Category: ଜିଲ୍ଲା

  • ପଣସ ହେଲା କାଳ, ଦୁଇ ଗଛ ମଝିରେ ଫସିଗଲା ହାତୀ

    ପଣସ ହେଲା କାଳ, ଦୁଇ ଗଛ ମଝିରେ ଫସିଗଲା ହାତୀ

    ଅନୁଗୁଳ ଜିଲ୍ଲା ବୃତ୍ତି ଗାଁ ନିକଟରେ ଏକ ହାତୀ ଫସି ରହିଛି । ପଣସ ଖାଇବାକୁ ଆସି ହାତୀଟି ଫସିଯାଇଥିବା ଅନୁମାନ କରାଯାଉଛି । ଦୁଇ ଗଛ ମଝିରେ ଫସି ରହିଛି ଗଜରାଜ । ପଣସ ଖାଇବା ଲୋଭ ଶେଷରେ ହାତୀକୁ ଅଡୁଆରେ ପକାଇଛି । ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ବନାଞ୍ଚଳ ବୃତ୍ତି ଗାଁ ନିକଟରେ ଏଭଳି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ।

    ଏଭଳି ଦୃଶ୍ୟ ଦେଖିବା ପାଇଁ ଲୋକଙ୍କ ଭିଡ଼ ବି ଜମିଥିଲା । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଫସି ଯାଇଥିବା ହାତୀ ଉଦ୍ଧାର ପାଇଁ ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚିଛି । ହାତୀ ଯଦି ଆହତ ଥିବ ତାହେଲେ ତାର ଚିକିତ୍ସା କରାଯିବ ବୋଲି ଜିଲ୍ଲା DFO ସୂଚନା ଦେଇଛନ୍ତି । ଖରାଦିନରେ ଆମ୍ବ, ପଣସ ପାଚୁଥିବାରୁ ଏହା ଖାଇବା ପାଇଁ ଜଙ୍ଗଲ, ବଣ, ପାହାଡ଼ରେ ବୁଲିଥାନ୍ତି ହାତୀପଲ । ଏବେ ପଣସ ଖାଇବାକୁ ଆସି ହାତୀ ଫସିଯାଇଥିବା ବେଳେ ତାର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

  • ମା’ଙ୍କୁ ମୁଖାଗ୍ନି ଦେଲା ଝିଅ, ପଚାରିଲେନି ୩ ପୁଅ

    ମା’ଙ୍କୁ ମୁଖାଗ୍ନି ଦେଲା ଝିଅ, ପଚାରିଲେନି ୩ ପୁଅ

    ଦୃଶ୍ୟ ଦେଖିବା ଭାରି କଷ୍ଟକର । ପୁଅ କାହାପାଇଁ,କାହାର ସେବା କରିବାକୁ ସେମାନେ ଜନ୍ମ । ଯେଉଁ ମା’ଦଶ ମାସ ଗର୍ଭରେ ଧରି, କଷ୍ଟ ଯନ୍ତ୍ରଣା ସହି ପୁଅକୁ ଜନ୍ମଦିଏ ଆଉ ଦୁନିଆ ଦେଖାଏ ଶେଷରେ କ’ଣ ଏମିତି କିଛି ଆଶା ରଖେ । ବାର୍ଦ୍ଧକ୍ୟ ଅବସ୍ଥାରେ ମା’ର ମୃତ୍ୟୁ ପରେ ପୁଅଙ୍କ ଅବହେଳା ନିହାତି ନିନ୍ଦନୀୟ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ତେଲକୋଇ ଥାନା ସଲେଇକେନା ଗାଁରେ ।

    ଯୋଡ଼ା ବ୍ଲକ୍ ମରସୁଆଁ ଗାଁର ମୁକୁନ୍ଦ ନାଏକଙ୍କ ୮୦ ବର୍ଷୀୟ ସ୍ତ୍ରୀ ଅପୂର୍ବ ନାଏକ । ଆଜି ତାଙ୍କର ବାର୍ଦ୍ଧକ୍ୟଜନିତ ମୃତ୍ୟୁ ହୋଇଥିଲା । ତେଲକୋଇ ବ୍ଲକ୍ ସଲେଇକେନା ଗାଁରେ ଅପୂର୍ବଙ୍କ ବଡ଼ ଝିଅ ନିରାଶ ନାଏକ ବିବାହ କରିଥିଲେ । ପୁଅଙ୍କ ଅବହେଳା ଯୋଗୁଁ ଦୀର୍ଘ ୫ ବର୍ଷ ହେଲା ଝିଅ ଘରେ ରହି ଆସୁଥିଲେ ଅପୂର୍ବ ନାୟକ । ଆଜି ମା’ଙ୍କ ମୃତ୍ୟୁ ଖବର ୩ ଭାଇଙ୍କ ନିକଟକୁ ପଠାଇଥିଲେ ଭଉଣୀ ନିରାଶ ନାଏକ । କିନ୍ତୁ ସର୍ବଦା ଅବହେଳା କରୁଥିବା ଭାଇ ମନୁ, ଅନାମ ଓ ସାଇବ ଶବ ନେବା ପାଇଁ ମନା କଲେ । ଶେଷରେ ବୃଦ୍ଧାଙ୍କ ଝିଅ ନିରାଶ ଏବଂ ଜ୍ୱାଇଁ ସତ୍ୟାନନ୍ଦ ନିଜ ଗାଁରେ ଶବ ସତ୍କାର କଲେ ।

