Author: suchanatv24x7

  • ଟଙ୍କା ହଡ଼ପ ପରେ ଚିନ୍ତାରେ ଜମାକାରୀ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

    ଟଙ୍କା ହଡ଼ପ ପରେ ଚିନ୍ତାରେ ଜମାକାରୀ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

    ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । ସମବାୟ ସମିତି ଅଫିସ ରାତାରାତି ଉଭାନ ହୋଇଯିବା ଘଟଣା ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରତିବାଦରେ ଜମାକାରୀମାନେ ଏବେ ଧାରଣାରେ ବସିଛନ୍ତି ।

    ଚିନ୍ତାରେ ଜମାକାରୀ । ସେମାନଙ୍କ ଟଙ୍କା ଫେରସ୍ତ ପାଇବେ କିପରି । ଏ ଦିଗରେ କେହି ବି ସାହାଯ୍ୟ କରୁନାହାଁନ୍ତି । କଟକ ଜିଲ୍ଲା ସାଲେପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସମବାୟ ସମିତି ଅଫିସ କର୍ମଚାରୀ ଓ ଜମାକାରୀମାନେ ସାଲେପୁର ତହସିଲ ଅଫିସ ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । ଟଙ୍କା ଫେରସ୍ତ ପାଇବା ପାଇଁ ସେମାନେ ଏହି ପନ୍ଥାକୁ ଆପଣେଇଛନ୍ତି ।

    ସୂଚନା ଅନୁସାରେ ସାଲେପୁର କ୍ରେଡିଟ କୋଅପରେଟିଭ ସୋସାଇଟିର ପୂର୍ବତନ ସଭାପତି ଏବଂ ପ୍ରଶାସନିକ ଅଧିକାରୀ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି । ଜମାକାରୀଙ୍କ ଠାରୁ ଟଙ୍କା ନେଇ ବର୍ଷେ ପୂର୍ବରୁ ସେମାନେ ଫେରାର ଅଛନ୍ତି । ଏ ନେଇ ଥାନା, ସମବାୟ ବିଭାଗ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ଜମାକାରୀ । ତେବେ କୌଣସି ଅଧିକାରୀ ସେମାନଙ୍କ ସହାୟତା କରିନାହାଁନ୍ତି । ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନି ।

    ସବୁଥିରେ ଫେଲ୍ ମାରିବା ପରେ ଜମାକାରୀମାନେ ଏକାଠି ହୋଇଥିଲେ । ଟଙ୍କା ପାଇବା ପାଇଁ ସେମାନେ ଧାରଣାରେ ବସିଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି । ସେପଟେ, ଘଟଣାସ୍ଥଳରେ କୌଣସି ଅଧିକାରୀ ପହଞ୍ଚିନାହାଁନ୍ତି । ଅନ୍ୟପକ୍ଷେ ତହସିଲଦାରଙ୍କ କୌଣସି ପ୍ରତିକ୍ରିୟା ବି ମିଳିପାରିନାହିଁ । ଏଭଳି ଘଟଣା ଏବେ ସାଲେପୁର ଅଞ୍ଚଳରେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଦୀର୍ଘଦିନ ହେଲା ଟଙ୍କା ନମିଳିବା ଅଫିସ ଉଭାନ ହେବା ଲୋକଙ୍କୁ ଆହୁରି ଟେନସନ୍ । ତେଣୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

