ଅସନ୍ତୋଷ ବଢ଼ିବା ପରେ ପୌରପାଳିକାର ପ୍ରତିଶ୍ରୁତି, ଖୁବଶୀଘ୍ର ପଦକ୍ଷେପ

କେନ୍ଦୁଝର ସହରରେ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ସହରରେ ଏଣେତେଣେ ଅଳିଆ ଆବର୍ଜନା ପଡ଼ିରହିଛି । ଖାସ୍ କରି ଗାନ୍ଧି ବଜାରକୁ ନେଇ ଲୋକଙ୍କ ଟେନସନ୍ । କାହିଁକି ନା ଏହା କାର୍ଯ୍ୟକ୍ଷମ ହୋଇପାରୁନି ।

କେନ୍ଦୁଝର ପୌରପାଳିକା ପକ୍ଷରୁ ସହରବାସୀଙ୍କ ପାଇଁ ଗାନ୍ଧି ବଜାର ସୃଷ୍ଟି କରାଯାଇଥିଲା । ଏଠାରେ ବିଭିନ୍ନ ଦୋକାନ ବଜାର ସହ ମାଛ ମାଂସ ଦୋକାନ ବି ଖୋଲା ଯାଇଥିଲା । କିନ୍ତୁ ବଜାରକୁ ଦୀର୍ଘ ବର୍ଷ ହେଲାଣି ଏହା ପୂର୍ବପରି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏଥିରେ ଅସନ୍ତୁଷ୍ଟ ହୋଇ ଅଧିକାଂଶ ଲୋକ ନିଜ ନିଜ ଦୋକାନ ବନ୍ଦ କରିଦେଇଛନ୍ତି । କେବଳ କିଛି ଗୋଦାମ ଗୃହ ଓ ମାଛ ମାଂସ ଦୋକାନ ଖୋଲା ରହିଛି । ସହର ମଧ୍ୟରେ ଏହି ବଜାର ଥିବାବେଳେ ଏବେ ରକ୍ଷଣାବେକ୍ଷଣ ଏବଂ ସ୍ୱଚ୍ଛତାର ଅଭାବ ରହିଛି । ତେଣୁ ପାଖାପାଖି ଅଞ୍ଚଳ ପୁରାପୁରି ଦୁର୍ଗନ୍ଧମୟ ହୋଇଛି । ବିଶେଷକରି ମାଛମାଂସ ପାଇଁ ସହରବାସୀ ଏହି ମାର୍କେଟ ଉପରେ ନିର୍ଭରଶୀଳ । ତେବେ ଏଠାକାର ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ସେମାନେ ଚିନ୍ତିତ । ଏ ନେଇ ଅନେକଥର ପୌରପାଳିକାରେ ଅଭିଯୋଗ ହୋଇଛି ।

ଅଭିଯୋଗ ପରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଧାଙ୍ଗରପଡ଼ାରେ ମାଛମାଂସ ଦୋକାନ ଏବଂ ପୌର ଗୋଦାମ ଗୃହ ନିର୍ମିତ ହୋଇଛି । କିନ୍ତୁ ପ୍ରଶାସନିକ ଅବହେଳାରୁ ଏହା ମଧ୍ୟ ନଷ୍ଟ ହେବାକୁ ବସିଲାଣି । ଏହି ନୂତନ ଗୃହରେ ବିଦ୍ୟୁତ୍ ସଂଯୋଗ ନାହିଁ । ଚାରିଆଡ଼େ କୁଢ଼କୁଢ଼ ଅଳିଆ । ତେଣୁ ଏଠାକୁ କୌଣସି ଦୋକାନୀ ଆସିବାକୁ ଇଛା କରୁନାହାଁନ୍ତି ।

ସେପଟେ, ନୂତନ ବଜାରରେ ଖୁବଶୀଘ୍ର ବିଦ୍ୟୁତ୍ ସଂଯୋଗୀକରଣ କରାଯିବ । ବଜାରକୁ ସ୍ୱଚ୍ଛ ରଖାଯିବ ସହ ଅନନ୍ୟା ସମସ୍ୟାର ସମାଧାନ ହେବ । ପୁରୁଣା ଗାନ୍ଧି ବଜାରକୁ ଭାଙ୍ଗି ଏଠାରେ ନୂତନ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ପୌରପାଳିକା ଅଧ୍ୟକ୍ଷା କହିଛନ୍ତି । ଦୀର୍ଘଦିନ ପରେ ପଦକ୍ଷେପ ନେବାକୁ ମନ ବଳାଇଛି ପୌରପାଳିକା । ନୂଆ ବଜାର ସୃଷ୍ଟି ସହ ଲୋକଙ୍କ ଚଳପ୍ରଚଳ ହେବ ବୋଲି ଆଶା ରଖିଛନ୍ତି ଅଧ୍ୟକ୍ଷା ।

Leave a Reply

Your email address will not be published. Required fields are marked *