    ସରପଞ୍ଚ ପାଙ୍ଗେଲା ମୁଣ୍ଡା, ଗାଁର ୱାର୍ଡମେମ୍ବର ଏବଂ ଭଦ୍ରବ୍ୟକ୍ତିଙ୍କ ସହଯୋଗରେ ବୃଦ୍ଧାଙ୍କ ଝିଅ ନିରାଶ, ଶ୍ମଶାନ ଯାଏ ଶବକୁ କାନ୍ଧରେ ନେଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ସେ ମା’ଙ୍କୁ ମୁଖାଗ୍ନି ଦେଇଥିଲେ । ପୁଅଙ୍କ ଅବହେଳା, ଜିଦଖୋର ମନୋଭାବ ଯୋଗୁଁ ଶେଷରେ ଝିଅ ଶବ ସତ୍କାର କରିବାକୁ ବାଧ୍ୟ ହୋଇଥିଲେ ।

    ବାପା ମୁକୁନ୍ଦଙ୍କ ମୃତ୍ୟୁ ପରେ ୩ ପୁଅ ମା’ଙ୍କ ସେବାରେ ଅବହେଳା କଲେ, ତାଙ୍କୁ ହଇରାଣ କରିବାରୁ ବୃଦ୍ଧା ଶେଷରେ ଝିଅ ଘରେ ରହି ଆସୁଥିଲେ । ହେଲେ ମଲା ପରେ ବି ପୁଅମାନେ ଶବ ଛୁଇଁଲେ ନାହିଁ । ଯାହା ସମାଜ ପାଇଁ ଏକ କଳଙ୍କ । ବାପାମାଙ୍କ ପ୍ରତି ପୁଅମାନଙ୍କ ଏଭଳି ବ୍ୟବହାର, ଅବହେଳା, ମୁହଁମୋଡ଼ା ନୀତି ସମାଜରେ ଗ୍ରହଣୀୟ ନୁହେଁ । ମା’ଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ ଏଭଳି ସ୍ଥିତିରେ ମା’ଙ୍କ ପ୍ରତି ପୁଅଙ୍କ ଅବହେଳା ନେଇ ପ୍ରଶ୍ନ ଉଠିଛି ।

  • ସରକାରୀ ଅଫିସରେ ତାଲା ପକାଇଲେ ନେତା

    ସରକାରୀ ଅଫିସରେ ତାଲା ପକାଇଲେ ନେତା

    ସରକାରୀ ଅଫିସରେ ତାଲା ପକାଇଲେ ବିଜେପି ନେତା। ଅଫିସ ଅଛି ହେଲେ କର୍ମଚାରୀ ନାହାନ୍ତି କି ନାହାନ୍ତି ଅଧିକାରୀ। ଫଳରେ ଲୋକେ ନିଜ ଅଭିଯୋଗ ନେଇ ଆସି ଖାଲି ହେଉଛନ୍ତି ହନ୍ତସନ୍ତ । ଏମିତି ନିତିଦିନିଆ ଅଭ୍ୟାସକୁ ଦେଖି ଆଜି ହଠାତ କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରା କଟକ ଜିଲ୍ଲା ସାଲେପୁର ବ୍ଲକରେ ପହଞ୍ଚି କର୍ମଚାରୀ ନଥିବା ସବୁ ବିଭାଗରେ ପକେଇ ଦେଇଥିଲେ ତାଲା। ଏହି ପରିସରେ ଏବିଡ଼ିଓ, ସହକାରୀଯନ୍ତ୍ରୀ, ଯୋଗାଣ ଅଧିକାରୀଙ୍କ ସମେତ ବହି ବିଭାଗ ରହିଛି।

    ସକାଳୁ ହଠାତ କିଛି ସମର୍ଥକଙ୍କୁ ଧରି ସାଲେପୁର ବ୍ଲକ କାର୍ଯ୍ୟାଳୟ ଭିତରକୁ ପହଞ୍ଚିଥିଲେ ବିଜେପି ନେତା ପ୍ରକାଶ ବେହେରା। ହେଲେ ଅଫିସରଙ୍କ କଥା ଦୂରେ ଥାଉ କର୍ମଚାରୀମାନେ ମଧ୍ୟ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ। ଅନ୍ୟପଟରେ କିଛି ଅଭିଯୋଗକାରୀ ସେମାନଙ୍କ ଅଭିଯୋଗ ନେଇ ଅଫିସରେ ଅପେକ୍ଷା କରିଥିଲେ। ପ୍ରକାଶଙ୍କୁ ସେଠାରେ ଦେଖି ସମସ୍ତେ ତାଙ୍କୁ ଘରିଯାଇଥିଲେ ଓ ନିଜ ଅସୁବିଧା କରିବା ସହ କେହି ସେମାନଙ୍କ କଥା ବୁଝୁ ନ ଥିବା କରିଥିଲେ ଅଭିଯୋଗ। ଲୋକଙ୍କ ସମସ୍ୟା ସମାଧାନ ହେଉ ନ ଥିବା ଓ ଅଫିସରେ କର୍ମଚାରୀଙ୍କ ଅନୁପସ୍ଥିତିକୁ ଦେଖି ରାଗି ଯାଇ ଅଫିସରେ ତାଲା ପକାଇଥିଲେ ବୋଲି ପ୍ରକାଶ କହିଛନ୍ତି।

