ଏଫେଲ ଟାୱାରକୁ ପଛରେ ପକାଇଲା ଭାରତର ଚେନାବ ରେଳପୋଲ

ଭାରତ ରଚିଲା ଆଉ ଏକ କୀର୍ତ୍ତି। ବିଶ୍ୱର ସର୍ବୋଚ୍ଚ ପୋଲର ମାନ୍ୟତା ହାସଲ କରିଛି  ଜମ୍ମୁ କାଶ୍ମୀରର ଚେନାବ ନଦୀ ଉପରେ ନିର୍ମିତ ଏହି ପୋଲ। ଆଉ ଏହା ଉପରେ ସଫଳତା ସହ ଗଡିଲା ଟ୍ରେନ। ଭାରତୀୟ ରେଳବାଇ ବିଶ୍ୱର ସର୍ବୋଚ୍ଚ ସ୍ଥଳିରେ ରେଲ ଲାଇନ ବିଛାଇବା ସହ ରେଳ ଗଡାଇ ରଚିଛି ଇତିହାସ । ଗତ ମାର୍ଚ୍ଚ 21 ତାରିଖରେ ଏହି ସର୍ବୋଚ୍ଚ ପୋଲ ଉପରେ ପରୀକ୍ଷଣ କରାଯାଇଛି। ଏଥିରେ 1200 ଶ୍ରମିକ ଓ 300 ଇଞ୍ଜିନିୟର 24 ଘଣ୍ଟା କାର୍ଯ୍ୟରତ ଥିଲେ। ପୂର୍ବରୁ 2019ସୁଦ୍ଧା ଏହି  ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା।

ଉଧାମପୁର ଶ୍ରୀନଗର ବାରାମୁଲ୍ଲା ରେଳ ଲାଇନ ଯୋଜନାରେ ପୋଲଟି ଗୁରୁତ୍ୱପୂର୍ଣ୍ଣ କତ୍ରା-ବନିହାଲ କ୍ଷେତ୍ରକୁ ସଂଯୋଗ କରିବ। ଏହି ରେଳ ପୋଲଟି ବିଶ୍ୱର ସର୍ବୋଚ୍ଚ ପୋଲର ମାନ୍ୟତା ପାଇଛି, କାରଣ ଏହା ଦିଲ୍ଲୀର କୁତବମିନାରଠାରୁ 5 ଗୁଣା ଉଚ୍ଚ ହୋଇଥିବା ବେଳେ ଏଫେଲ ଟାୱାରଠାରୁ 35 ମିଟର ଉଚ୍ଚ ରହିଛି। ବର୍ତ୍ତମାନ ସଡକ ପଥରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ପାଇଁ 11 ଘଣ୍ଟା ଲାଗୁଥିବା ବେଳେ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ମାତ୍ର 5 ଘଣ୍ଟାରେ ସମ୍ଭବ ହେବ।

ପୋଲ ନିର୍ମାଣ କାର୍ଯ୍ୟ 2004ରେ ଆରମ୍ଭ ହୋଇଥିଲା ଓ 2019ରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।  କିନ୍ତୁ 2008-2009 ମଧ୍ୟରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ତଥା ରିଆସି ଜିଲ୍ଳାରେ ପ୍ରବାହିତ ପ୍ରଖର ବାୟୁ ପ୍ରବାହ ପାଇଁ କାର୍ଯ୍ୟକୁ ମଝିରେ ବନ୍ଦ କରିଦିଆଯାଇଥିଲା। ପରବର୍ତ୍ତୀ ସମୟରେ ପୋଲ କାର୍ଯ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୋଲ ତଳେ ଏକ ତୋରଣର ନିର୍ମାଣିତ ହୋଇଛି, ଯାହା ଏତେ ଉଚ୍ଚର ପୋଲର ଭାର ସମ୍ଭାଳୁଛି।

ନିର୍ମିତ ଏହି ରେଳ ପୋଲର ଲମ୍ବ 1,315 ମିଟର ହୋଇଥିବା ବେଳେ ନଦୀ ଶର୍ଯ୍ୟାରୁ 359 ମିଟର  ଉଚ୍ଚତା ରହିଛି। କୋଙ୍କଣ ରେଳବାଇ ମାଧ୍ୟମରେ ସାପୁର୍ଜି ପାଲ୍ଲୋନଜି ଗ୍ରୁପର ଭାଗିଦାରୀ ସଂସ୍ଥା ଆଫକୋନ୍ସ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ ଦ୍ୱାରା ପୋଲ ନିର୍ମାଣ କରାଯାଉଛି ଓ 1,250 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

ପୋଲକୁ ଆଗାମୀ 120 ବର୍ଷକୁ ଆଖିରେ ରଖି କରାଯାଇଥିବା ବେଳେ ଏହା ଘଣ୍ଟା ପ୍ରତି 260 କିମି ବେଗ ପବନ ମାଡ ସମ୍ଭାଳି ପାରିବ। ପୋଲକୁ ଏମିତି ନିର୍ମାଣ କରାଯାଇଛି କି, ପ୍ରଖର ବାୟୁ ପ୍ରବାହ ସତ୍ତ୍ୱେ ଟ୍ରେନର ବେଗ ପୋଲ ଉପରେ 100 କିମି ପ୍ରତି ଘଣ୍ଟା ରହିଛି।

Leave a Reply

Your email address will not be published. Required fields are marked *