ଖୋର୍ଦ୍ଧାରେ ଅପରାଜିତାଙ୍କ ବିରୋଧରେ ବଢୁଛି ଅସନ୍ତୋଷ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଖୋର୍ଦ୍ଧା ବିଜେପିରେ କମ୍ପନ। ଅପରାଜିତା ହଟାଓ ଅଭିଯାନ ଆରମ୍ଭ କଲେଣି ବିଜେପି କର୍ମୀ। ଅପରାଜିତାଙ୍କ ଗୋଟିଏ ବିବାଦୀୟ ବୟାନ ପାଇଁ ଦଳକୁ ବହୁମୂଲ୍ୟ ଦେବାକୁ ହେବ ବୋଲି ଖୋର୍ଦ୍ଧାର ସାମ୍ପ୍ରତିକ ସ୍ଥିତିକୁ ଦେଖି ସ୍ପଷ୍ଟ ବାରିହୋଇଯାଉଛି। ସ୍ଥିତି ଏମିତି ହୋଇଛି କି ଜିଲ୍ଲାର ଶହ ଶହ ବିଜେପି କର୍ମୀ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ହଙ୍ଗାମା କରିଛନ୍ତି। ଯାହାକୁ ଦେଖି ଲାଗୁଛି, ଅପରାଜିତା ଅତି ଉତ୍ସାହିତ ହୋଇ ପ୍ରଶାନ୍ତ ଜଗଦେବ ବା ଗଣେଷ ଜଗଦେବଙ୍କୁ ଖୋର୍ଦ୍ଧାର ଉଚିତ ପ୍ରାର୍ଥୀ କହିବା ତାଙ୍କୁ ତଥା ତାଙ୍କ ଦଳ ପାଇଁ ଘାତକ ହେବାକୁ ଯାଉଛି। ଏଠାରେ ପୂର୍ବରୁ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା କାଳୁଚରଣ ଖଣ୍ଡାୟତରାୟଙ୍କ ସମର୍ଥକ ଅପରାଜିତାଙ୍କ ବାଟରେ କଣ୍ଟା ହୋଇଠିଆ ହୋଇଛନ୍ତି, ଯାହା ଆଗାମୀ ସଂସଦୀୟ ନିର୍ବାଚନରେ ଅପରାଜିତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିପାରେ ବୋଲି କୁହାଯାଉଛି।

ତେବେ ଏହି ବିବାଦ କିଛି ଦିନ ତଳେ ଖୋର୍ଦ୍ଧାରେ ଅନୁଷ୍ଠିତ ଏକ ମେଳଣ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଦଳରେ ନୂତନ ଭାବେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଉଚିତ ବ୍ୟକ୍ତି ବୋଲି କହିଥିଲେ। ଯାହାକୁ ନେଇ ତାତିଛନ୍ତି କୋଳୁ ଖଣ୍ଡାୟତ ରାୟଙ୍କ ସମର୍ଥକ। କାଳୁ ଖଣ୍ଡାୟତ ରାୟ ବିଗତ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପି ଟିକେଟରେ ପ୍ରାର୍ଥୀ ହୋଇ ବିଜେଡିଠାରୁ ପରାସ୍ତ ହୋଇଥିଲେ।ଏହା ସତ୍ତ୍ବେ ସେ ଖୋର୍ଦ୍ଧା ବିଜେପି ସଂଗଠନକୁ ଯୋଡି ରଖିବାରେ କାର୍ଯ୍ୟ କରିବା ସହ ୨୦୨୪ ନିର୍ବାଚନରେ ଟିକେଟ ପାଇବାକୁ ନେଇ ଆଶାବାଦୀ। ହେଲେ ଅପରାଜିତାଙ୍କ ବୟାନ ତାଙ୍କ ସବୁ ସ୍ବପ୍ନକୁ ଧୋଇଦେବା ପରେ ସେ କ୍ଷୁବ୍ଧ। ନିଜ ସଂଗଠନକୁ ନେଇ ରାଜ୍ୟ ବିଜେପି ଅଫିସରେ ସାଂସଦଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ ନିଜ ଶକ୍ତି।

ଅପରାଜିତାଙ୍କ ବିରୋଧରେ ଏହି ମେଳିକୁ ଦେଖିବା ପରେ ଲାଗୁଛି ଅପରାଜିତାଙ୍କ ପାଇଁ ବିଜୟ ହୋଇଯିବ ସ୍ବପ୍ନ। କାରଣ କାଳୁଚରଣ ଓ ତାଙ୍କ ସର୍ଥକ ଖୋଲାଖୋଲି ଅପରାଜିତାଙ୍କୁ ବିତାଡିତ କରିବାକୁ କହିସାରିଛନ୍ତି। ସେପଟେ ବିଜେଡିରୁ ଆସିଥିବା ଚିଲିକା ବିଧାୟକ ପ୍ରଶାନ୍ତଙ୍କୁ ତାଙ୍କ ପୂର୍ବ କାରନାମା ପାଇଁ ବିଜେପିର ଅନେକ ଗ୍ରହଣ କରିପାରୁନାହାନ୍ତି । ଏବେ ସାଂସଦଙ୍କ ଜଗଦେବ ପ୍ରୀତି ବିଜେଡିକୁ ଫାଇଦା ଦେବା ସହ ତାଙ୍କ ପରାଜୟର କାରଣ ଯେ ନ ହେବ ଏହି ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।

Leave a Reply

Your email address will not be published. Required fields are marked *