Category: କେନ୍ଦୁଝର

  • କେନ୍ଦୁଝର: ଛିଡ଼ା ହୋଇଥିବା କାର୍ ସମ୍ପୂର୍ଣ୍ଣ ଜଳିଗଲା

    କେନ୍ଦୁଝର: ଛିଡ଼ା ହୋଇଥିବା କାର୍ ସମ୍ପୂର୍ଣ୍ଣ ଜଳିଗଲା

    କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୪୯ନଂ କାଞ୍ଜିପାଣି ଥାନା ସମ୍ମୁଖରେ ଜଳିଗଲା କାର୍ । ଗାଡ଼ିରେ ଥିବା ଦୁଇ ଜଣ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ଦୁହେଁ ଏବେ ସୁରକ୍ଷିତ ଥିବା ଜଣାପଡ଼ିଛି । ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

    ସୂଚନା ଅନୁଯାୟୀ ଅନୁଗୁଳରୁ ଏକ OD19E4444 କାର୍, କେନ୍ଦୁଝର ଅଭିମୁଖେ ଆସୁଥିଲା । କାଞ୍ଜିପାଣି ଥାନା ନିକଟ ରାସ୍ତା କଡ଼ରେ ଗାଡ଼ି ରଖିଥିଲେ ଡ୍ରାଇଭର । ସେଠାରୁ କେନ୍ଦୁ କିଣୁଥିବା ବେଳେ ହଠାତ୍ କାରଟି ହୁତୁହୁତୁ ହୋଇ ଜଳି ଉଠିଥିଲା । ଗାଡ଼ିଟିରେ ନିଆଁ ଲାଗିଥିବା ବେଳେ ନିଆଁ ଲିଭାଇବା ଉଦ୍ୟମ ଫେଲ୍ ମାରିଥିଲା । ସ୍ଥାନୀୟ ଲୋକେ ବି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଗାଡ଼ିଟି ଜଳୁଥିବା ବେଳେ ତା ନିକଟକୁ ଯିବାକୁ କେହି ବି ସାହସ କରିନଥିଲେ ।
    କାରରେ ନିଆଁ ଲାଗିଥିବା ନେଇ ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

  • ଗୋରୁ ବୋଝେଇ ମିନି ଟ୍ରକ୍ ଜବତ, ୨୨ ଗୋରୁ ଉଦ୍ଧାର

    ଗୋରୁ ବୋଝେଇ ମିନି ଟ୍ରକ୍ ଜବତ, ୨୨ ଗୋରୁ ଉଦ୍ଧାର

    କେନ୍ଦୁଝର ଜିଲ୍ଲାରେ ଗୋରୁ ଚାଲାଣ ବଢ଼ିବାରେ ଲାଗିଛି । ଏଥିରେ ରୋକ୍ ଲଗାଇବା ପାଇଁ କୌଣସି ଉଦ୍ୟମ ହେଉନାହିଁ । ସ୍ଥାନୀୟ ଲୋକେ ଏ ଦିଗରେ ପଦକ୍ଷେପ ନେଉଥିବା ବେଳେ ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି ।

    ତୁରୁମୁଙ୍ଗା ଥାନା ଜାତୀୟ ରାଜପଥ ୪୯ ନମ୍ବର, ଖିରେଇଟାଙ୍ଗିରି ନିକଟରୁ ଗୋରୁ ବୋଝେଇ ମିନି ଟ୍ରକ୍ ଜବତ ହୋଇଛି । ଗାଡ଼ିରୁ ୨୨ ଗୋରୁ ଉଦ୍ଧାର କରାଯାଇଛି । ୨ଟି ଗୋରୁ ଗୁରୁତର ଆହତ ହୋଇଛନ୍ତି । ଗୋଟିଏ ଗାଡ଼ି ଜବତ ହୋଇଥିବା ବେଳେ ଘଟଣାସ୍ଥଳରେ ଅନ୍ୟ ୩ଟି ଟ୍ରକ୍ ପଳାଇବାରେ ସକ୍ଷମ ହୋଇଛି । ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି ।

