ରାଜଧାନୀରେ ଗର୍ଜିଲା ବନ୍ଧୁକ । ବିଚ୍ ରାସ୍ତାରେ ଫୁଟିଲା ଗୁଳି, ଚାଲିଗଲା ଜଣଙ୍କ ଜୀବନ। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ପରେ ଘଟିଛି ଭୟଙ୍କର ଗୁଳିକାଣ୍ଡ। ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ହେଉଛନ୍ତି ତପନ ନାହାକ। ରାଜଧାନୀର ଲିଙ୍ଗରାଜ ଥାନା ଅନ୍ତର୍ଗତ ମାଉସୀମା ଛକ ଓଭରବ୍ରିଜ୍ ଉପରେ ଘଟିଛି ଏହି ରକ୍ତାକ୍ତ ଘଟଣା। ଯାହାକୁ ନେଇ ପୁଣି ଥରେ ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଉଠିଛି ବଡ଼ ପ୍ରଶ୍ନ।
ମିଳିଥିବା ସୂଚନା ଅନୁସାରେ, କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ଏହି ବିବାଦ ଉଗ୍ରରୂପ ଧାରଣ କରିବା ସହ ଗୁଳିକାଣ୍ଡ ଘଟିଥିଲା। ଏଥିରେ ତପନ ନାହାକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ତେବେ କେଉଁ କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା? କିଏ ଗୁଳି ଚଳାଇଥିଲା? ଗୁଳିକାଣ୍ଡ ପଛରେ ପୂର୍ବ ଶତ୍ରୁତା ରହିଛି ନା ଅନ୍ୟ କୌଣସି କାରଣ? ଏସବୁ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ସାମ୍ନାକୁ ଆସିଥିବା ସଦ୍ୟତମ ରିପୋର୍ଟ ଅନୁସାରେ, ଶିଶୁପାଳଗଡ଼ର ବଡ଼ଟାଙ୍କି ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିଲା। ଗୁରୁତର ଆହତ ତପନଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ମାଉସୀମା ଛକ ଓଭରବ୍ରିଜ୍ ନିକଟରେ ତାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ରହିଛି।
ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ପାଞ୍ଚଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ଗୁଳିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ତେବେ ରାଜଧାନୀରେ ଏଭଳି ହତ୍ୟାକାଣ୍ଡ ପୁଣି ଥରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଅପରାଧୀଙ୍କ ହାତରେ ବନ୍ଧୁକ ପହଞ୍ଚୁଛି କେମିତି? ସାମାନ୍ୟ ବିବାଦରୁ କାହିଁକି ଗଡ଼ୁଛି ମୁଣ୍ଡ ? ରାଜଧାନୀରେ ଅପରାଧ ରୋକିବାକୁ ପୋଲିସର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।