    ସେପଟେ ଅଫିସର ନଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବିଡିଓ। ତାଲା ପକାଯାଇଥିବା ଅଫିସ’ର ଅଫିସରମାନେ ଫିଲ୍ଡ ଭିଜିଟରେ ଯାଇଥିବା ଏବିଡିଓ କହିଛନ୍ତି। ତେବେ କିଛି ସମୟ ତାଲା ପଡିବା ପରେ ସାଲେପୁର ପୋଲିସ ସୂଚନା ପାଇ ସେଠାରେ ପହଞ୍ଚିଥିଲା ଓ ତାଲା ଭାଙ୍ଗି ଅଫିସ ପୁନଃ ଖୋଲିଥିବା ଦେଖିବାକୁ ମିଳିଛି। 

  • ସର୍ଟ ସର୍କିଟରୁ ଦୁଇ ପରିବାରରେ ଲାଗିଲା ନିଆଁ

    ସର୍ଟ ସର୍କିଟରୁ ଦୁଇ ପରିବାରରେ ଲାଗିଲା ନିଆଁ

    ଆଜି ମଧ୍ୟହ୍ନରେ ନିଆଁ ଲାଗି ଦୁଇ ପରିବାରର ୪ ବଖରା ଘର ପୋଡି ଯାଇଛି। ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡର  ବିଜାତଳା ବ୍ଲକ୍ ବଣକାଟି ପଞ୍ଚାୟତ  ବାଲିଆଢ଼ିପା ପରାଉଡ଼ି ଗ୍ରାମରେ ଏହି ଅଗ୍ନିକାଣ୍ଡ ହୋଇଛି। ତେବେ ମଧ୍ୟାହ୍ନରେ ସମସ୍ତ କାମକୁ ଯାଇଥିବାରୁ କେହି ମୃତାହତ ହୋଇ ନ ଥିବାର ସୂଚନା ରହିଛି।

    ବାଲିଆଢ଼ିପା ପରାଉଡ଼ି ଗାଁର ଅନନ୍ତ ଚରଣ ଟୁଡୁ ଓ ଦୁବରାଜ ବାସକେଙ୍କ ପରିବାର ସବୁଦିନ ପରି ଆଜି ମଧ୍ୟ କାମକୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ୧ଟାରେ ହଠାତ୍ ସାହି ପଡିଶା ଦେଖିଥିଲେ କି ସେମାନଙ୍କ ଅନନ୍ତ ଓ ଦୁବରାଜଙ୍କ ଘରେ ନିଆଁ ଲାଗିଯାଇଛି ଓ ଚାଳରୁ ହୁତୁ ହୁତୁ ହୋଇ ଜଳୁଛି। ଏହା ଦେଖି ଗ୍ରାମବାସୀ ୱାର୍ଡ ମେମ୍ୱରଙ୍କୁ ଖବର ଦେଇଥିଲେ। ୱାର୍ଡ ମେମ୍ବରଙ୍କଠାରୁ ଖବର ପାଇ ବିଜାତାଲା ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା।

    ନିଆଁ ଲାଗିବା ବେଳେ ପରିବାରର କେହି ଘରେ ନଥିବାରୁ ଏକ ବଡଧରଣର ଅଘଟଣ ଟଳିଯାଇଥିବା ବେଳେ କିନ୍ତୁ  ଦୁଇ ପରିବାରର ସମସ୍ତ କାଗଜ ପତ୍ର ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଛି। ନିଆଁ ସର୍ଟସର୍କିଟରୁ ଲାଗିଥିବା ସନ୍ଦେହ କରାଯାଉଛି।  

  • ଜନ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପଳଙ୍କ ନିର୍ଦ୍ଦେଶ

    ଜନ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପଳଙ୍କ ନିର୍ଦ୍ଦେଶ

    ଆଜି ବାମନଘାଟି ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ଆୟୋଜିତ ତଥା ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଋଷିକେଶ ଦ୍ୟାନ ଦେଓ ଖିଲାରୀ , ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ , ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳା ନନ୍ଦ ସାହୁ ଓ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ଼ା. ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । .

    ପ୍ରାରମ୍ଭ ରେ ଜିଲ୍ଲାପାଳ ଜନସାଧାରଣଙ୍କ ଠାରୁ ଆସୁଥିବା ସମସ୍ତ ଆପତ୍ତି ଅଭିଯୋଗ ଗୁଡିକର ସମାଧାନ ତ୍ୱରିତ ପ୍ରକ୍ରିୟା ରେ ସମ୍ପନ୍ନ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ. ।ଆଜିର ଏହି ଶିବିର ରେ ଜନସାଧାରଣ ଙ୍କ ଠାରୁ ମୋଟ ୧୦୬ ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବା ବେଳେ ୯୩ ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଏବଂ ୧୩ ଟି ଗ୍ରାମବାସୀ ଙ୍କ ବିଭିନ୍ନ ସମସ୍ୟା ଭିତ୍ତିକ ସାମୁହିକ ଅଭିଯୋଗ ଥିଲା.। ସହାୟତା ରାଶି ପ୍ରଦାନ ପାଇଁ ଆସିଥିବା ୨ ଟି ଅଭିଯୋଗର ଗୁରୁତ୍ୱ ଓ ପରିସ୍ଥିତିକୁ ବିଚାର କରି ଟ.୫000/- ଲେଖାଏଁ ମୋଟ ଟ.୧0000/-(ଦଶ ହଜାର ଟଙ୍କା ) ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଜିଲ୍ଲାପାଳ ମଂଜୁର କରିଛନ୍ତି।

    ଅନ୍ୟାନ୍ୟ ଆପତ୍ତି ଅଭିଯୋଗ ଗୁଡିକର ବିଷୟ ପ୍ରସଙ୍ଗ ଉପରେ ସବିଶେଷ ତଦନ୍ତ କରି ଅନୁଧ୍ୟାନ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ତ୍ୱରିତ ପ୍ରକ୍ରିୟା ରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ।. ଅନୁଷ୍ଠିତ ଉକ୍ତ ବୈଠକ ରେ ବାମନଘାଟି ଉପଖଣ୍ଡ ଅଧିନସ୍ଥ ସମସ୍ତ ଉପଖଣ୍ଡ ସ୍ତରୀୟ ବିଭାଗୀୟ ଅଧିକାରୀ, ରାଇରଙ୍ଗପୁର ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଭିନ୍ନ ଲାଇନ ବିଭାଗ ର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନଙ୍କ ଦ୍ୱାରା ଶିବିର କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

  • ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟରେ ଓଡିଆ ଫିଲ୍ମ ‘ଅଦ୍ୱିତୀୟ’କୁ  ଦୁଇ ପୁରସ୍କାର

    ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟରେ ଓଡିଆ ଫିଲ୍ମ ‘ଅଦ୍ୱିତୀୟ’କୁ  ଦୁଇ ପୁରସ୍କାର

    ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଓଡିଶାର ଫିଲ୍ମର ବାଜିମାତ୍। ଦକ୍ଷିଣ ଆଫ୍ରିକାର ମରିସସରେ ଆୟୋଜିଚ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଦୁଇଟି ଶ୍ରେଣୀରେ ଚଳଚ୍ଚିତ୍ର ‘ଅଦ୍ୱିତୀୟ’ ପୁରସ୍କାର ହାତେଇଛି।  ଗଞ୍ଜାମ ଜିଲ୍ଲାର ହିଞ୍ଜିଲିକାଟୁର ନିତ୍ୟମ କାଳା ଗବେଷଣା କେନ୍ଦ୍ର ଦ୍ୱାରା ଏହି ଚଳଚ୍ଚିତ୍ର ଟି ନିର୍ମିତ ହୋଇଛି।

    କୃଷ୍ଣ ଡି.କେଙ୍କ ନିର୍ଦ୍ଦେଶିତ ଏହି କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରଟି କେତେକ ବାସ୍ତବ ଘଟଣା ଉପରେ ଆଧାରିତ, ଯେଉଁଥିରେ ଦର୍ଶାଯାଇଛି, କିପରି ପୋଲିସ ଚାହିଁଲେ ଏକ ଅପରାଧ ସମ୍ପନ୍ନ ସହରକୁ ଅପରାଧ ମୁକ୍ତ କରିପାରିବ। ଅପରାଧୀଙ୍କୁ ଅପରାଧର କଳା ସାମ୍ରାଜ୍ୟରୁ ବାହାର କରି ସମ୍ମାନଜନକ ଜୀବନ ଅତିବାହିତ କରିବାରେ ସହାୟକ ହୋଇପାରିବ।

    ଚଳଚିତ୍ରର ବିଷୟବସ୍ତୁ  ଆସ୍କା ଓ ଏହାର ଆଖପାଖ ଅଞ୍ଚଳକୁ ନେଇ ଗଢିଉଠିଛି।  ଆସ୍କା ପୋଲିସ୍ ଷ୍ଟେସନର ଆଇଆଇସି  ଲୋକଙ୍କ ବିଶ୍ୱାସ ଭାଜନ ହେବାରେ ସକ୍ଷମ ହୋଇଛନ୍ତି ଓ ଅପରାଧୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିଛନ୍ତି।  ଏକ ଅପରାଧର ସହରକୁ ଅପରାଧ ନିୟନ୍ତ୍ରିତ ସହରରେ ପରିଣତ କରିଛନ୍ତି।  ଚଳଚ୍ଚିତ୍ରରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଆଇଜି, ଦକ୍ଷିଣାଞ୍ଚଳ ସତ୍ୟବ୍ରତ ଭୋଇ, ଏସପି ଗଞ୍ଜାମ ଜଗମୋହନ ମୀନାଙ୍କ ସହ ଆସ୍କା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଏବଂ କର୍ମଚାରୀମାନେ ପ୍ରମୁଖ ଭୂମିକା ତୁଲାଇଛନ୍ତି।