    ଗୋରୁ ଚାଲାଣ ନେଇ ପୂର୍ବରୁ ସୂଚନା ପାଇଥିଲା ଖିରେଇଟାଙ୍ଗିରୀ ନିକଟରେ ଥିବା ତୁରୁମୁଙ୍ଗା ଥାନା ପୋଲିସ । ଗୋଟିଏ ଗାଡ଼ି ଜବତ ହୋଇଥିବା ବେଳେ ଅନ୍ୟ ଗାଡ଼ି ଫେରାର୍ ହେବା ନେଇ ପ୍ରଶ୍ନ ଉଠିଛି । ପୂର୍ବରୁ ଅନେକ ଥର ଏପରି ଗୋରୁ ଚାଲାଣ ଘଟଣା ସାମ୍ନାକୁ ଆସିଛି । ତେବେ ପୋଲିସର ଅବହେଳା ଏଥିପାଇଁ ଦାୟୀ । ଗୋରୁ ଦଲାଲମାନଙ୍କ ସହ ପୋଲିସର ଭିତିରି ସମ୍ପର୍କ ରହିଛି । ପୋଲିସକୁ କିଛି ଆର୍ଥିକ ଫାଇଦା ମିଳୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଗୋରୁ ଚାଲାଣ ବଢ଼ିବାରେ ଲାଗିଛି । ଏଭଳି ଅଭିଯୋଗ କରିବା ସହ ଗୋରୁ ଚାଲାଣ ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

  • ଅର୍ଡର କରିଥିଲେ ଲାପଟପ୍, ଆସିଲା ପାଉଡର ପ୍ୟାକେଟ୍

    ଅର୍ଡର କରିଥିଲେ ଲାପଟପ୍, ଆସିଲା ପାଉଡର ପ୍ୟାକେଟ୍

    କେନ୍ଦୁଝର ଜିଲ୍ଲାରେ ବଡ଼ ଧରଣର ଠକେଇର ଶିକାର ହୋଇଛନ୍ତି ଯୁବକ । ଲାପଟପ୍ ଅର୍ଡର କରିଥିଲେ ହେଲେ ତାଙ୍କ ନିକଟକୁ ଆସିଛି ପାଉଡର ପ୍ୟାକେଟ୍ ଯାହାକୁ ନେଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

    ଯୋଡ଼ା ପୌରପାଳିକା ଅନ୍ତର୍ଗତ ପଶ୍ଚିମ ଯୋଡ଼ା ସେଗ୍ରୀକେସନ ଅଞ୍ଚଳରେ ରୁହନ୍ତି ଚୌଧୁରୀ ମହାନ୍ତ । ସେ ଚଳିତମାସ ୧୪ ତାରିଖରେ ଅମାଜନ ନାମକ ସଂସ୍ଥା ଠାରୁ ଅନଲାଇନରେ ଅର୍ଡର କରିଥିଲେ ଏକ୍ ଲାପଟପ୍ । ଏହାର ମୂଲ୍ୟ ଥିଲା ୫୬ ହଜାର ୯୯୦ ଟଙ୍କା । ତେବେ ଶୁକ୍ରବାର ଡେଲିଭରୀ ଯୁବକ ଦ୍ଵାରା ଘରକୁ ପ୍ୟାକିଂ ହୋଇ ଏକ ପ୍ୟାକେଟ୍ ଆସିଥିଲା । ଲାପଟପ୍ ଆସିଲା ଜାଣି ପ୍ୟାକେଟ୍ ରିସିଭ୍ କରିଥିଲେ ଚୌଧୁରୀ ମହାନ୍ତ ।

    ହେଲେ ଖୋଲିଲା ପରେ କିନ୍ତୁ ହୋସ୍ ଉଡ଼ିଗଲା । ପ୍ୟାକେଟ୍ ଭିତରୁ ଏମିତି କ’ଣ ବାହାରିଲା ସେ ଆଶ୍ଚର୍ଯ୍ୟ ହୋଇଗଲେ । ଲାପଟପ୍ ବଦଳରେ ବାହାରିଲା ମିଷ୍ଟର ହ୍ୱାଇଟର ଦୁଇ କିଲୋ ଡିଟରଜେଣ୍ଟ ପାଉଡର । ଏହାଦେଖି ହତୋତ୍ସାହ ହୋଇପଡ଼ିଲେ ଚୌଧୁରୀ ମହାନ୍ତ ।