  • ପାନୀୟ ଜଳ ପାଇଁ ଲୋକେ ଡହଳବିକଳ, ଅପରିଷ୍କାର ଚୁଆପାଣି ଲୋକଙ୍କ ଭରସା

    ପାନୀୟ ଜଳ ପାଇଁ ଲୋକେ ଡହଳବିକଳ, ଅପରିଷ୍କାର ଚୁଆପାଣି ଲୋକଙ୍କ ଭରସା

    ଗ୍ରୀଷ୍ମପ୍ରବାହ ଯୋଗୁଁ ଜଳକଷ୍ଟ ମଧ୍ୟ ବଢୁଛି । ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି । କେନ୍ଦୁଝର ତେଲକୋଇ ବ୍ଲକରେ ଦିନବେଳା ତାପମାତ୍ରା ୪୨ ଡିଗ୍ରୀ ରହୁଥିବା ବେଳେ ଟାଇଁଟାଇଁ ଖରା ଲୋକଙ୍କ ପାଇଁ ଅସହ୍ୟ ହୋଇଛି । ସେପଟେ, ଅତ୍ୟଧିକ ଖରା ଯୋଗୁଁ କୂଅ ଜଳସ୍ତର ହ୍ରାସ ଘଟିଲାଣି । କିଛି ସ୍ଥାନରେ କୂଅ,ପୋଖରୀ ଜଳ ଶୁଖିଲାଣି ।

    କରମଙ୍ଗି ପଞ୍ଚାୟତ କୃଷ୍ଣପୁର ଗାଁ କାଇଁଶିନାଳି ସାହିରେ ଜଳ ସଙ୍କଟ । କୂଅ, ପୋଖରୀ କଥା ତ ଛାଡ଼ନ୍ତୁ ନଳକୂପ ମଧ୍ୟ ଶୁଖିଯାଇଛି । ସାହିରେ ଥିବା ଏକମାତ୍ର ନଳକୂପରୁ ବାହାରୁଥିବା ପାଣି ବ୍ୟବହାର ଉପଯୋଗୀ ନୁହଁ । ପାନୀୟ ଜଳ ପାଇଁ ଏକମାତ୍ର ଚୁଆ ଉପରେ ନିର୍ଭର କରୁଛନ୍ତି ଲୋକେ । ବିଲରେ ଚୁଆ ଖୋଳି ଅପରିଷ୍କାର ପାଣି ବ୍ୟବହାର କରିବାକୁ ସେମାନେ ବାଧ୍ୟ ହେଉଛନ୍ତି । ସରକାରୀ ଯୋଜନା ଏଠାର ଲୋକଙ୍କ ପାଇଁ ସାତସପନ ପାଲଟିଛି ।

    ସାହିରେ ୩୦ରୁ ଅଧିକ ଆଦିବାସୀ ପରିବାର ବାସ କରନ୍ତି । ଚୁଆପାଣି ସାହି ଲୋକଙ୍କ ଶୋଷ ମେଣ୍ଟାଉଥିବା ବେଳେ ଗାଈଗୋରୁଙ୍କ ପାଇଁ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି । ସମାଧାନ ପାଇଁ ଅନେକ ଥର ଗୁହାରି ହୋଇଛନ୍ତି ତଥାପି କୌଣସି ପଦକ୍ଷେପ ନିଆଯାଇନଥିବା କହିଛନ୍ତି ଗାଁ ଲୋକେ । ଖୁବଶୀଘ୍ର ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ ଏବଂ ନଳକୂପର ବ୍ୟବସ୍ଥା କରାଯିବ ବୋଲି ତେଲକୋଇ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।

    ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ଲାଗି ରହିଥିବା ବେଳେ ବୁଧବାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି । ସେପଟେ, କେନ୍ଦୁଝରରେ ଲୋକେ ଜଳକଷ୍ଟ ଭୋଗୁଛନ୍ତି । ତେଲକୋଇ କାଇଁଶିନାଳି ସାହିରେ ତାତି ଅସହ୍ୟ ହୋଇଥିବା ବେଳେ ଘରୁ ବାହାରିବା ବି ମୁସ୍କିଲ ହୋଇଛି । ପିଇବା ପାଣି ଲୋକଙ୍କୁ ମିଳୁନି ଯାହା ସରକାରୀ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶାସନିକ ଅଧିକାରୀଙ୍କ ଅବେହଳା ନେଇ ଏବେ ପ୍ରଶ୍ନ ଉଠିଛି । ତେବେ ଖୁବଶୀଘ୍ର ଏହାର ସମାଧାନ କଲେ ଲୋକେ ଉପକୃତ ହୋଇପାରିବେ ।

  • ବିଜେଡିକୁ ଡେଇଁଲେ ମଙ୍ଗଳ, ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ କଲା କିଏ ?

