ଛିଡ଼ିଲା ରେଳ ଫାଟକ ତାର, ଫାଟକରେ ଫସିରହିଥିଲେ ଶତାଧିକ ଲୋକ

ଟ୍ରେନ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଶହେରୁ ଉର୍ଦ୍ଧ୍ଵ ଲୋକେ । ଭଦ୍ରକ ରେଳ ଷ୍ଟେସନ ବାମ ପଟେ ଥିବା ୧୧୯ ନମ୍ବର ଫାଟକ ତଥା ତାରିଣୀ ଫାଟକ ନିକଟରେ ଘଟିଛି ଏପରି ଅଭାବନୀୟ ଦୁର୍ଘଟଣା । ଯେଉଁଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଏକ ସହରୁ ଉର୍ଦ୍ଧ୍ଵ ଲୋକେ । ସମୟ ଥିଲା ଆଜି ଅପରାହ୍ନ ୧୨ ଘଟିକା । ୧୧୯ ନମ୍ବର ରେଳ ଫାଟକ ବନ୍ଦ ଥିବାରୁ ଠିଆ ହୋଇଥିଲେ ୧ ସହରୁ ଉର୍ଦ୍ଧ୍ଵ ଲୋକେ । ଏକ ମାଲବାହୀ ଟ୍ରେନ୍ ପାସ୍ ହେବା ପରେ ରେଳ କର୍ମଚାରୀ ଖୋଲିଥିଲେ ଫାଟକ । ଲୋକେ ରେଳ ଧାରଣା ପାର ହେଉଥିବା ସମୟରେ ଫାଟକର ତାର ଛିଡିପଡ଼ିଥିଲା ।

ଗେଟର ତାର ଛିଡିଯିବା ପରେ ଗେଟ୍ ଲକ୍ ହୋଇଯାଇଥିଲା । ଯାହା ଫଳରେ ଏକ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ରେଳ ଧାରଣା ମଝିରେ ଫସିରହିଥିଲେ ସାଧାରଣ ଲୋକ । ପ୍ରାୟ ଏକ ଘଣ୍ଟା ପରେ ରେଳ ଫାଟକର ଜଗୁଆଳି ଓ ପିଡବ୍ଲୁ ଆଇ କର୍ମଚାରୀ ଆସି ଗେଟକୁ ହାତରେ ଟେକି ରେଳ ଧାରଣା ମଝିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଗେଟର ମରାମତି ଦାୟିତ୍ୱରେ ଥିବା ରେଳ କର୍ମଚାରୀଙ୍କ ବେପରୁଆ କାର୍ଯ୍ୟ ପାଇଁ ଏପରି ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ଭଦ୍ରକ ଷ୍ଟେସନ ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ହେଉଥିବା ବେଳେ ଏହି ଷ୍ଟେସନ ଦେଇ ଅନେକ ଯାତ୍ରୀବାହୀ, ମାଲବାହୀ ଟ୍ରେନ୍ ଯାତାୟାତ କରିଥାନ୍ତି । ତେବେ ଏତେ ସଂଖ୍ୟାରେ ଲୋକେ ଫାଟକରେ ଫଶିଥିବା ବେଳେ ଯଦି ସେହି ସମୟରେ ଟ୍ରେନ୍ ଅସିଥାନ୍ତା ତେବେ କଣ ହୋଇଥାନ୍ତା ବୋଲି ପ୍ରଶ୍ନ ଉଠୁଛି ।

Leave a Reply

Your email address will not be published. Required fields are marked *