    ଏ ନେଇ ଯୋଡ଼ା ଥାନାରେ ଡେଲିଭରୀ କମ୍ପାନୀ ଅମାଜନ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ଚୌଧୁରୀ । ଅନଲାଇନରେ ଗ୍ରାହକମାନେ ଘରେ ବସି ସବୁ ପ୍ରକାର ଜିନିଷ ପାଇପାରୁଛନ୍ତି । ଏଭଳି ଘଟଣା ନିହାତି କମ୍ପାନୀ ଉପରୁ ଧୀରେ ଧୀରେ ବିଶ୍ୱାସ ତୁଟାଉଛି ।

  • କୂଅରୁ ମାଈ ହାତୀ ଉଦ୍ଧାରରେ ବନ ବିଭାଗ ସଫଳ

    କୂଅରୁ ମାଈ ହାତୀ ଉଦ୍ଧାରରେ ବନ ବିଭାଗ ସଫଳ

    elephant rescued from well
    elephant rescued from well under champua forest range

    କୂଅରୁ ମାଈ ହାତୀ ଉଦ୍ଧାର ସଫଳ। ବନ ବିଭାଗର ବହୁ କସରତ ପରେ ପରିତ୍ୟକ୍ତ କୂଅରୁ ମାଈ ହାତୀକୁ ଉଦ୍ଧାର କରିଛି ବନ ବିଭାଗ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଟୁଣଟୁଣାଠାରେ ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ବଗିଚାର ପରିତ୍ୟକ୍ତ କୂଅ ଭିତରରେ ମାଈ ହାତୀଟି ପଡିଯାଇଥିଲା। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ହାତୀକୁ ଉଦ୍ଧାର କରିଥିଲା। ହାତୀଟି କୂଅରୁ ବାହାରିବା ପରେ ପାଖ ଜଙ୍ଗଲକୁ ଚାଲିଯାଇଥିବା କେନ୍ଦୁଝର ଡିଏଫଓ  ଏଚଡ଼ି ଧନରାଜ  ସୂଚନା ଦେଇଛନ୍ତି । କୂଅରେ ପଡିଥିଲେ ମଧ୍ୟ ହାତୀଟି ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।

    ଗତ ରାତିରେ ୨୪ ଟିକିଆ ହାତୀପଲ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ କାଞ୍ଚନପୁର ଦେଇ ଟୁଣଟୁଣା ଅଞ୍ଚଳକୁ ପ୍ରବେଶ କରିଥିଲେ । ଏହି ୨୪ଟିକିଆ  ହାତୀପଲରେ ୯ଟି ଦନ୍ତା, ୬ଟି ମାଈ ଓ ୯ଟି ଛୁଆ ହାତୀ ରହିଥିଲେ । ତେବେ ଗତ ବିଳମ୍ବିତ ରାତିରେ ହାତୀପଲ ଟୁଣଟୁଣା ଗାଁ ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ବଗିଚା ଦେଇ ଯାଉଥିଲାବେଳେ, ସେମାନଙ୍କ ମଧ୍ୟରୁ ଏକ ବୟସ୍କା ମାଈ ହାତୀ ୧୦ ଫୁଟ ଗଭୀର ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲା । ତାପରେ ହାତୀପଲ ତା’କୁ ସେଠାରେ ଛାଡି ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲେ ।

    ଭୋର ସମୟରେ ବନ ବିଭାଗର ନାଇଟ୍ ପାଟ୍ରୋଲିଂ ଦଳ ସୂଚନା ପାଇଥିଲେ । ବନପାଳ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ଅନ୍ୟ ବନ କର୍ମଚାରୀ ସେଠାରେ ପହଞ୍ଚି JCB ଦ୍ୱାରା କୂଅର ଗୋଟିଏ ପାର୍ଶ୍ୱରେ ଖୋଳିବା ପରେ ହାତୀଟି  ସଫଳତାର ସହିତ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଉକ୍ତ ଅଞ୍ଚଳରେ ହାତୀ ପଲଙ୍କ ଚଳପ୍ରଚଳ ହେଉଥିବା ବେଳେ ଏଭଳି ପରିତ୍ୟକ୍ତ କୂଅ କି ଖାଲ ବନ ବିଭାଗ ନଜରରେ ନପଡିବା ଆଲୋଚନାର ବିଷୟ ହୋଇଛି ।       