    ବିଜେଡିକୁ ଡେଇଁଲେ ମଙ୍ଗଳ, ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ କଲା କିଏ ?

    ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାଜନୀତି ଜୋର୍ ଧରିଛି । ୧୦ ତାରିଖରେ ଭୋଟିଂ ହେବ । ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ ଜିଲ୍ଲା ସାଂଗଠନିକ ସ୍ତରରେ ବଡ଼ ଝଟକା ମିଳିଛି । ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ।

    ଦୁଇ ଥର ବିଜେପି ରାଜ୍ୟ ପରିଷଦରେ କାମ କରିଛନ୍ତି ମଙ୍ଗଳ ସାହୁ । ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସାଂସଦ ପ୍ରତିନିଧି ଥିଲେ । ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ସାଂସଦ ଥିବାବେଳେ ମଧ୍ୟ ସେ ସାଂସଦ ପ୍ରତିନିଧି ଭାବେ ଦାୟିତ୍ୱ ତୁଲାଇଥିଲେ । ଦୀର୍ଘ ୨୫ ବର୍ଷ ହେଲା ସେ ବିଜେପି ସହ ଥିଲେ । ବିଜେପି ସଂଗଠନ ମଜଭୁତ୍ କରିବାକୁ ଦିନରାତି ପରିଶ୍ରମ କରିଥିଲୁ । ହେଲେ ପୁରୁଣା ନୀତି, ଆଦର୍ଶ କିଛି ନାହିଁ । ଅଣଦେଖା ହୋଇ କ୍ଷୋଭ ସହ ଅଛୁ । ନବଦାସ ହତ୍ୟାର ତଦନ୍ତ ଦାବି କରୁଛୁ ବୋଲି କହିଲେ ମଙ୍ଗଳ ସାହୁ ।

    ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳକୁ ମଜଭୁତ କରିବାକୁ ଏକାଠି କାମ କରିବେ ବୋଲି କହିଛନ୍ତି ମଙ୍ଗଳ ସାହୁ0 । ଆସନ୍ତା ଦିନରେ ବିଜେଡିରେ ଆହୁରି କିଛି କର୍ମୀ ଓ ନେତା ଯୋଗଦେବେ । ଏଥିରୁ ଦଳକୁ ବହୁତ ଫାଇଦା ମିଳିବ ବୋଲି କହିଛନ୍ତି ମଙ୍ଗଳ । ସେପଟେ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥାନ୍ତି ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ । ୧୦ ତାରିଖରେ ଉପନିର୍ବାଚନ ପାଇଁ ଭୋଟିଂ ହେବାକୁ ଥିବାବେଳେ ଏବେଠୁ ଦଳଡିଆଁ ରୋଗ ଆରମ୍ଭ ହେଲାଣି । ଅସନ୍ତୁଷ୍ଟ ନେତା,କର୍ମୀ ନିଜ ନିଜ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଛନ୍ତି ।

    ସେପଟେ,ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ସବୁ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଝାରସୁଗୁଡ଼ା ଥାନା ଘେରାଉ କରିଥିଲେ ବିଜେପି କର୍ମୀ । ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି ।

    ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ । କଂଗ୍ରେସର ତରୁଣ ପାଣ୍ଡେ ଏବଂ ବିଜେଡିର ଦୀପାଳି ଦାସଙ୍କ ସମେତ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରୁ କିଏ ଏହି ଆସନ ହାତେଇବ ତାକୁ ନେଇ ଜୋରଦାର ଅଙ୍କକଷା ଆରମ୍ଭ ହୋଇଛି ।