    ଡକୁମେଣ୍ଟାରୀ ଫିଲ୍ମର କାହାଣୀ ରଚନା ସିମାଞ୍ଚଳ ମହାରଣା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି କୃଷ୍ଣ ଡି କେ।  ଫିଲ୍ମର ସହକାରୀ ନିର୍ଦ୍ଦେଶକ ଭାର ତୁଲାଇଛନ୍ତି ରାମକୃଷ୍ଣ ସାହୁ। ସିନେମାଟୋଗ୍ରାଫୀରେ  ମୋହିତ ତ୍ରିପାଠୀଙ୍କ ଦକ୍ଷତା ଦେଖିବାକୁ ମିଳିଛି। ଏହାର ସମ୍ପାଦକ ଅଛନ୍ତି ଦେବାଶିଷ ମହାରାଣା । 
    ଏପ୍ରିଲ୍ ୨୯ ରେ ଉତ୍ତର ଆଫ୍ରିକାର ମରିସସ୍ ଠାରେ ଅନୁଷ୍ଠିତ ହୋଇଥିବା ଭାରତ ମହାସାଗର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ପୁରସ୍କାର ବିତରଣୀ ଉତ୍ସବକୁ ଅଦ୍ୱିତୀୟର ନିର୍ଦ୍ଦେଶକ ତଥା ଲେଖକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଫିଲ୍ମଟି ଦୁଇଟି କ୍ଷେତ୍ରରେ ପୁରଷ୍କାର ହାତେଇବା ପରେ ଫିଲ୍ମର ଟିମ ଭିତରେ ଦେଖିବାକୁ ମିଳିଛି ଖୁସି। ଆଗକୁ ମଧ୍ୟ ଏମିତି ସତ୍ୟ ଓ ପ୍ରେରଣାଦାୟୀ ଘଟଣାକୁ ନେଇ ଫିଲ୍ମ କରି ସମାଜରେ ପରିବର୍ତ୍ତନ ଆଣିବାକୁ ଆଗ୍ରହୀ ହୋଇଉଠିଛନ୍ତି ଟିମ।
  • ସ୍ତ୍ରୀ ଓ ପିଲା ଥାଉ ଥାଉ ଦ୍ବିତୀୟ ବିବାହ କରୁଥିଲା ଯୁବକ, ଟେକିନେଲା ପୋଲିସ

    ସ୍ତ୍ରୀ ଓ ପିଲା ଥାଉ ଥାଉ ଦ୍ବିତୀୟ ବିବାହ କରୁଥିଲା ଯୁବକ, ଟେକିନେଲା ପୋଲିସ

    ଜଣେ ସ୍ତ୍ରୀ ଓ ପିଲା ଥାଉ ଥାଉ ଅନ୍ୟଜଣଙ୍କୁ ବିବାହ କରୁଥିଲା ଯୁବକ । ହେଲେ ହାତଗଣ୍ଠି ପଡିବା ଆଗରୁ ବେକରେ ମଙ୍ଗଳ ସୂତ୍ର ପିନ୍ଧାଇବା ପୂର୍ବରୁ ମାଡି ବସିଲା ପୋଲିସ । ଘଟଣାଟି ହେଉଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ସୁନାମୁହିଁ ଗ୍ରାମର । ଗାଁର ସୁନାରାମ ନାଏକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ନାଏକ ୨୦୨୦ ମସିହାରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଯମୁନାପଶି ଗ୍ରାମର ମାମିନା ନାଏକକୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ତାଙ୍କ ଏକ ଦିବ୍ୟାଙ୍ଗ ପୁତ୍ର ସନ୍ତାନ ମଧ୍ୟ ରହିଛି । ହେଲେ ପ୍ରଥମ ସ୍ତ୍ରୀ ପଖେ ପୂର୍ଣ୍ଣଚନ୍ଦ୍ରଙ୍କ ମନ ଭରି ଯାଇଥିଲା । ଘରେ ପ୍ରତ୍ୟକ ଦିନ କଳି ଝଗଡା ଲାଗି ରହିଲା । ଏାପରେ ପୂର୍ଣ୍ଣଚନ୍ଦ୍ର ସ୍ତ୍ରୀକୁ ପିଟାପିଟି କରିବା ସହ ଘରୁ ତଡି ଦେଇଥିଲା । ଆଉ ଛାଡପତ୍ର ହୋଇନଥିବା ବେଳେ ଲୁଚିଲୁଚି ଆଉ ଜଣେ ଝିଅକୁ ବିବାହ କରୁଥିଲା ।

    ଗତକାଲି ପୂର୍ଣ୍ଣଚନ୍ଦ୍ର ପୁନର୍ବାର ହରିଚନ୍ଦନପୁର ଥାନା ଶଗଡ଼ପଟା ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରୁଥିଲା । ଯାହାର ଖବର ପାଇଥିଲା ସ୍ତ୍ରୀ ମାମିନା । ଏହାପରେ ମାମିନା କେନ୍ଦୁଝର ଏସପିଙ୍କ ଦ୍ୱାରାସ୍ତ ହୋଇଥିଲେ । ଗତକାଲି ଢେଙ୍କାନାଳ ଜିଲ୍ଲା କଙ୍କଡା ହାଡ଼ ଥାନା ପାଟବେଡା ଗ୍ରାମରେ ବିବାହ କରୁଥିବା ସମୟରେ ରଙ୍ଗିଲା ବରକୁ ଉଠାଇ ନେଲା କେନ୍ଦୁଝର ତୁରୁମୁଙ୍ଗା ପୋଲିସ ।