                   

  • ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

    ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

    ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ଜିଲ୍ଲା ଓ ଦୌରାଜଜ୍ ଚିତ୍ତରଞ୍ଜନ ମହାପାତ୍ର ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡ ରାୟ ଶୁଣାଇଛନ୍ତି ।

    ବୃଦ୍ଧାଙ୍କୁ ହତ୍ୟା କରି ଶେଷରେ ଜେଲରେ ସାରା ଜୀବନ କଟାଇବେ ଅଭିଯୁକ୍ତ । ଏଭଳି ରାୟ ପ୍ରକାଶ କରିଛନ୍ତି କୋର୍ଟ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଜାମୁନାଳିଆ ଗାଁରେ ୨୦୧୩ ମସିହା ସେପ୍ଟେମ୍ବର ୮ ତାରିଖରେ ଘଟିଥିଲା ଏକ ହତ୍ୟାକାଣ୍ଡ । ଜମ୍ଭୀରା ବେୱା ନାମକ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା କରାଯାଇଥିଲା । ପାରିବାରିକ କଳହରୁ ସେହି ଗାଁର ଦେବାନନ୍ଦ ନାୟକ ଭୁଜାଲିରେ ହାଣି ତାଙ୍କୁ ହତ୍ୟା କରିଥିଲା ।

    ଏ ନେଇ ଥାନାରେ ଅଭିଯୋଗ କରିଥିଲେ ମୃତକଙ୍କ ପରିବାର ଲୋକେ । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଦାଲତରେ ଉପସ୍ଥିତ ରହି ୧୨ ଜଣ ସାକ୍ଷ୍ୟ ଦେବା ପରେ ଦେବାନନ୍ଦକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଶେଷରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି ଅଦାଲତ । ଏଥିସହ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

  • ବୋଲେରୋ ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର ମେଡିକାଲରେ ଭର୍ତ୍ତି

    ବୋଲେରୋ ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର ମେଡିକାଲରେ ଭର୍ତ୍ତି

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବୋଲେରୋରେ ବରଯାତ୍ରୀ ଦଳ ଯାଉଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ଜଣଙ୍କ ଜୀବନ ଯାଇଛି ।

    ସୂଚନା ଅନୁସାରେ କୋଇଡ଼ା ଅଞ୍ଚଳରୁ ଏକ ବୋଲେରୋ ବାହାରିଥିଲା । ବରଯାତ୍ରୀଙ୍କୁ ନେଇ ଚମ୍ପୁଆ ରାସ୍ତାରେ ଯୋଡ଼ା ଯାଉଥିଲା ବୋଲେରୋ । ତେବେ ରାମଚନ୍ଦ୍ରପୁର ନିକଟରେ ରାସ୍ତାରେ ଥିବା ଏକ ଗଛକୁ ପିଟିଥିଲା ଗାଡ଼ି । ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗୁରୁତରଙ୍କ ଅବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି ।

    ସେପଟେ ଘଟଣାରେ ମୃତ୍ୟୁ ହୋଇଥିବା ୨ ଜଣଙ୍କ ପରିଚୟ ଏଯାଏ ସ୍ପଷ୍ଟ ହୋଇନି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ସେ ନେଇ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

