ସହର ଭିତରେ ପଶିଲା ଭାଲୁ, ଘଉଡ଼ାଇବା ପାଇଁ ବନ ବିଭାଗର ଉଦ୍ୟମ

ପ୍ରବଳ ଗ୍ରୀଷ୍ମ ଯୋଗୁଁ ପୋଖରୀ, ଗାଡ଼ିଆ, କୂଅ ପାଣି ଶୁଖିଗଲାଣି । ବଣ,ଜଙ୍ଗଲରେ ଆମ୍ବ,ପଣସ, ଅନ୍ୟାନ୍ୟ ଫଳମୂଳର ଅଭାବ ଦେଖାଦେଲାଣି । ତେଣୁ ବନ୍ୟଜନ୍ତୁଙ୍କ ପାଇଁ ଏବେ ଖାଇବା ଚିନ୍ତା ବଢ଼ିଛି । ସେମାନେ ଗାଁ, ସହର ମୁହାଁ ହେବା ସ୍ୱାଭାବିକ । ପାଣି ପିଇବା ପାଇଁ ଗାଁ ମୁହାଁ ହୋଇଥାନ୍ତି ତ ଖାଇବା ପାଇଁ ଫସଲ ବି ନଷ୍ଟ କରନ୍ତି । କିଛିଦିନ ପୂର୍ବେ ଖାଦ୍ୟ ଅନ୍ୱେଷଣରେ ଯାଇ ଗାଁରେ ପଶିଥିଲା ହାତୀ । ଏବେ ପେଟର ଭୋକ ମେଣ୍ଟାଇବା ପାଇଁ ଦିନରେ ବି ଗାଁ, ସହରରେ ପଶିଛି ଭାଲୁ ।

କେନ୍ଦୁଝର ସଦର ବ୍ଲକ୍ ସଦରରେଞ୍ଜ ଅନ୍ତର୍ଗତ ପଦ୍ମପୁର ବଜାରରେ ଭାଲୁ ଆତଙ୍କ । ଦିନରେ ଅଞ୍ଚଳରେ ବୁଲୁଛି ଭାଲୁ । ସୂଚନା ଅନୁସାରେ ଗତକାଲି ଗୋବର୍ଦ୍ଧନ ଅଞ୍ଚଳରେ ଦୁଇଟି ଭାଲୁ ଖାଦ୍ୟ ଅନ୍ବେଷଣରେ ଘୁରି ବୁଲୁଥିଲେ । ଖାଇବା ଖୋଜୁଖୋଜୁ ସେମାନେ ପରସ୍ପର ଠାରୁ ଅଲଗା ହୋଇଥିଲେ । ଏକ ଭାଲୁ ପଦ୍ମପୁର ସହର ଭିତରେ ପଶିବାରୁ ଲୋକେ ଭୟଭୀତ ହୋଇଥିଲେ । ଗୋବର୍ଦ୍ଧନ କାଜୁ ଜଙ୍ଗଲରୁ ଯୋଗୀମଠ ବିଲ ଦେଇ ବନାଜାଡ଼ି ଛକ ନିକଟ ନର୍ସରୀରେ ପ୍ରବେଶ କରିଥିଲା ଭାଲୁ । ତାକୁ ଦେଖିଵାକୁ ପଦ୍ମପୁର ଆଖପାଖ ଅଞ୍ଚଳର ବହୁ ଲୋକ ଭିଡ଼ ଜମାଇଥିଲେ । ମାତ୍ର ଭାଲୁ ଭୟରେ ଯୋଗୀମଠ ନର୍ସରୀ ଭିତରେ ଥିବା ଲଟାବୁଦାରେ ଲୁଚି ରହିଥିଲା ।

ଭାଲୁ ଦୌଡ଼ାଥିବା ଦୃଶ୍ୟ ସମସ୍ତଙ୍କ ମୋବାଇଲ୍ କ୍ୟାମେରାରେ କଏଦ ହୋଇଥିଲା । ଏହି ଭିଜୁଆଲ୍ ଏବେ ସୋସିଆଲ୍ ମିଡିଆରେ ବୁଲୁଛି । ଭାଲୁ ବୁଲୁଥିବା ଖବର କେନ୍ଦୁଝର ବନବିଭାଗକୁ ଦିଆଯାଇଥିଲା । ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ବନ କର୍ମଚାରୀ । ଡାକବାଜି ଯନ୍ତ୍ରରେ ସମସ୍ତଙ୍କୁ ସତର୍କ କରାଇଥିଲେ । ଏଥିସହ ଭାଲୁକୁ ଘେଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ ।

Leave a Reply

Your email address will not be published. Required fields are marked *