  • ଆମ୍ୱୁଲାନ୍ସ ନ ଆସିବାରୁ ଚାଲିଗଲା ରୋଗୀ ଜୀବନ

    ଆମ୍ୱୁଲାନ୍ସ ନ ଆସିବାରୁ ଚାଲିଗଲା ରୋଗୀ ଜୀବନ

    ରୋଗୀଙ୍କୁ ନେବାକୁ ଯାଉଥିବା ୧୦୮ ଆମ୍ବୁଲାନ୍ସରେ ନିଆଁ ଲାଗି ଜଳିଯାଇଥିବା ବେଳେ ଆମ୍ବୁଲାନ୍ସ ଆପେକ୍ଷାରେ ଥିବା ରୋଗୀ ଶେଷରେ ଆଖି ବୁଜିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ ପଞ୍ଚାୟତ ଗୁଲିମିଗୁଡା ଗାଁରେ। ଏପରି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ସରକାରୀ ଅମ୍ବୁଲାନ୍ସ ନ ପହଞ୍ଚିବାରୁ ଏପରି ହୋଇଥିବାରୁ କ୍ଷତିପୂରଣ ଦାବି କରୁଛନ୍ତି ପରିବାର ଲୋକେ।

    ଗୁଲିମିଗୁଡାର ଜଣେ ବ୍ୟକ୍ତିଙ୍କୁ ଯନ୍ତ୍ରଣା ହେବାରୁ ଡାକ୍ତର ଖାନା ନେବାକୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ବନ୍ଧୁଗାଁ ମେଡିକାଲରୁ ଆମ୍ବୁଲାନ୍ସ ରୋଗୀଙ୍କୁ ଆଣିବାକୁ ବାହାରିଥିଲା। ଗାଁ ଆଡକୁ ଆମ୍ବୁଲାନ୍ସ ଆଗେଇ ଯାଉଥିବା ବେଳେ ହଠାତ୍ ଆମ୍ବୁଲାନ୍ସରେ ନିଆଁ ଲାଗି ପୋଡିଯାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ତେବେ ପୋଡିଯାଇଥିବା ଆମ୍ୱୁଲାନ୍ସ କିଛି ଦିନ ତଳେ ବନ୍ଧୁଗାଁ ମୋଡିକାଲକୁ ଭୁବନେଶ୍ୱରରୁ ପଠାଯାଇଥିଲା। ହେଲେ ଆମ୍ବୁଲାନ୍ସର ନ ଥିଲା ଫିଟନେସ ସାର୍ଟିଫିକେଟ। କାରଣ ଏହା ଥିଲା ୧୭ ବର୍ଷ ପୁରୁଣା ଗାଡି। ନୂଆ ନିୟମ ଆନୁଯାୟୀ ଏହି ଗାଡିକୁ ରାସ୍ତାରେ ଗଡିବା ମନା। ତେଣୁ ଏହି ନୂଆ ନିୟମ ବିଷୟରେ ଜାଣି ନ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସରକାରୀ କଳ ପଠାଇ ଦେଇ ବାହାବା ନେବାକୁ ଚେଷ୍ଟା କରିଥିଲା। ସେପଟେ, ଆମ୍ବୁଲାନ୍ସକୁ ଅପେକ୍ଷା କରି ଯନ୍ତ୍ରଣାରେ ଛଟପଟ ହୋଇ ଆଖି ବୁଜି ଦେଇଛନ୍ତି ରୋଗୀ।

    ଆମ୍ବୁଲାନ୍ସରେ ନିଆଁ ଲାଗିବାକୁ ନେଇ ପ୍ରାଥମିକ ତଦନ୍ତ ପରେ ଜଣାପଡିଛି କି, ବାଟରେ ସଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ଆମ୍ବୁଲାନ୍ସଟି ପୁରୁଣା ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଜଳିଯାଇଛି। ଅନ୍ୟପଟେ ଆମ୍ବୁଲାନ୍ସ ଆସୁଥିବା ଜାଣି ରୋଗୀଙ୍କ ପରିବାର ତାଙ୍କୁ ହସ୍ପିଟାଲ ନେବାକୁ ଅନ୍ୟ କୌଣସି ଉପାୟ ଆପଣେଇ ନ ଥିଲେ। ଆଉ ରୋଗୀ ଯନ୍ତ୍ରଣାରେ ଦୀର୍ଘ ସମୟ ଛଟପଟ ହୋଇ ମୃତ୍ୟୁ ବରଣ କରିଥିବାରୁ ଏହି ମୃତ୍ୟୁ ପାଇଁ ସରକାରଙ୍କୁ ଦାୟୀ କରି କ୍ଷତିପୂରଣ ଦାବି କରିଛନ୍ତି ପୀଡିତ ପରିବାର।