  • ଆମ୍ବର ଅଭାବୀ ବିକ୍ରି ରୋକିବାକୁ ଜିଲ୍ଲା ପ୍ରଶାସନର ପ୍ରୟାସ, ଧର୍ମକୁ ଆଖିଠାର

    ଆମ୍ବର ଅଭାବୀ ବିକ୍ରି ରୋକିବାକୁ ଜିଲ୍ଲା ପ୍ରଶାସନର ପ୍ରୟାସ, ଧର୍ମକୁ ଆଖିଠାର

    ଆମ୍ବ କାହାକୁ ବା ଖାଇବାକୁ ଭଲ ନଲାଗେ । ସେ ପୁଣି ଖରା ଦିନିଆ ଆମ୍ବ । ପଖାଳ କଂସା ସାଙ୍ଗକୁ ପାଚିଲା ଆମ୍ବ, ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଭାବେ ବେଶ ପରିଚିତ । ଗାଁ ଗହଳିର ଦେଶୀ ଆମ୍ବ ସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଆମ୍ବ  ଏବେ ସହରରେ ପହଁଚିଲାଣି । ଏହି ଗାଁ ଆମ୍ବକୁ ସହରବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ନିଆରା ପ୍ରୟାସ ।  ଚାଷୀଙ୍କୁ ସ୍ଵାବଲମ୍ବୀ କରିବାକୁ  ଓ  ଅଭାବି ବିକ୍ରୀର ସାମାନ୍ୟ ଦୂର କରିବାକୁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଗାଁ ଆମ୍ବ ପସରା । ଯାହା ସହରରେ ୫ ଦିନ ଧରି ଚାଲିବ । ୪ଟି ଷ୍ଟଲରେ ତେଲକୋଇ , ଘଟଗାଁ ଓ ବାଂଶପାଳ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଜରିଆରେ ଏହି ଆମ୍ବ ବିକ୍ରି ହେବ ।

    ବଜାରର କେମିକାଲ ଦିଆ ଆମ୍ବ ଅପେକ୍ଷା ଗାଁ ଚାଷୀଙ୍କ ସୁସ୍ୱାଦୁ ଆମ୍ବ ସହରବାସୀ ପାଇବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଓରମାସ ସହଯୋଗରେ ଏହି ଗାଁ ଆମ୍ବ ପସରାକୁ ଅତିରିକ୍ତ ଜିଲ୍ଲାପାଳ ଫିତା କାଟି ଉଦଘାଟନ କରିଥିଲେ । ଏହି ଅବସରରେ ଡିଏଫଓ, ସିଇଓ ଜିଲ୍ଲା ପରିଷଦ ଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଏଭଳି ଆମ୍ବ ଦେଖି ସହରବାସୀ ମଧ୍ୟ କିଣି ନେଇଥିଲେ । ଚଳିତ ବର୍ଷ ରେକର୍ଡ ପରିମାଣର ଆମ୍ବ ହୋଇଛି ।  ହେଲେ ଏତେ ପରିମାଣର ଆମ୍ବ ୫ ଦିନରେ ୪ଟି ଷ୍ଟଲରେ ବିକ୍ରି ଆମ୍ବ ଚାଷୀଙ୍କୁ କେତେ ଫାଇଦା ଦେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହା ପ୍ରଶାସନର ଚାଷ ଓ ଚାଷୀଙ୍କ ପାଇଁ ଥିବା ଦରଦକୁ ପଦାରେ ପକାଇଛି ।            

  • ଅସନ୍ତୋଷ ବଢ଼ିବା ପରେ ପୌରପାଳିକାର ପ୍ରତିଶ୍ରୁତି, ଖୁବଶୀଘ୍ର ପଦକ୍ଷେପ

    ଅସନ୍ତୋଷ ବଢ଼ିବା ପରେ ପୌରପାଳିକାର ପ୍ରତିଶ୍ରୁତି, ଖୁବଶୀଘ୍ର ପଦକ୍ଷେପ

    କେନ୍ଦୁଝର ସହରରେ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ସହରରେ ଏଣେତେଣେ ଅଳିଆ ଆବର୍ଜନା ପଡ଼ିରହିଛି । ଖାସ୍ କରି ଗାନ୍ଧି ବଜାରକୁ ନେଇ ଲୋକଙ୍କ ଟେନସନ୍ । କାହିଁକି ନା ଏହା କାର୍ଯ୍ୟକ୍ଷମ ହୋଇପାରୁନି ।