  • ମଣିଷ-ବନ୍ୟପ୍ରାଣୀ ସଂଘର୍ଷରେ ମୃତାହତ ପରିବାର ପାଇଁ ଅନୁକମ୍ପା ସହାୟତା ରାଶିରେ ବୃଦ୍ଧି

    ମଣିଷ-ବନ୍ୟପ୍ରାଣୀ ସଂଘର୍ଷରେ ମୃତାହତ ପରିବାର ପାଇଁ ଅନୁକମ୍ପା ସହାୟତା ରାଶିରେ ବୃଦ୍ଧି

    ମନୁଷ୍ୟ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷରେ ରାଜ୍ୟରେ ବହୁ ଲୋକ ମୃତାହତ ହେଉଛନ୍ତି । ଘରଦ୍ବାରା ଭାଙ୍ଗିବା ଓ ଫସଲ ନଷ୍ଟ ହେବା ସହିତ ଗୃହପାଳିତ ପଶୁ ମଧ୍ୟ ପ୍ରାଣ ହରାଉଛନ୍ତି । ଏହା ମୃତକଙ୍କ ପରିବାର ପାଇଁ ବ୍ୟାପକ ତଥା ଅପୂରଣୀୟ କ୍ଷତି । ପ୍ରିୟଜନମାନଙ୍କୁ ହରାଇ ଗଭୀର ମାନସିକ ଚାପରେ ରହିଥାନ୍ତି କ୍ଷତିଗ୍ରସ୍ତ ପରିବାର । ତେଣୁ ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଅନୁକମ୍ପା ରାଶି ତଥା ସମ୍ପତ୍ତି କ୍ଷୟକ୍ଷତି ପାଇଁ ସହାୟତା ରାଶିରେ ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

    ନୂଆ ନିଷ୍ପତ୍ତି ଅନୁଯାୟୀ ବନ୍ୟାପ୍ରାଣୀ ଆକ୍ରମଣରେ ମଣିଷଙ୍କ ଜୀବନ ଗଲେ ଅନୁକମ୍ପାମୂଳକ ରାଶିର ପରିମାଣ ୪ ଲକ୍ଷରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଗୁରୁତର ଆହତଙ୍କ (Permanent Injury) ପାଇଁ ସହାୟତା ରାଶିରେ ମଧ୍ୟ ବୃଦ୍ଧି ପାଇଛି । ୬୦ ପ୍ରତିଶତରୁ କମ୍‌ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କାରୁ ୧.୫୦ ଲକ୍ଷ ଏବଂ ୬୦ ପ୍ରତିଶତରୁ ଅଧିକ ଅକ୍ଷମତା କ୍ଷେତ୍ରରେ ସହାୟତା ପରିମାଣ ୨.୫୦ ଲକ୍ଷ ଟଙ୍କାକୁ ବଢ଼ାଇଛନ୍ତି ରାଜ୍ୟ ସରକାର ।

    ସାମାନ୍ୟ ଆହତ (Temporary Injury)ଙ୍କ ପାଇଁ ସହାୟତା ପରିମାଣ ୫ ହଜାର ଟଙ୍କା ଥିଲା । ଏବେ ଏକ ସପ୍ତାହରୁ ଅଧିକ ସମୟ ଚିକିତ୍ସାର ଆବଶ୍ୟକତା ଥିଲେ,ସେ କ୍ଷେତ୍ରରେ ସରକାରୀ ହସ୍‌ପିଟାଲରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସହିତ ୧୦ ହଜାର ଟଙ୍କା ଦିଆଯିବ। ଚିକିତ୍ସାର ସମୟ ଏକ ସପ୍ତାହରୁ କମ୍‌ ହେଲେ, ସରକାରୀ ହସ୍‌ପିଟାଲରେ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସହିତ ୫ ହଜାର ଟଙ୍କା ପ୍ରଦାନ କରାଯିବ ।

    ଗୋରୁ,ମଇଁଷି ଭଳି ପ୍ରାଣୀଙ୍କ ମୃତ୍ୟୁ କ୍ଷେତ୍ରରେ ମଧ୍ୟ ସହାୟତା ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଗାଈ ବା ମଇଁଷିଙ୍କ ମୃତ୍ୟୁ ହେଲେ ୩୭୫୦୦ ଟଙ୍କା,ବଳଦ ପାଇଁ ସହାୟତା ୩୨୦୦୦ ଟଙ୍କା, ବାଛୁରୀ ମୃତ୍ୟୁ ପାଇଁ ୨୫୦୦ ଟଙ୍କାରୁ ୫୦୦୦ ଟଙ୍କା, ଛେଳିମେଣ୍ଢାଙ୍କ ମୃତ୍ୟୁ ୨୦୦୦ରୁ ୪୦୦୦ ଟଙ୍କା, ମେଣ୍ଢା ଛୁଆ ମୃତ୍ୟୁ ପାଇଁ ୭୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ନବୀନ ।

