ମହାରାଷ୍ଟ୍ର : ଦୀପାବଳିର ଖୁସି ଭିତରେ ଘଟିଲା ଛାତିଥରା ଅଘଟଣ। ଆଲୋକର ପର୍ବରେ ଲିଭିଗଲା ଗୋଟିଏ ପରିବାରର ୬ଟି ଜୀବନଦୀପ। ରାତିରେ ସମସ୍ତେ ଖୁସିରେ ପାଳିଥିଲେ ଦୀପାବଳି, ହେଲେ ଭୋର୍ ହେବା ପୂର୍ବରୁ ସବୁକିଛି ଶେଷ ହୋଇଗଲା। ଦେଖୁଦେଖୁ ନିଆଁର ଆଁ ଭିତରେ ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ। ମହାରାଷ୍ଟ୍ରର ଧାରାଶିବ ଜିଲ୍ଲାର ୟେଡଶୀ ଗାଁରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା।
ସୂଚନା ଅନୁସାରେ, ସୋମବାର ଭୋର୍ ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ଏକ ତେଜରାତି ଦୋକାନରେ ହଠାତ୍ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଦୋକାନର ତଳ ମହଲାରେ ନିଆଁ ଲାଗିବା ପରେ ଏହା ଦ୍ରୁତ ଗତିରେ ଉପର ମହଲାରେ ଥିବା ବାସଗୃହକୁ ବ୍ୟାପିଯାଇଥିଲା। ଉପର ମହଲାରେ ଥିବା ପରିବାର ସଦସ୍ୟମାନେ ନିଆଁ ଓ ଧୂଆଁ ଭିତରେ ଫସିଯାଇଥିଲେ। ଫଳରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ କୃଷ୍ଣା ନାମକ ଜଣେ ମହିଳା ଏହି ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଛନ୍ତି।
ମୃତକମାନେ ହେଲେ ୭୫ ବର୍ଷୀୟ ଉତ୍ତମ ତ୍ର୍ୟମ୍ବକ କରଣ୍ଡେ, ୭୦ ବର୍ଷୀୟ ଚନ୍ଦ୍ରକଳା ଉତ୍ତମ କରଣ୍ଡେ, ୪୭ ବର୍ଷୀୟ ଗୋବିନ୍ଦ ଉତ୍ତମ କରଣ୍ଡେ, ୪୨ ବର୍ଷୀୟ ଜ୍ୟୋତି ଗୋବିନ୍ଦ କରଣ୍ଡେ, ୧୬ ବର୍ଷୀୟ ଗାୟତ୍ରୀ ଓ ୧୫ ବର୍ଷୀୟ ସିଦ୍ଧି। ମୃତକଙ୍କ ମଧ୍ୟରେ ଦୁଇଜଣ ନାବାଳିକା ଥିବାରୁ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ ଓ ପୋଲିସ। ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରାଯାଇଥିଲା। ଦୋକାନରେ ଗଚ୍ଛିତ ଥିବା ତେଲ ଓ ଘିଅ ଯୋଗୁଁ ନିଆଁ ଶୀଘ୍ର ବ୍ୟାପିଥିବା ପୋଲିସ କହିଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ ଜାରି ରହିଛି।
ଯେଉଁ ଘରେ ଦୀପାବଳିର ଦୀପ ଜଳୁଥିଲା, ସେହି ଘରେ ଜଳିଗଲା ୬ଟି ଜୀବନ। ଖୁସିର ପର୍ବ ପାଲଟିଗଲା ଶୋକର ପର୍ବ।