    କେନ୍ଦୁଝର ପୌରପାଳିକା ପକ୍ଷରୁ ସହରବାସୀଙ୍କ ପାଇଁ ଗାନ୍ଧି ବଜାର ସୃଷ୍ଟି କରାଯାଇଥିଲା । ଏଠାରେ ବିଭିନ୍ନ ଦୋକାନ ବଜାର ସହ ମାଛ ମାଂସ ଦୋକାନ ବି ଖୋଲା ଯାଇଥିଲା । କିନ୍ତୁ ବଜାରକୁ ଦୀର୍ଘ ବର୍ଷ ହେଲାଣି ଏହା ପୂର୍ବପରି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏଥିରେ ଅସନ୍ତୁଷ୍ଟ ହୋଇ ଅଧିକାଂଶ ଲୋକ ନିଜ ନିଜ ଦୋକାନ ବନ୍ଦ କରିଦେଇଛନ୍ତି । କେବଳ କିଛି ଗୋଦାମ ଗୃହ ଓ ମାଛ ମାଂସ ଦୋକାନ ଖୋଲା ରହିଛି । ସହର ମଧ୍ୟରେ ଏହି ବଜାର ଥିବାବେଳେ ଏବେ ରକ୍ଷଣାବେକ୍ଷଣ ଏବଂ ସ୍ୱଚ୍ଛତାର ଅଭାବ ରହିଛି । ତେଣୁ ପାଖାପାଖି ଅଞ୍ଚଳ ପୁରାପୁରି ଦୁର୍ଗନ୍ଧମୟ ହୋଇଛି । ବିଶେଷକରି ମାଛମାଂସ ପାଇଁ ସହରବାସୀ ଏହି ମାର୍କେଟ ଉପରେ ନିର୍ଭରଶୀଳ । ତେବେ ଏଠାକାର ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ସେମାନେ ଚିନ୍ତିତ । ଏ ନେଇ ଅନେକଥର ପୌରପାଳିକାରେ ଅଭିଯୋଗ ହୋଇଛି ।

    ଅଭିଯୋଗ ପରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଧାଙ୍ଗରପଡ଼ାରେ ମାଛମାଂସ ଦୋକାନ ଏବଂ ପୌର ଗୋଦାମ ଗୃହ ନିର୍ମିତ ହୋଇଛି । କିନ୍ତୁ ପ୍ରଶାସନିକ ଅବହେଳାରୁ ଏହା ମଧ୍ୟ ନଷ୍ଟ ହେବାକୁ ବସିଲାଣି । ଏହି ନୂତନ ଗୃହରେ ବିଦ୍ୟୁତ୍ ସଂଯୋଗ ନାହିଁ । ଚାରିଆଡ଼େ କୁଢ଼କୁଢ଼ ଅଳିଆ । ତେଣୁ ଏଠାକୁ କୌଣସି ଦୋକାନୀ ଆସିବାକୁ ଇଛା କରୁନାହାଁନ୍ତି ।

    ସେପଟେ, ନୂତନ ବଜାରରେ ଖୁବଶୀଘ୍ର ବିଦ୍ୟୁତ୍ ସଂଯୋଗୀକରଣ କରାଯିବ । ବଜାରକୁ ସ୍ୱଚ୍ଛ ରଖାଯିବ ସହ ଅନନ୍ୟା ସମସ୍ୟାର ସମାଧାନ ହେବ । ପୁରୁଣା ଗାନ୍ଧି ବଜାରକୁ ଭାଙ୍ଗି ଏଠାରେ ନୂତନ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ପୌରପାଳିକା ଅଧ୍ୟକ୍ଷା କହିଛନ୍ତି । ଦୀର୍ଘଦିନ ପରେ ପଦକ୍ଷେପ ନେବାକୁ ମନ ବଳାଇଛି ପୌରପାଳିକା । ନୂଆ ବଜାର ସୃଷ୍ଟି ସହ ଲୋକଙ୍କ ଚଳପ୍ରଚଳ ହେବ ବୋଲି ଆଶା ରଖିଛନ୍ତି ଅଧ୍ୟକ୍ଷା ।

