ବସୁଧା ଯୋଜନାରୁ ବଞ୍ଚିତ ପଡିଆସାହିବାସୀ

ଗାଁ ମୁଣ୍ଡରେ ନିର୍ମାଣ ହୋଇଛି ବସୁଧା ଯୋଜନାରେ ସୁଉଚ୍ଚ ପାଣି ଟାଙ୍କି। ମାତ୍ର ସାହିକୁ ସଂଯୋଗ ହୋଇନାହିଁ ପାଣି ପାଇପ୍।ଫଳରେ ସରକାରଙ୍କ ବିଶୁଦ୍ଧ ପାଇପ୍ ଜଳ ଯୋଗାଣରୁ ବଞ୍ଚିତ ହୋଇଛନ୍ତି ୩୦ ରୁ ଅଧିକ ଆଦିବାସୀ ପରିବାର । ଭୋଟ ବର୍ଜନ କରିବାକୁ ଦେଇଛନ୍ତି ଚରମ ଚେତାବନୀ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ସୁନାପଶି ପଞ୍ଚାୟତର ଗିରିଧାରିପୁର ପଡିଆ ସାହିର ଏହି ଦୁର୍ଦ୍ଦଶାର କାହାଣୀ।

ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ସମସ୍ତ ଅଞ୍ଚଳକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ଚମ୍ପୁଆ ବ୍ଲକ ଅନ୍ତର୍ଗତ କୋଦଗାଡିଆ ପଞ୍ଚାୟତର ମିରିଗିସିଙ୍ଗାରେ ବସୁଧା ଯୋଜନାରେ ଏକ ବୃହତ ମେଗା ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିଛନ୍ତି। ଏଠାରୁ ବ୍ଲକର ଅଧିକାଂଶ ଗ୍ରାମକୁ ଜଳ ଯୋଗାଣ ମଧ୍ୟ ଆରମ୍ଭ ହୋଇଯାଇଛି। ଏ ନେଇ ପ୍ରତି ଗାଁର କାନ୍ଥ ବାଡରେ ସୂଚନା ଫଳକ ଲଗାଯାଇ ସରକାରଙ୍କ ଆଦିବାସୀଙ୍କ ପ୍ରତି ସମ୍ବେଦନଶୀଳତାକୁ ଦର୍ଶା ଯାଉଛି। ହେଲେ ଏହି ମେଗା ପ୍ରକଳ୍ପଠାରୁ ମାତ୍ର ୩ କିଲୋମିଟର ଦୂର ଗିରିଧାରୀ ପୁର ପଡିଆସାହିକୁ ପହଞ୍ଚିପାରିନି ଯୋଜନା। ପଡିଆ ସାହିରେ ପ୍ରାୟ ୩୦ ପରିବାର ବସବାସ କରୁଛନ୍ତି। ହେଲେ ଟ୍ୟାପ ଯୋଗେ ଜଳ ଯୋଗାଣରୁ ବଞ୍ଚିତ ସାହିବାସୀ।

ତେଣୁ ଏତେ ପରିବାର ମାତ୍ର ଗୋଟିଏ ଟ୍ୟୁୱେଲ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ପାଣି ପାଇଁ ଲୋକେ ଘଣ୍ଟା ଘଣ୍ଟା ଲାଇନରେ ରହି ପାଣି ନେଉଛନ୍ତି। ସେପଟେ ଆଗକୁ ଖରାଦିନ ଆସୁଛି। ଜଳସ୍ତର କମିବ। ତେଣୁ ଏହି ସାହିକୁ ବସୁଧାର ଜଳ ଯୋଗାଇବାକୁ ଗ୍ରାମବାସୀ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବା ସତ୍ତ୍ବେ କେହି ଏମାନଙ୍କ ଜଳକଷ୍ଟ ପ୍ରତି ଦୃଷ୍ଟି ଦେଉନାହାନ୍ତି। ଯାହାକୁ ନେଇ ସାହିବାସୀ ଅସନ୍ତୁଷ୍ଟ। ଆଗକୁ ନିର୍ବାଚନ ଥିବାରୁ ଠିକଣା ସମୟରେ ଜବାବ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଏଠାକାର ଲୋକେ।

ପାଣି ପାଇଁ ଲୋକେ ବହୁ ହନ୍ତସନ୍ତ ହେଉଥିବା ବେଳେ ପ୍ରଶାସନର ନିରବତାରେ ସନ୍ତୁଳି ହେଉଛନ୍ତି ପଡିଆସାହି ବାସୀ। ନିର୍ବାଚନ ପୂର୍ବରୁ ଗାଁକୁ ଟ୍ୟାପ ଯୋଗେ ପାଣି ଯୋଗାଣକୁ ସେମାନଙ୍କ ଅପେକ୍ଷା। ସମସ୍ୟା ପୂରଣ ନହେଲେ ମତଦାନରୁ ଦୂରେଇ ରହିବାକୁ ଦେଇଛନ୍ତି ଚେତାବନୀ। ଏପରି ସମୟରେ ଦେଖିବାକୁ ରହିଲା ଏମାନଙ୍କ ଦାବି ପ୍ରତି ପ୍ରଶାସନ ଦୃଷ୍ଟି ଦେଉଛି ନା ମିଛ ପ୍ରତିଶ୍ରୁତି ଦେଇ ଏହି ନିରୀହ ଆଦିବାସୀଙ୍କୁ ପ୍ରଲୋଭିତ କରାଯାଉଛି

Leave a Reply

Your email address will not be published. Required fields are marked *