    ସେହିପରି ଫସଲ କ୍ଷୟକ୍ଷତି ହେଲେ ମଧ୍ୟ ସହାୟତା ପରିମାଣ ବଢ଼ିଛି । ଧାନ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ (Cereal)କ୍ଷତିରେ ସହାୟତା ପରିମାଣ ଏକର ପିଚ୍ଛା ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥକାରୀ ଫସଲ କ୍ଷତିରେ ସହାୟତା ପରିମାଣ ୧୨ ହଜାରରୁ ୨୫ ହଜାର ଟଙ୍କାକୁ ବଢ଼ିଛି । ଘରଗୁଡ଼ିକର ଆଂଶିକ କ୍ଷତି କ୍ଷେତ୍ରରେ ସହାୟତା ପରିମାଣ ୨୦୦୦ ଟଙ୍କାରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଘର ସମ୍ପୂର୍ଣ୍ଣ ଭାଙ୍ଗିଥିଲେ,ବିଜୁ ପକ୍‌କା ଘର କିମ୍ବା ସେହି ମୂଲ୍ୟର ଅର୍ଥ ସହିତ ଆହୁରି ୨୦ ହଜାର ଟଙ୍କା ସହାୟତା ଆକାରରେ ପ୍ରଦାନ କରାଯିବ ।

  • କ୍ରିଡାମନ୍ତ୍ରୀ ଅନୁରାଗ ଠାକୁର ଘଟଣାକୁ ଚାପିଦେବାକୁ ପ୍ରୟାସ କରୁଛନ୍ତି କହିଲେ ରେସଲର ଭିନେଶ ଫୋଗାଟ

    କ୍ରିଡାମନ୍ତ୍ରୀ ଅନୁରାଗ ଠାକୁର ଘଟଣାକୁ ଚାପିଦେବାକୁ ପ୍ରୟାସ କରୁଛନ୍ତି କହିଲେ ରେସଲର ଭିନେଶ ଫୋଗାଟ

    ନ୍ୟାୟ ପାଇଁ ଦିଲ୍ଲୀର ଜନ୍ତରମନ୍ତର ଠାରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ଉପରେ କରାଯାଉଛି ଅତ୍ୟାଚାର । ସୋମାନଙ୍କ ଅଭିଯୋଗକୁ ଗୁରୁତର ସହିତ ନେବା ପରିବର୍ତ୍ତେ ତାଙ୍କ ବିରୋଧରେ ଅନେକ ବୟାନବାଜି କରାଯାଉଛି । ଡବ୍ଲୁଏଫ୍ଆଇ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିବା ସତ୍ତ୍ୱେ ଆନ୍ଦୋଳନରୁ ଓହରି ନାହାନ୍ତି ରେସଲରମାନେ । ବ୍ରିଜ ଭୂଷଣଙ୍କ ଗିରଫ ଦାବିରେ ରେସଲର ମାନେ ଅଡି ବସିଥିବା ବେଳେ ରେସଲର ଭିନେଶ ଫୋଗାଟ ଦେଇଛନ୍ତି ଏକ ଆଶ୍ଚର୍ଯ୍ୟ କଳାଭଳି ବୟାନ । ସେ ସିଧାସଳଖ କ୍ରିଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ନେଇ ଦେଇଛନ୍ତି ଏକ ବଡ ମନ୍ତବ୍ୟ ।