    ତେବେ ଆମ୍ୱୁଲାନ୍ସକୁ ନେଇ ଏପରି ଅଘଟଣ ରାଜ୍ୟରେ ନୂଆ ନୁହେଁ। କିଛି ଦିନ ତଳେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ରୋଗଗ୍ରସ୍ତ ଶିଶୁକୁ ହସ୍ପିଟାଲ ଆଣିବାକୁ ଆମ୍ୱୁଲାନ୍ସ ପାଇଁ ଫୋନ ହୋଇଥିଲା। ୧୭ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଆମ୍ୱୁଲାନ୍ସ ଗାଁରେ ପହଞ୍ଚି ନ ଥିଲା ଆଉ ଶିଶୁର ମୃତ୍ୟୁ ହୋଇଥିଲା।

  • ଗଛ ମଝିରେ କଦଳୀ କାନ୍ଦି, ଭଗବାନଙ୍କ ଅବତାର ଭାବି ପୂଜାର୍ଚ୍ଚନା

    ଗଛ ମଝିରେ କଦଳୀ କାନ୍ଦି, ଭଗବାନଙ୍କ ଅବତାର ଭାବି ପୂଜାର୍ଚ୍ଚନା

    ବହୁ ଘଟଣାବଳୀ ବେଳେ ବେଳେ ମଣିଷକୁ ଦ୍ୱନ୍ଦ୍ୱରେ ପକାଇଥାଏ । ମଣିଷ ଅନ୍ଧଭାବେ କିଛି ଘଟଣାକୁ ବିଶ୍ୱାସର ସହ ନେଇଥାଏ । ତେବେ ପ୍ରକୃତ ସତ୍ୟାସତ୍ୟ ଜାଣିବା ପରେ ଆଶ୍ଚର୍ଯ୍ୟ ହେବାକୁ ପଡ଼ିଥାଏ । ବେଳେ ବେଳେ କିଛି ଜିନିଷ ଆଖିରେ ନଦେଖିଲେ ବିଶ୍ୱାସ ହୁଏନା ଯାହାକୁ ନେଇ ମନରେ ସନ୍ଦେହ ସୃଷ୍ଟି ହୁଏ ।

    କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଏଭଳି ଏକ ଦେଖିବାକୁ ମିଳିଛି । ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେନି । କଦଳୀ ଗଛରେ ସାଧାରଣତଃ ଅଗ୍ର ଭାବରେ କାନ୍ଦି ଧରିଥାଏ । କିଛି ଦିନ ପରେ କଦଳୀ କାନ୍ଦି ବଡ଼ ହୋଇ ପାଚିଥାଏ । ହେଲେ ଆମେ ଯାହା କହୁଛି କଥାଟା ଟିକେ ଆଶ୍ଚର୍ଯ୍ୟ କଲାଭଳି । ଗଛର ମଧ୍ୟଭାଗରେ କାନ୍ଦି ପଡ଼ିଛି । ସେଥିରେ କଦଳୀ ଭର୍ତ୍ତି ହୋଇଛି । ଗଛର ଅଗ୍ରଭାଗରେ କାନ୍ଦି ପଡ଼ିବା ବଦଳରେ ଏବେ ଗଛର ମଧ୍ୟଭାଗରେ ଦେଖାଦେଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

    କଲୋନୀ ଗାଁର ନିଶିକାନ୍ତ ଦେବନାଥଙ୍କ ବାଡ଼ିରେ ଥିବା କଦଳୀ ଗଛରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ନିଶିକାନ୍ତଙ୍କ ପତ୍ନୀ ତାପସୀ ପ୍ରଥମେ ଏହି ଦୃଶ୍ୟ ଦେଖି ସମସ୍ତଙ୍କୁ ଜଣାଇଥିଲେ । ଏଭଳି ଖବର ଶୁଣିବା ମାତ୍ରେ ଗାଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଲା । ସମସ୍ତେ ଭାବିଲେ ଈଶ୍ୱରଙ୍କ ସୃଷ୍ଟି ହେଲା । କଦଳୀ ଗଛର ଏଭଳି ଦୃଶ୍ୟ, ଭବଗବାନଙ୍କ ଅବତାର ବୋଲି କେହି କେହି କହିଲେ । ସେଠାରେ ପରିବାର ଲୋକେ ପୂଜାର୍ଚ୍ଚନା ବି କଲେ । ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ ଦୌଡ଼ିଲେ ଲୋକେ । ଏବେ ଏହି ଭିଜୁଆଲ୍ ସୋସିଆଲ୍ ସାଇଟରେ ଘୁରିବୁଲୁଛି । ସେଥିପାଇଁ ନିଶିକାନ୍ତଙ୍କ ବାଡ଼ିରେ ଭିଡ଼ ଜମିବାରେ ଲାଗିଛି ।

    https://youtu.be/MVyqN24aZAc
  • ନକଲି ମୃଦୁପାନୀୟ କମ୍ପାନୀରେ CMCର ଚଢ଼ାଉ, କମ୍ପାନୀ ସିଲ୍ ସହ ୫୦ ହଜାର ଜରିମାନା

