାବଳି ଅବସରରେ ଚିନ୍ମୟ ଓ ଅନ୍ୟ କିଛି ପିଲାଙ୍କୁ ନିଜ ଘରକୁ ଡାକିଥିଲେ ସେମାନଙ୍କ ଶିକ୍ଷକ। ଦୀପାବଳି ଉପଲକ୍ଷେ ଶିକ୍ଷକଙ୍କ ଘରେ ଆୟୋଜିତ ହୋଇଥିଲା ଭୋଜି। ଭୋଜି ଖାଇସାରି ସମସ୍ତେ ନିଜ ନିଜ ଘରକୁ ଫେରୁଥିଲେ।
ଚିନ୍ମୟ ନିଜ ଭଉଣୀ ଓ ଅନ୍ୟ ଜଣେ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ। ରାତି ପ୍ରାୟ ୯ଟା ସମୟରେ କୌଶଲ୍ୟା ନଗରର ଏକ ଛକ ନିକଟରେ ହଠାତ୍ ବାଣ ଫୁଟିଥିଲା। ବିସ୍ଫୋରଣରେ ଚିନ୍ମୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଚିନ୍ମୟଙ୍କୁ ମୃତ ଘୋଷଣା କରିଥିଲେ।
ସୌଭାଗ୍ୟବଶତଃ ଚିନ୍ମୟଙ୍କ ସହ ଥିବା ତାଙ୍କ ଭଉଣୀ ଓ ଅନ୍ୟ ଜଣେ ପିଲା ଏହି ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ବିସ୍ଫୋରଣ ହୋଇଥିବା ବାଣ ଭିତରେ କାଚ ଥିବା ସୂଚନା ମିଳିଛି। ଏହି କାଚ କିପରି ବାଣ ଭିତରକୁ ଆସିଲା ଓ କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା, ତାହାର ତଦନ୍ତ କରୁଛି ରଘୁନାଥପାଲି ପୋଲିସ।
ଅନ୍ୟପଟେ ଦୀପାବଳିର ଖୁସି ମୁହୂର୍ତ୍ତରେ ପୁଅକୁ ହରାଇ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକେ। ଯେଉଁ ଘରେ ଦୀପାବଳିର ଦୀପ ଜଳିବା କଥା, ସେହି ଘରେ ଏବେ ଶୋକର ଛାୟା।
ଘରକୁ ଫେରୁଥିଲା ପୁଅ, ହେଲେ ଘରେ ପହଞ୍ଚିଲାନି। ଦୀପାବଳିର ଖୁସି ମଝିରେ ସବୁଦିନ ପାଇଁ ଲିଭିଗଲା ଚିନ୍ମୟଙ୍କ ଜୀବନଦୀପ।