    ଭିନେଶ କହିଛନ୍ତି, ବ୍ରିଜ ଭୂଷଣ ଭଳି ଜଣେ କ୍ଷମତାଶାଳୀ ବ୍ୟକ୍ତିଙ୍କ ବିରୋଧରେ ଛିଡ଼ା ହେବା ଏତେ ସହଜ ନହେଁ । ଆମେ ନ୍ୟାୟ ପାଇଁ ଲଢୁଥିବା ବେଳେ ବିଭିନ୍ନ ମହଲରୁ ଚାପର ଶିକାର ହେଉଛୁ । କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣି ଫୋଗାଟ କହିଛନ୍ତି, ଖୋଦ୍‌ କ୍ରୀଡ଼ା ମନ୍ତ୍ରୀ ଏହି ମାମଲାର ସମାଧାନ ପାଇଁ ଏକ କମିଟି ଗଠନ କରି ଏହି ମାମଲାକୁ ଚାପି ଦେବାକୁ ଯଥାସମ୍ଭବ ପ୍ରୟାସ କରିଥିଲେ ।

    ଗତ ଜାନୁଆରୀ ମାସରେ ନ୍ୟାୟ ପାଇଁ ଜନ୍ତର ମନ୍ତର ଠାରେ ଆନ୍ଦୋଳନରେ ବସିଥିବା ବେଳେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲୁ । ଆମକୁ ଯୌନ ଉତ୍ପୀଡ଼ନ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଭଳି ସଂଗୀନ ଅଭିଯୋଗ ବିଜେପି ସାଂସଦଙ୍କ ନାଁରେ ଆଣିଥିଲେ ବି କାର୍ଯ୍ୟାନୁଷ୍ଠାନ ନିଆଗଲାନି। ତେଣୁ ବାଧ୍ୟ ହୋଇ ଦୀର୍ଘ ୪ ମାସ ପରେ ପୁଣି ଧାରଣାରେ ବସିବାକୁ ସ୍ଥିର କଲୁ ।

    ସେ କହିଛନ୍ତି, କେନ୍ଦ୍ରୀୟ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ସାକ୍ଷାତ କରି ଆମେ ସମସ୍ତ ସମସ୍ୟା ଜଣାଇଥିଲୁ ଆଉ ସେ ପ୍ରତିଶ୍ରୁତି ଦେବା ପରେ ଆମେ ଆନ୍ଦୋଳନରୁ ଓହରିଥିଲୁ
    । ଏହାପରେ ଘଟଣାର ଯାଞ୍ଚ ପାଇଁ ଏକ କମିଟି ଗଠନ କରିଥଲେ କ୍ରିଡାମନ୍ତ୍ରୀ ଅନୁରାଗ ଠାକୁର । ହେଲେ ସେହି କମିଟି ମାମଲାକୁ ଚାପିଦେବାକୁ ନିଜର ସମସ୍ତ ବଳ ପ୍ରୟୋଗ କରିଥିଲା ।

  • ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ ସହ ପରିବେଷଣ କରିଥାନ୍ତି ‘ସାମ୍ବାଦିକ’

    ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ ସହ ପରିବେଷଣ କରିଥାନ୍ତି ‘ସାମ୍ବାଦିକ’

    ନିଜ ଜୀବନକୁ ବାଜି ଲଗେଇ ଅହରହ ୨୪ ଘଣ୍ଟା କାମ କରିଥାନ୍ତି ସାମ୍ବାଦିକ । ସେମାନଙ୍କ ଜୀବନ ପ୍ରତି ବିପଦ ଥାଏ ତଥାପି ସେମାନେ ପଛଘୁଞ୍ଚା ଦେଇନଥାନ୍ତି । ଖରା,ବର୍ଷା, ଶୀତକୁ ଖାତିର ନକରି ଖବର ପରିବେଷଣ କରିଥାନ୍ତି । ଲୋକଙ୍କ ସମସ୍ୟା ପ୍ରଶାସନ ନିକଟରେ ଉପସ୍ଥାପନ କରିଥାନ୍ତି । ଅଧିକାଂଶ ସମୟରେ ସମସ୍ୟାର ସମାଧାନ ଦିଗରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ଲୋକଙ୍କ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ପାଇଥାନ୍ତି । ଏହା ସେମାନଙ୍କ ପାଇଁ ସବୁଠୁ ବଡ଼ ପୁରସ୍କାର । ସେଥିପାଇଁ ସାମ୍ବାଦିକମାନଙ୍କୁ ସବୁବେଳେ ପୂର୍ଣ୍ଣ ସ୍ୱାଧୀନତା ଦେବା ଜରୁରୀ । ଏଭଳି ଲକ୍ଷ୍ୟ ନେଇ ପ୍ରତିବର୍ଷ ୩ ମେ’ରେ ପାଳିତ ହେଉଛି ‘ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ’ ।