  • ସହର ଭିତରେ ପଶିଲା ଭାଲୁ, ଘଉଡ଼ାଇବା ପାଇଁ ବନ ବିଭାଗର ଉଦ୍ୟମ

    ସହର ଭିତରେ ପଶିଲା ଭାଲୁ, ଘଉଡ଼ାଇବା ପାଇଁ ବନ ବିଭାଗର ଉଦ୍ୟମ

    ପ୍ରବଳ ଗ୍ରୀଷ୍ମ ଯୋଗୁଁ ପୋଖରୀ, ଗାଡ଼ିଆ, କୂଅ ପାଣି ଶୁଖିଗଲାଣି । ବଣ,ଜଙ୍ଗଲରେ ଆମ୍ବ,ପଣସ, ଅନ୍ୟାନ୍ୟ ଫଳମୂଳର ଅଭାବ ଦେଖାଦେଲାଣି । ତେଣୁ ବନ୍ୟଜନ୍ତୁଙ୍କ ପାଇଁ ଏବେ ଖାଇବା ଚିନ୍ତା ବଢ଼ିଛି । ସେମାନେ ଗାଁ, ସହର ମୁହାଁ ହେବା ସ୍ୱାଭାବିକ । ପାଣି ପିଇବା ପାଇଁ ଗାଁ ମୁହାଁ ହୋଇଥାନ୍ତି ତ ଖାଇବା ପାଇଁ ଫସଲ ବି ନଷ୍ଟ କରନ୍ତି । କିଛିଦିନ ପୂର୍ବେ ଖାଦ୍ୟ ଅନ୍ୱେଷଣରେ ଯାଇ ଗାଁରେ ପଶିଥିଲା ହାତୀ । ଏବେ ପେଟର ଭୋକ ମେଣ୍ଟାଇବା ପାଇଁ ଦିନରେ ବି ଗାଁ, ସହରରେ ପଶିଛି ଭାଲୁ ।

    କେନ୍ଦୁଝର ସଦର ବ୍ଲକ୍ ସଦରରେଞ୍ଜ ଅନ୍ତର୍ଗତ ପଦ୍ମପୁର ବଜାରରେ ଭାଲୁ ଆତଙ୍କ । ଦିନରେ ଅଞ୍ଚଳରେ ବୁଲୁଛି ଭାଲୁ । ସୂଚନା ଅନୁସାରେ ଗତକାଲି ଗୋବର୍ଦ୍ଧନ ଅଞ୍ଚଳରେ ଦୁଇଟି ଭାଲୁ ଖାଦ୍ୟ ଅନ୍ବେଷଣରେ ଘୁରି ବୁଲୁଥିଲେ । ଖାଇବା ଖୋଜୁଖୋଜୁ ସେମାନେ ପରସ୍ପର ଠାରୁ ଅଲଗା ହୋଇଥିଲେ । ଏକ ଭାଲୁ ପଦ୍ମପୁର ସହର ଭିତରେ ପଶିବାରୁ ଲୋକେ ଭୟଭୀତ ହୋଇଥିଲେ । ଗୋବର୍ଦ୍ଧନ କାଜୁ ଜଙ୍ଗଲରୁ ଯୋଗୀମଠ ବିଲ ଦେଇ ବନାଜାଡ଼ି ଛକ ନିକଟ ନର୍ସରୀରେ ପ୍ରବେଶ କରିଥିଲା ଭାଲୁ । ତାକୁ ଦେଖିଵାକୁ ପଦ୍ମପୁର ଆଖପାଖ ଅଞ୍ଚଳର ବହୁ ଲୋକ ଭିଡ଼ ଜମାଇଥିଲେ । ମାତ୍ର ଭାଲୁ ଭୟରେ ଯୋଗୀମଠ ନର୍ସରୀ ଭିତରେ ଥିବା ଲଟାବୁଦାରେ ଲୁଚି ରହିଥିଲା ।

    ଭାଲୁ ଦୌଡ଼ାଥିବା ଦୃଶ୍ୟ ସମସ୍ତଙ୍କ ମୋବାଇଲ୍ କ୍ୟାମେରାରେ କଏଦ ହୋଇଥିଲା । ଏହି ଭିଜୁଆଲ୍ ଏବେ ସୋସିଆଲ୍ ମିଡିଆରେ ବୁଲୁଛି । ଭାଲୁ ବୁଲୁଥିବା ଖବର କେନ୍ଦୁଝର ବନବିଭାଗକୁ ଦିଆଯାଇଥିଲା । ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ବନ କର୍ମଚାରୀ । ଡାକବାଜି ଯନ୍ତ୍ରରେ ସମସ୍ତଙ୍କୁ ସତର୍କ କରାଇଥିଲେ । ଏଥିସହ ଭାଲୁକୁ ଘେଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ ।