    ନକଲି ମୃଦୁପାନୀୟ କମ୍ପାନୀରେ CMCର ଚଢ଼ାଉ, କମ୍ପାନୀ ସିଲ୍ ସହ ୫୦ ହଜାର ଜରିମାନା

    ଡହଡ଼ହ ଖରାରେ ତଣ୍ଟି ଶୁଖିଯାଉଥିବା ବେଳେ ଜୀବନ ବିକଳରେ କିଏ ଫଳରସ, ଆଖୁରସ, ପାଣି କିମ୍ବା ମୃଦୁପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । କିନ୍କୁ ଆପଣ ଜାଣିଛନ୍ତି କି ମୃଦୁପାନୀୟ ନାଁରେ ପଇସା ଦେଇ ଆପଣ ବିଷ ପିଉଛନ୍ତି ?

    କଟକ ସୂତାହାଟ ଅଞ୍ଚଳରେ ନକଲି ମୃଦ୍ୟୁ ପାନୀୟ କମ୍ପାନୀରେ କଟକ ମହାନଗର ନିଗମ ପକ୍ଷରୁ ଚଢ଼ାଉ । କମ୍ପାନୀରେ CMCର ଫୁଡ୍ ସେଫ୍ଟି ଟିମ୍ ଏବଂ ପୋଲିସ ଅତର୍କିତ ଚଢ଼ାଉ କରିବା ପରେ ଯାଞ୍ଚ ଆରମ୍ଭ କରିଥିଲେ । ସେଠାରୁ ବିପୁଳ ପରିମାଣର ନାମିଦାମୀ କମ୍ପାନୀର ବୋତଲ,ଠିପି ଜବତ କରାଯାଇଛି । ସେହି କମ୍ପାନୀର କୌଣସି ବ୍ୟବସାୟିକ ଲାଇସେନ୍ସ ନାହିଁ । ସେଠାରୁ ବିପୁଳ ପରିମାଣର ନକଲି ମୃଦ୍ୟୁପାନୀୟ ଜବତ କରାଯାଇଛି । ଶେଷରେ କମ୍ପାନୀଟିକୁ ସିଲ୍ କରିଛି ସିଏମସି । ଏଥିସହ ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ସିଏମସି ।

    ଏହି ନକଲି ମୃଦ୍ୟୁ ପାନୀୟ କଟକ ସହର ସମେତ ଆଖପାଖ ଜିଲ୍ଲାଗୁଡ଼ିକରେ ବିକ୍ରି ପାଇଁ ପଠାଯାଇଥାଏ । ୮ ଲକ୍ଷ ଟଙ୍କାର ମେସନ୍, ନକଲି ମୃଦ୍ୟୁପାନୀୟ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏଥିସହିତ ପାନୀୟ ସାମ୍ପୁଲକୁ ଲ୍ୟାବ୍ ପଠାଯାଇଛି । ରିପୋର୍ଟ୍ ଆସିବା ପରେ ବିଧିବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ବର୍ତ୍ତମାନ କମ୍ପାନୀ ଉପରେ ୫୦ ହଜାର ଟଙ୍କା ଜରିମାନା ଲଗାଇଛି ସିଏମସି ।

    https://youtu.be/Fm3in7wS4T0

    ବର୍ତ୍ତମାନ ବଜାରରେ ନକଲି ଜିନିଷ ବହୁଳ ଭାବେ ଉପଲବ୍ଧ ହେଉଛି । କିଛି ଅସାଧୁ ବ୍ୟବସାୟୀ ଅଧିକ ଲାଭ ପାଇବା ଆଶାରେ ଜନସାଧାରଣଙ୍କ ଜୀବନକୁ ବିପନ୍ନ କରି ଅପମିଶ୍ରିତ ଖାଦ୍ୟପଦାର୍ଥ ବିକ୍ରି କରିବା ସହ ଏହାକୁ ଲୋଭନୀୟ କରିବା ପାଇଁ ଏଥିରେ ସିନ୍ଥେଟିକ୍ ରଙ୍ଗ, ସ୍ୱାଦବର୍ଦ୍ଧକ ସାମଗ୍ରୀ ଏବଂ ଶରୀର ପାଇଁ କ୍ଷତିକାରକ ରାସାୟନିକ ସାମଗ୍ରୀ ବ୍ୟବାହର କରୁଛନ୍ତି । ଅଧିକ ବିକ୍ରି ପାଇଁ ନାମିଦାମୀ କମ୍ପାନୀର ବ୍ରାଣ୍ଡ ନାମ ତଥା ଲୋଗୋ ବ୍ୟବହାର କରିବାକୁ ପଛାଉ ନାହାଁନ୍ତି । ଲୋକଙ୍କ ବିଶ୍ୱାସରେ ବିଷ ଦେଉଥିବା ଏହି ଅସାଧୁ ବ୍ୟବସାୟୀ କବଳରୁ ରକ୍ଷା ପାଇବାକୁ ହେଲେ ଉତ୍ତମ ଏବଂ ବିଶ୍ୱସ୍ତ ଦୋକାନୀଙ୍କ ଠାରୁ ଦେଖିଚାହିଁ ଜିନିଷ କିଣିବାକୁ ହେବ ।