    ସାମ୍ବାଦିକତାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ବେଳେ ଏହା ଏକ ବିପଦପୂର୍ଣ୍ଣ କାମ । ଅନେକ ସମୟରେ ସାମ୍ବାଦିକମାନେ ଆକ୍ରମଣର ଶିକାର ହୁଅନ୍ତି । ସାମ୍ବାଦିକମାନେ ସତ୍ୟକୁ ସାମ୍ନା କରନ୍ତି, ଦାୟିତ୍ୱକୁ ଠିକ୍ ଭାବେ ପୂରଣ କରିବାକୁ ନିଜ ଜୀବନକୁ ବିପଦରେ ପକାଇବାକୁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ । ଏଭଳି ସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ କାମ କରିଥାନ୍ତି ସାମ୍ବାଦିକ । ତେବେ ସେମାନଙ୍କ ସ୍ୱରକୁ ଯେପରି କୌଣସି ପ୍ରଭାବ ନପଡ଼େ ସେଥିପ୍ରତି ସରକାର ଧ୍ୟାନ ଦେବା ଉଚିତ । ପୂର୍ଣ୍ଣ ସ୍ୱାଧୀନତା ମିଳିଲେ ହିଁ ସେମାନେ ନିଜ ନିଜ କାମକୁ ସୂଚାରୁ ରୂପେ ସମ୍ପାଦାନ କରିପାରିବେ ।

    ୟୁନେସ୍କୋ ସାଧାରଣ ସମ୍ମିଳନୀର ସୁପାରିସ ପରେ 1993ରେ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା । ୱିଣ୍ଡହୋକ୍ ଘୋଷଣାନାମାକୁ ସ୍ମରଣ କରିବା ପାଇଁ ମେ’ ୩ ତାରିଖକୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଲୋକଙ୍କୁ ମନେ ପକାଏ ।

    ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସର ଥିମ୍ ରହିଛି । ଚଳିତଥର ‘ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ’ର ୩୦ତମ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ୟୁନେସ୍କୋ ଦ୍ୱାରା ନିର୍ମିତ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ 2023ର ବିଷୟବସ୍ତୁ ‘ଅଧିକାରର ଭବିଷ୍ୟତ ଗଠନ:ଅଭିବ୍ୟକ୍ତିର ସ୍ୱାଧୀନତା ଅନ୍ୟ ସମସ୍ତ ମାନବିକ ଅଧିକାରର ତାଳକ ଭଳି’। ଗଣମାଧ୍ୟମର ସ୍ୱାଧୀନତା,ନିରପେକ୍ଷତା ଏବଂ ଅଭିବ୍ୟକ୍ତି ଉପରେ ଗୁରୁତ୍ୱ ଦେଇଥାଏ ।

    ସେପଟେ, World press freedom day ଅବସରରେ ବିଧାୟକ ସୁରେଶ ରାଉତରାୟ କେକ୍ କାଟିଛନ୍ତି । ସାମ୍ବାଦିକମାନଙ୍କୁ କେକ୍ ଖୁଆଇଛନ୍ତି ଏହି ଲୋକପ୍ରିୟ କଂଗ୍ରେସ ବିଧାୟକ । ସାମ୍ବାଦିକମାନଙ୍କ ପାଇଁ ପୁଣି ଥରେ ଓଡ଼ିଶା ଲୋକସେବା ଭବନ ଖୋଲି ସେମାନଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦେବାକୁ କହିଛନ୍ତି ସୁର ରାଉତରାୟ ।