  • ବଡ଼ବିଲ ଗୁଳିକାଣ୍ଡ ଘଟଣା, ତଦନ୍ତ ଦିଗ ବଦଳାଉଛି ପୋଲିସ: ବିଜେପି

    ବଡ଼ବିଲ ଗୁଳିକାଣ୍ଡ ଘଟଣା, ତଦନ୍ତ ଦିଗ ବଦଳାଉଛି ପୋଲିସ: ବିଜେପି

    କେନ୍ଦୁଝର ବଡ଼ବିଲ ଗୁଳିକାଣ୍ଡ ଘଟଣାରେ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତଙ୍କ ସଂପୃକ୍ତି ରହିଛି । ଚାପରେ ଆସି ତଦନ୍ତର ଦିଗ ବଦଳାଉଛି ପୋଲିସ । ଏଭଳି ଅଭିଯୋଗ କରିଛି ରାଜ୍ୟ ବିଜେପି ।

    ମେ’ ୧ ତାରିଖ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଜେଡି ନେତା ତଥା ବଡ଼ବିଲ ଲକ୍ଷ୍ମଣ ମହାନ୍ତଙ୍କ ସଂପୃକ୍ତି ରହିଛି । ବଡ଼ବିଲ ଥାନାଧିକାରୀ ଏଭଳି କହିବା ପରେ ବଡ଼ବିଲ ପୋଲିସକୁ ଘେରିଛି ବିଜେପି । ଏସପିଙ୍କୁ ଭେଟି ବିଜେପି ନେତା ମୁରଲି ମନୋହର ଶର୍ମା ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜନୈତିକ ଚାପରେ ତଦନ୍ତ ବାଟବଣା ନ ହେବାକୁ ସେ ଅନୁରୋଧ କରିଛନ୍ତି । ଭୋଲା ସିହ୍ନା ହତ୍ୟାକାଣ୍ଡର ତଦନ୍ତ ଠିକ୍ ରାସ୍ତାରେ ଯାଉନଥିବା କହିଛି ବିଜେପି । ଅନ୍ୟପଟେ, ସୁପାରୀ କିଲରକୁ ଦେବା ପାଇଁ ୫ ଲକ୍ଷ ଟଙ୍କା ଆସିଲା କେଉଁଠୁ ସେ ନେଇ ପ୍ରଶ୍ନ କରିଛି ବିଜେପି ।

    ବଡ଼ବିଲ ମ୍ୟୁନିସିପାଲିଟି ଅଧ୍ୟକ୍ଷଙ୍କ ଠାରୁ ପାଉଥିବା ନିୟମିତ ଆର୍ଥିକ ସହାୟତା ବନ୍ଦ ହୋଇଯିବାରୁ ହତ୍ୟାକାଣ୍ଡ ଘଟିଥିବା ବିଶ୍ବାସ ହେଉ ନାହିଁ । ଏଭଳି ସ୍ଥିତିରେ ଅଭିଯୁକ୍ତ ସୁଖବିନ୍ଦର କୌର, ମୃତ ଭୋଲା ସିହ୍ନା ଓ ମ୍ୟୁନିସିପାଲିଟି ଚେୟାରମ୍ୟାନଙ୍କ ମଧ୍ୟରେ ଥିବା ସଂପର୍କର ଅଧିକ ଅନୁସନ୍ଧାନ ଆବଶ୍ୟକ । ସେଥିପାଇଁ ଏ ତିନି ଜଣଙ୍କ ମୋବାଇଲ ତୁରନ୍ତ ଜବତ କରି କଲ୍ ରେକର୍ଡ ଓ ସେଥିରେ ଥିବା ସନ୍ଦେହଜନକ ଭିଡିଓ, ଅଡିଓକୁ ଅନୁସନ୍ଧାନ ପରିସରଭୁକ୍ତ କରାଯିବା ଜରୁରୀ । ସେପଟେ,ତଦନ୍ତ ଜାରି ଥିବା ଏସପି କହିଛନ୍ତି । ବିଜେପି ଯେଉଁ ନେତାମାନଙ୍କ ନାମ ଦେଇଛନ୍ତି ତା ଉପରେ ମଧ୍ୟ ତଦନ୍ତ ଚାଲିଛି ।